ନୟାଗଡ଼/କୋଣାର୍କ: ନିର୍ବାଚନ ବେଳେ ମଦ ଓ ଟଙ୍କା ବାଣ୍ଟିବା ଅଭିଯୋଗରେ ୩ ଗିରଫ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ମୟୂରଝାଲିଆ ପଞ୍ଚାୟତରେ ମଦ ଓ ଟଙ୍କା ବଣ୍ଟାଯାଇଥିବା ଅଭିଯୋଗ ହୋଇଛି। ମୟୂରଝାଲିଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ କୁମାର କଳସ, ସମିତି ସଭ୍ୟ ପ୍ରାର୍ଥୀ ମନ୍ମଥ ତ୍ରିପାଠୀ, ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ସ୍ୱାମୀ ନଣ୍ଡା ମହାରଣା ଗତ ରାତିରେ ମୟୂରଝାଲିଆ ଗାଁରେ ମଦ ଓ ଟଙ୍କା ବାଣ୍ଟୁଥିବା ବେଳେ ଗ୍ରାମବାସୀ କାବୁ କରି ପୋଲିସ ଜିମା ଦେଇଥିଲେ।
ଚାନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କଠାରୁ ୧୦ ଲିଟର ମଦ ସହ ୨ଟି ବାଇକ୍ ଜବତ କରିଛି। ଗିରଫ ୨ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଏବଂ ୱାର୍ଡମେମ୍ବରଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି।
ସେହିପରି ନିର୍ବାଚନ ପୂର୍ବରୁ ଗତ ବିଳମ୍ବିତ ରାତ୍ରୀରେ ଚୋରା ଚାଲାଣ ହେଉଥିବା ମଦ ବୋଝେଇ ଟ୍ରାକ୍ଟରକୁ ଅଟକ ରଖି ପୋଲିସ ଜିମାଦେଲେ ଗ୍ରାମବାସୀ। ପୁରୀ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଏଡବାଂସ ଠାରେ ଥିବା ସରକାରୀ ମଦ ଦୋକାନରୁ ଏକ ଟ୍ରାକ୍ଟର ଯୋଗେ ବିପୁଳ ପରିମାଣର ବିଦେଶୀ ମଦ ଚାଲାଣ ବେଳେ ସ୍ଥାନୀୟ ଗ୍ରାମବାସୀ ମଦ ବୋଝେଇ ଗାଡି ସହ ଦୁଇଜଣଙ୍କୁ ଅଟକ ରଖିିଥିଲେ।
ଆଜି ସକାଳୁ ଅସ୍ତରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମଦ ବୋଝେଇ ଟ୍ରାକ୍ଟରକୁ ଜବତ କରିଛି ଟ୍ରାକ୍ଟରରେ ମଦ ଅଣାଯାଇ ଦେବୀ ନଦୀରେ ଡଙ୍ଗାରେ ପାର ହୋଇ ଅସ୍ତରଂଗର ଏକ ପଞ୍ଚାୟତକୁ ଯିବା ପୂର୍ବରୁ ଗ୍ରାମବାସୀ ମାନେ ଏହି ମଦ ବୋଝେଇ ଗାଡିକୁ ଅଟକାଇଥିଲେ ଜବତ ୬୦ ପେଟିରୁ ଅଧିକ ମଦର ଆନୁମାନିକ ମୂଲ୍ୟ ୩ରୁ ୪ଲକ୍ଷ ଟଙ୍କା ହେବ।