• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

‘ରଖେ ହରି ତ ମାରେ କିଏ’..ଯାହାଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ଥାଏ, ସେ ମୃତ୍ୟୁ ମୁଖରୁ ବି ଜୀବନ୍ତ ଫେରିଆସେ । ଭଗବାନଙ୍କ ଆଶୀର୍ବାଦ ଓ ନିଜର ସାହାସିକତା ପାଇଁ ଜୀବନ ଫେରିପାରିଲା ୧୩ ବର୍ଷୀୟା ନାବାଳିକା । ମୃତ୍ୟୁ ମୁଖକୁ ଠେଲି ଦେଇଥିଲା ମାଆର ସଇତାନ ପ୍ରେମିକ । ଭାଗ୍ୟବଶତଃ ନିଜର ବୁଦ୍ଧି ଓ ସାହାସିକତା ବଳରେ ଜୀବନକୁ ବଞ୍ଚାଇ ପାରିଛନ୍ତି ଆନ୍ଧ୍ରପ୍ରଦେଶ ଗୁନ୍‌ଟୁର୍‌ରେ ରହୁଥିବା ୧୩ ବର୍ଷୀୟ ନାବାଳିକା କିଥନା ।

ସୂଚନାନୁଯାୟୀ ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀ ଉପରେ ଥିବା ରଭୁଲାପାଲିମ୍‌ ବ୍ରିଜ୍‌ରେ ଘଣ୍ଟା ଘଣ୍ଟା ଧରି ଏକ ପାଇପ୍‌ ଉପରେ ଝୁଲି ରହିଥିଲା ୧୩ ବର୍ଷୀୟ ନାବାଳିକା କିଥନା । ବିପଦଜନକ ଅବସ୍ଥାରେ ନିଜ ବୁଦ୍ଧି ବଳରେ ପୋଲିସକୁ ଫୋନ୍‌ କରି ନିଜ ଜୀବନ ଫେରି ପାଇଲା । ଝୁଲନ୍ତା ଅବସ୍ଥାରେ ୧୦୦ ନଂ ଡାଏଲ କରି ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲା କିଥନା । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି କିଥନାଙ୍କୁ ଉଦ୍ଧାର କରିଛି ।

କିଥନାଙ୍କ କହିବାନୁଯାୟୀ ରବିବାର ଭୋର୍‌ରୁ ସେ ତାଙ୍କ ମାଆ ପୁପଲା ସୁହାସିନି ଓ ବର୍ଷକର ଭଉଣୀ ଜର୍ସିଙ୍କ ସହ ବୁଲୁଥିଲେ । ସାଙ୍ଗରେ ତାଙ୍କ ମାଆଙ୍କ ପ୍ରେମିକ ଉଲଭା ସୁରେଶ ମଧ୍ୟ ଥିଲେ । ସୁରେଶ ଗୋଦାବରୀ ନଦୀ ଉପରେ ସ୍ଥିତ ରଭୁଲାପାଲିମ୍‌ ବ୍ରିଜ୍‌ ଉପରେ ଗାଡ଼ିକୁ ରଖି ତାଙ୍କ ସହ ସେଲଫି ଉଠାଇବା ବାହାନାରେ ତିନି ଜଣଙ୍କୁ ବ୍ରିଜ୍‌ରୁ ଠେଲି ଦେଇଥିଲା । ଭାଗ୍ୟବଶତଃ କିଥନା ବ୍ରିଜରେ ଥିବା ପ୍ଲାଷ୍ଟିକ୍‌ ପାଇପ୍‌କୁ ଧରି ଝୁଲି ରହିଥିଲେ । କିଛି ସମୟ ମଧ୍ୟରେ ଅର୍ଥାତ ସକାଳ ୩:୫୦ ବେଳକୁ କିଥନା ସାହାସିକତା ଦେଖାଇ ନିଜ ପକେଟ୍‌ରେ ମୋବାଇଲ୍‌ କାଢ଼ି ୧୦୦ ନଂ ଡାଏଲ୍‌ କରିଥିଲେ ଏବଂ ପୋଲିସକୁ ସବୁକଥା ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବଳିକାକୁ ଉଦ୍ଧାର କରିଥିଲା । ଉଦ୍ଧାର ବେଳେ କିଥନାଙ୍କ ମାଆ ଓ ଭଉଣୀ ନିଖୋଜ ରହିଥିଲେ ।

କିଥନାଙ୍କ ବୟାନ ପରେ ପୋଲିସର ଦୁଇଟି ଟିମ୍‌ ଘଟଣା ଉପରେ ତଦନ୍ତ ଜାରି ରଖିଛି । ଗୋଟିଏ ଟିମ୍‌ କିଥନାଙ୍କ ମାଆ ଓ ଭଉଣୀଙ୍କୁ ସନ୍ଧାନ କରୁଥିବା ବେଳେ ଅନ୍ୟ ଏକ ଟିମ୍‌ ଅଭିଯୁକ୍ତ ସୁରେଶକୁ ଗିରଫ କରିବା ପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି ।