Odisha Shocker: ଗୋପାଳପୁର ଲଜ୍ଜାର କ୍ରାଇମବ୍ରାଞ୍ଚ ଖୋଳତାଡ଼,ଏଣେ ଆଉ ଜଣଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

ଗୋପାଳପୁର ଲଜ୍ଜାକୁ ନେଇ ସାରା ରାଜ୍ୟରେ ହଇଚଇ । ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତନାଘନା କରିଛନ୍ତି କ୍ରାଇମବ୍ରାଞ୍ଚ IG । ଏହାରି ଭିତରେ ସଂଘଟିତ ଆଉ ଏକ ବୀଭତ୍ସ ଅପରାଧକୁ ନେଇ ହଲଚଲ୍ କେନ୍ଦୁଝର ଜିଲ୍ଲା । ପଣ୍ଡାପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ପ୍ରଥମେ ଦୁଷ୍କର୍ମ ଆଉ ତା’ପରେ ଗଛରେ ଟାଙ୍ଗି ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । 

ଗୋପାଳପୁର ଲଜ୍ଜା

ଗୋପାଳପୁର ଲଜ୍ଜାକୁ ନେଇ ରାଜ୍ୟବ୍ୟାପୀ କମ୍ପନ । ଗୋଟିଏ ପଟେ କ୍ରାଇମସ୍ପଟରେ କ୍ରାଇମବ୍ରାଞ୍ଚର ଖୋଳତାଡ଼, ଆରପଟେ ପର୍ଯ୍ୟଟନସ୍ଥଳୀରେ ପାପକୁ ନେଇ ବିରୋଧୀଙ୍କ ନିଶାନା । ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତନାଘନା କରିଛନ୍ତି କ୍ରାଇମବ୍ରାଞ୍ଚ IG ଏସ୍.ସାଇନି । କେମିତି ଓ କେଉଁ ପରିସ୍ଥିତିରେ ଘଟିଲା ଜଘନ୍ୟ ଅପରାଧ, ତା’ର ସରଜମିନ ତଦନ୍ତ କରିଛନ୍ତି । ଏସବୁ ଭିତରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ସହ ହତ୍ୟା ଅଭିଯୋଗ, ଚହଳ ପକାଇଛି କେନ୍ଦୁଝର ଜିଲ୍ଲାରେ । ଆଉ ୩ ଦିନରେ ଏଭଳି ଦୁଇ ଦୁଇଟି ଅପରାଧକୁ ନେଇ ରାଜଧାନୀରେ ଗର୍ଜିଛି କଂଗ୍ରେସ । 

ଅଧିକ ପଢନ୍ତୁ: ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ୧୦ ଅଭିଯୁକ୍ତ ଗିରଫ 

ଗୋପାଳପୁର ବେଳାଭୂମିର ବଦନାମ ଇଲାକା...ଯେଉଁଠି ଜଣେ ଯୁବତୀଙ୍କୁ ଝୁଣି ଗଣଦୁଷ୍କର୍ମ କଲେ ଦଶ ଦଶ ଜଣ ଦରିନ୍ଦା । ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀର  ସେହି ପାପର ପେଣ୍ଠସ୍ଥଳୀ, ଯେଉଁଠି ଘଟିଥିଲା ଜଘନ୍ୟ କାଣ୍ଡ, ଯାହାକୁ ନେଇ ସୃଷ୍ଟି ହୋଇଛି କମ୍ପନ । ଆଜି ଏହି କ୍ରାଇମ୍ ସ୍ପଟରେ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଟିକିନିଖି ତଦନ୍ତ କରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଏସ୍.ସାଇନି । କେମିତି ଘଟିଲା ଅଘଟଣ ? କେଉଁ ପରିସ୍ଥିତିରେ ଘଟିଲା ? ଏହି ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ଥିଲା ନା ନାହିଁ ? ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିବା କ୍ରାଇମବ୍ରାଞ୍ଚ ଆଇଜି ଆଣ୍ଡ କୋ ଗୋଟି ଗୋଟି କରି ସରଜମିନ ତଦନ୍ତ କରିଛନ୍ତି । 

ଅପରପକ୍ଷେ ଗୋପାଳପୁର ବିଧାୟକ ତଥା ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପହଞ୍ଚିଥିଲେ କ୍ରାଇମସ୍ପଟରେ । ଆଉ ପୂର୍ବ ସରକାରବେଳର ଅଧପନ୍ତରିଆ ବ୍ଲୁ ଫ୍ଲାଗ୍ ବିଚ୍ ଯୋଜନା ଭିତରେ ପଡ଼ିରହିଥିବା କ୍ୟାବିନ, ଯେଉଁଠି ଘଟିଥିଲା ଘଟଣା, ସେଗୁଡ଼ିକୁ ଭାଙ୍ଗି ସୁରକ୍ଷା ବଢ଼ାଇବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । 

ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଘେରିଯାଇ ୪ ନାବାଳକ ସହ ୧୦ ଜହ୍ଲାଦ ଯେଭଳି ଲୋମଟାଙ୍କୁରା କାଣ୍ଡ ଭିଆଇଥିଲେ ସାରା ରାଜ୍ୟରେ ଆଜି ଚର୍ଚ୍ଚା । ଏହି ଚର୍ଚ୍ଚା ଭିତରେ ସଂଘଟିତ ଆଉ ଏକ ବୀଭତ୍ସ ଅପରାଧକୁ ନେଇ ହଲଚଲ୍ କେନ୍ଦୁଝର ଜିଲ୍ଲା । ପଣ୍ଡାପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ପ୍ରଥମେ ଦୁଷ୍କର୍ମ ଆଉ ତା’ପରେ ଗଛରେ ଟାଙ୍ଗି ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । 

ସୋମବାର ଶୌଚ ପାଇଁ ଯାଇ ଘରକୁ ଫେରିନଥିବା ନାବାଳିକାର ଝୁଲନ୍ତା ମୃତଦେହ ଏବଂ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ସମ୍ପର୍କୀୟ । ତା’ସହ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ ଭିତରେ ୨ ଜଣଙ୍କୁ ଧରି ପଚରାଉଚରା କରୁଛି ପୋଲିସ । ଏସଡିପିଓ ସୂଚନା ଦେଇ କହିଛନ୍ତି, ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। 

ଗୋଟିଏ ପଟେ ଗୋପାଳପୁର ପର୍ଯ୍ୟଟନସ୍ଥଳୀରେ ପାପ, ଆରପଟେ କେନ୍ଦୁଝର ଜିଲ୍ଲାରେ କଳଙ୍କ । ୩ ଦିନ ଭିତରେ ଦୁଇ ଦୁଇଟି ଲଜ୍ଜାଜନକ ଘଟଣା ପରେ ଲୋୟର ପିଏମଜିରେ ଖଡ଼ଗହସ୍ତ ଯୁବ ଓ ଛାତ୍ର କଂଗ୍ରେସ । ସରକାର ବିରୋଧରେ ନାରାବାଜି,ପୋଲିସ ସହ ଧସ୍ତାଧସ୍ତି, ଦୀର୍ଘ ସମୟର ଛକାପଞ୍ଝା । ଶତାଧିକ କର୍ମୀଙ୍କ ସହ ଯୁବ ଓ ବରିଷ୍ଠ ନେତାଙ୍କୁ ଧରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ବାରିକେଡି ଭାଙ୍ଗି ପଶିବା ପାଇଁ ଉଦ୍ୟମବେଳେ ଉପୁଜିଥିଲା ଏଭଳି ପରିସ୍ଥିତି ।

ସେପଟେ ବ୍ରହ୍ମପୁର ଏସପିଙ୍କୁ ଅଲଗା ଅଲଗା ଯାଇ ଭେଟିଛି କଂଗ୍ରେସ ଏବଂ ଏଆଇଏସଏଫ୍ । ବେଳାଭୂମିର ନିର୍ଜନ ସ୍ଥାନଗୁଡ଼ିକୁ ନିଷିଦ୍ଧାଞ୍ଚଳ ଘୋଷଣା ସହ ଜନଶୂନ୍ୟ ଇଲାକାରେ ପାଟ୍ରୋଲିଂ ପାଇଁ ଦାବି କରିଛନ୍ତି ନେତା । ବିଜେପି କହିଛି, ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ରାଜନୈତିକ ଦୃଷ୍ଟିରେ ଦେଖିବା ନିନ୍ଦନୀୟ ।  

ଅଧିକ ପଢନ୍ତୁ: ରାତାରାତି ୮ ଗୁଣ ବଢିଗଲା ପାର୍କିଂ ଫି', ମୁଣ୍ଡରେ ହାତ ଦେଲେଣି ଲୋକେ