• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅମ୍ବାଭୋନା ଥାନା ଆକ୍ରମଣରେ ବିଧାୟକ ସୁଶାନ୍ତଙ୍କ ଲିଙ୍କ୍ ଅଭିଯୋଗକୁ ନେଇ ହଲଚଲ ରାଜ୍ୟ ରାଜନୀତି । ବିଜେପି ଅଭିଯୋଗ କରିଛି, ଯେଉଁ ପିକନିକ୍ ସ୍ପଟରେ ନିଶାକାରବାର ଅଭିଯୋଗରେ ପୋଲିସ ରେଡ୍ କରିଥିଲା, ସେଠାକୁ ସୁଶାନ୍ତ ସିଂ ଯାଇଥିଲେ । ଆଉ ତାଙ୍କରି ନିର୍ଦ୍ଦେଶରେ ଏଭଳି କାଣ୍ଡ ହୋଇଥିବା ଅଭିଯୋଗ କରି ଦଳ ସୁଶାନ୍ତଙ୍କ ଗିରଫ ଦାବି କରିଛି । ସେପଟେ ହମଲାର ୨୪ ଘଣ୍ଟା ପରେ ଘଟଣାରେ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ବରଗଡ଼ ଏସପି ।

ପୋଲିସକୁ ଚ୍ୟାଲେଞ୍ଜ୍..ଆଇନ୍‌ଶୃଙ୍ଖଳାର ଧଜିଆ ଉଡ଼ାଇ ଥାନା ଉପରେ ହମଲା । ଭଙ୍ଗାରୁଜା, ହଙ୍ଗାମା ବେଳେ ସିସିଟିଭିରେ କଏଦ୍ ହୋଇଥିଲା ଦୃଶ୍ୟ । ଉତ୍ପାତକାରୀଙ୍କ ସଂଖ୍ୟା ବି ଏବେ ସମସ୍ତଙ୍କ ଆଗରେ । କମ୍ପ୍ୟୁଟର, ଚେୟାର, ଟେବୁଲ୍, କବାଟ, ଝରକା, ଗୁରୁତ୍ୱପୂର୍ଣ୍ଣ ଫାଇଲ୍, ସବୁ ଛିନ୍‌ଛତ୍ର, ଚୁରମାର । ଆକ୍ରମଣକାରୀମାନେ କାଲି ଅପରାହ୍ନରେ ଥାନାକୁ ପୂରା କବଜାକୁ ନେଇ ଏମିିତି ହଙ୍ଗାମା କରି ଚାଲିଥିଲେ, ଆଉ ନିହାତି ଅସହାୟ ହୋଇ କେବଳ ନିରବରେ ଦେଖି ଚାଲିଥିଲା ପୋଲିସ୍ । ପାଖାପାଖି ଘଣ୍ଟାଏ କାଳ ।

ହେଲେ ଏ ଆକ୍ରମଣକାରୀମାନେ କିଏ ? କାହିଁକି ଏ ଉତ୍ପାତ ? କୁହାଯାଉଛି, ଅମ୍ବାଭୋନା ତାମଦେଇଠାରେ କିଛି ଯୁବକ ପିକନିକ୍ କରୁଥିବା ବେଳେ ସେଠାରେ ନିଶା କାରବାର ଅଭିଯୋଗରେ ପୋଲିସ ଚଢ଼ାଉ କରିଥିଲା । ବରଗଡ଼ ଏସପିଙ୍କ କହିବା ଅନୁଯାୟୀ, ବରଗଡ଼ରୁ ଗୋଟିଏ ଗାଡ଼ିରେ ଗଞ୍ଜେଇ ଚାଲାଣର ଖବର ପାଇ ଅମ୍ବାଭୋନା ଥାନା ଆଇଆଇସି ତାମଦେଇ ଠାରେ ଗାଡ଼ିକୁ ରୋକିଥିଲେ, ହେଲେ ଯାଞ୍ଚରୁ କୌଣସି ଗଞ୍ଜେଇ ମିଳିନଥିଲା । ଯାହାର ପ୍ରତିବାଦରେ ସଂଘବଦ୍ଧ ଭାବେ ଥାନା ଉପରେ ହୋଇଥିଲା ଏହି ହମଲା । ତେବେ ଘଟଣାର ପାଖାପାଖି ୨୪ ଘଣ୍ଟା ପରେ ଆକ୍ରମଣରେ ଶହେରୁ ଊର୍ଦ୍ଧ ବ୍ୟକ୍ତି ସଂପୃକ୍ତ ଥିବା କହି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୋଲିସ ।

ସେପଟେ ଯେଉଁ ପିକନିକ୍ ସ୍ପଟ୍ ତାମଦେଇରେ ନିଶା କାରବାର ଅଭିଯୋଗକୁ ନେଇ ଏ ହଙ୍ଗାମା, ସେଇ ସ୍ଥାନର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପିକନିକ୍ ସ୍ଥଳରୁ ସମର୍ଥକଙ୍କ ଭିଡ଼ ଆଡ଼େଇ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସୁଶାନ୍ତ ସିଂଙ୍କ କାର ବାହାରୁଥିବା ଦେଖିବାକୁ ମିଳିଛି । ଖୋଦ୍ ବିଧାୟକ ସୁଶାନ୍ତ ଗାଡ଼ିର ଫ୍ରଣ୍ଟ ସିଟରେ ବସିଥିବା ଦେଖାଯାଉଛି । ତେଣୁ ଅମ୍ବାଭୋନା ଥାନା ଭଙ୍ଗାରୁଜା ସହ ସୁଶାନ୍ତଙ୍କ ସଂପୃକ୍ତିର ସାଂଘାତିକ ଅଭିଯୋଗ ଆଣି ଘେରିଛି ବିଜେପି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରେସମିଟ୍ କରି ଅଭିଯୋଗ କରିଛନ୍ତି ଯେ, ପିକନିକ୍ ନାଁରେ ସେଠି ନିଶା କାରବାର ଚାଲିଥିବା ଖବର ପାଇ ପୋଲିସ ଯାଞ୍ଚ କରି ଫେରିବା ପରେ ସୁଶାନ୍ତ ସିଂ ସେଠାରେ ପହଞ୍ଚିଥିଲେ । ସମର୍ଥକଙ୍କୁ ଡାକି କଥା ହୋଇଥିଲେ ଏବଂ ତା ପରେ ତାଙ୍କ ନିର୍ଦ୍ଦେଶରେ ଥାନାରେ ଏମିତି ଭଙ୍ଗାରୁଜା ହୋଇଛି । ତେଣୁ ସୁଶାନ୍ତ ସିଂ ସ୍ପଟରେ ଥିବାରୁ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ମନମୋହନ । ସେହିପରି ବିଜେପି ଯୁବନେତା ଇରାଶିଷ ଆଚାର୍ଯ୍ୟ ମଧ୍ୟ ସୁଶାନ୍ତଙ୍କୁ ଗିରଫ କରାଯାଉ ନହେଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି । ତେବେ ଏନେଇ ବିଧାୟକ ସୁଶାନ୍ତ ସିଂଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ରାଜନେତା ଓ ରାଜନୈତିକ ସଂପୃକ୍ତିର ତଦନ୍ତ ଚାଲିଥିବା କହିଛନ୍ତି ବରଗଡ଼ ଏସପି ।

ପିକନିକ୍ ସ୍ପଟରେ ନିଶା କାରବାରର ଅଭିଯୋଗ । ପୋଲିସର ଯାଞ୍ଚ ଓ ତାକୁ ନେଇ ଥାନା ଉପରେ ଶତାଧିକ ଲୋକଙ୍କ ହମଲାରେ ସ୍ଥାନୀୟ ବିଧାୟକଙ୍କ  ସଂପୃକ୍ତିର ଅଭିଯୋଗକୁ ନେଇ ଏବେ ହଲଚଲ୍ ରାଜ୍ୟ ରାଜନୀତି ।