/odishatv-khabar/media/post_attachments/uploadimage/library/16_9/16_9_0/s_1688371257.jpg)
After killing 5 yr old son up business man hangs self
କିଛିଦିନ ପୂର୍ବେ ଉତ୍ତର ପ୍ରଦେଶ ମୈନପୁରୀ ଜିଲ୍ଲାର ଜଣେ ବ୍ୟକ୍ତି ପରିବାରର ୫ ସଦସ୍ୟଙ୍କୁ ହତ୍ୟା ପରେ ଆତ୍ମହତ୍ୟା କରିଥିଲେ। ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ଘଟଣାକୁ ନେଇ କିଛିଦିନ ନପୁରୁଣୁ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ୩୫ ବର୍ଷୀୟ ବ୍ୟବସାୟୀ କୁରାଢ଼ୀରେ ନିଜ ପୁଅକୁ ହତ୍ୟା କରିବା ପରେ ସ୍ତ୍ରୀ ଓ ଝିଅକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଶେଷରେ ସେ ଆତ୍ମହତ୍ୟା କରିଥିଲେ। ରବିବାର ସକାଳେ ଫାରୁଖାବାଦରେ ଏହି ଘଟଣା ଘଟିଛି।
ବ୍ୟବସାୟରେ କ୍ଷତି ସହିବା ଯୋଗୁ ବ୍ୟକ୍ତି ଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ୍ କହିଛି। ଜାହାଗଞ୍ଜ ଥାନା ଅନ୍ତର୍ଗତ ରତନପୁର ଗାଁରେ ଏହି ଘଟଣା ଘଟିଛି। ରବିବାର ଭୋର ୫ଟାରେ ଦୀନେଶ ଯାଦବ କୁରାଢ଼ୀରେ ପତ୍ନୀ ମୀନା(୩୨), ଝିଅ ଅଂଶୀ(୧୧) ଓ ପୁଅ ଓସିଅମ୍ଙ୍କ ଉପରକୁ ଆକ୍ରମଣ କରିଥିଲେ। ସ୍ତ୍ରୀ ଓ ପିଲାମାନେ ଶୋଇଥିବା ବେଳେ ଦୀନେଶ ଏଭଳି ପଦକ୍ଷେପ ନେଇଥିଲେ।
ଚିତ୍କାର ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ଘରର କବାଟ ଭାଙ୍ଗିଥିଲେ। ହେଲେ ସେତେବେଳକୁ ଦୀନେଶ ଘଟଣାସ୍ଥଳରୁ ଖସି ପଳାଇ ଗାଁ ବାହାରେ ଥିବା ଏକ ଗଛରେ ଝୁଲି ଆତ୍ମହତ୍ୟା କରିଥିଲେ। ଗୁରୁତର ଅବସ୍ଥାରେ ମୀନା ଓ ଅଂଶୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ମା ଓ ଝିଅ ସିନା ବଞ୍ଚି ଯାଇଛନ୍ତି, ହେଲେ ବାପା ଏବଂ ପୁଅଙ୍କ ଜୀବନ ଚାଲି ଯାଇଛି।
ଏଭଳି ଘଟଣା ଘଟାଇବା ପୂର୍ବରୁ ଦୀନେଶ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଏକ ମେସେଜ ପୋଷ୍ଟ କରିଥିଲେ। ଏଥିରେ ସେ ଫାରୁଖାବାଦର ସମସ୍ତ ଅଧିକାରୀ ଓ କାନପୁରର ଏକ ପ୍ରାଇଭେଟ୍ ଆନିମଲ୍ ଫିଡ୍ କମ୍ପାନୀ ବିରୋଧରେ ଅଭିଯୋଗ ଆଣିଥିଲେ। ସେମାନେ ତାଙ୍କୁ ହଇରାଣ କରୁଥିବା ଦୀନେଶ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପୋଲିସ୍ ଘଟଣାର ତଦନ୍ତ ଚଳାଇଛି।
ସମ୍ପର୍କୀୟଙ୍କ କହିବା ଅନୁସାରେ, କାନପୁରରେ ଥିବା ଏକ ଆନିମଲ୍ ଫିଡ୍ କମ୍ପାନୀ ଦୀନେଶଙ୍କ ୪୦ ଲକ୍ଷ ଟଙ୍କା ହଡ଼ପ କରିନେଇଥିଲା। ଯାହାକୁ ନେଇ ସେ ସବୁବେଳେ ଚିନ୍ତାରେ ରହୁଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)