• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଣିପୁରରେ ପୁଣି ହିଂସାର ତାଣ୍ଡବ । ଇମ୍ଫାଲ ଇଷ୍ଟ ଜିଲ୍ଲାର ଖମେନଲୋକ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏଥି ସହିତ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ନୂଆ ମୃତକଙ୍କୁ ମିଶାଇ ମଣିପୁରରେ ଏବେସୁଦ୍ଧା ହିଂସାକାଣ୍ଡରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧୫ରେ ପହଞ୍ଚିଛି । କୁକି ଓ ମେଇତି ସମ୍ପଦ୍ରାୟ ମଧ୍ୟରେ ୩ ମାସରୁ ଅଧିକ ହେବ ଆରମ୍ଭ ହୋଇଥିବା ଏହି ହିଂସାକାଣ୍ଡ ଏବେ ପର୍ଯ୍ୟନ୍ତ ଥମିବାର ନାଁ ନେଉନି ।

ଇମ୍ଫାଲ ଇଷ୍ଟର ପୋଲିସ ଅଧୀକ୍ଷକଙ୍କ ସୂଚନା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ୧୦.୩୦ ସମୟରେ ଏହି ଘଟଣା ଘଟିଛି । ବିଳମ୍ବିତ ରାତ୍ରିରେ ଗୁଳିମାଡ଼ରେ ଜଣେ ମହିଳାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ସମୟରେ ଉଗ୍ରବାଦୀମାନେ ଖମେନଲୋକ ଅଞ୍ଚଳର ଅନେକ ଘରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି ।ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ଶରୀରରେ କ୍ଷତ ଏବଂ ବୁଲେଟ୍ ଚିହ୍ନ ଦେଖିବାକୁ ମିଳିଛି ।

କାହିଁକି ଜଳୁଛି ମଣିପୁର ?

ଗତ ଏପ୍ରିଲ ୧୯ ତାରିଖରେ ମଣିପୁରର ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ମଣିପୁରରେ ପ୍ରତିବାଦ କରାଯାଇଥିଲା । ଆଉ ପରେ ଏହାକୁ ନେଇ ହିଂସାକାଣ୍ଡ ଦେଖା ଦେଇଥିଲା । ଉତ୍ତ୍ୟକ୍ତ ଲୋକଙ୍କୁ ରୋକିବାକୁ ପୋଲିସ ଲୁହବୁହା ଗ୍ୟାସ ସହ ଲାଠି ଚାଳନା କରିଥିଲା । ..

୨୨ ହଜାର ୩୨୭ ବର୍ଗ କିଲୋମିଟର ପରିମିତ ମଣିପୁରର ୧୦ ପ୍ରତିଶତ ଘାଟି ଅଂଚଳ ହୋଇଥିବା ବେଳେ ୮୯ ପ୍ରତିଶତ ପାହାଡ ଅଂଚଳ । ସେଠାରେ ମୁଖ୍ୟତଃ ୩ଟି ସମ୍ପଦ୍ରାୟ ମେଇତି, ନାଗା ଓ କୁକି ରହିଥାନ୍ତି । ନାଗା ଓ କୁକି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ମିଳିଥିବା ବେଳେ ମେଇତିଙ୍କୁ ଏପର୍ଯ୍ୟନ୍ତ ଏହି ମାନ୍ୟତା ମିଳିନାହିଁ । କିନ୍ତୁ ମଣିପୁର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମେଇତି ସମ୍ପ୍ରଦାୟ ଏହି ମାନ୍ୟତା ପାଇଁ ଦାବି ଜୋର କରିଥିଲେ ।

ଅନ୍ୟପକ୍ଷରେ ନାଗା ଓ କୁକି ସମ୍ପ୍ରଦାୟ ଏହାକୁ ବିରୋଧ କରୁଛନ୍ତି । ମେଇତି ସମ୍ପ୍ରଦାୟ ମଣିପୁର ମୋଟ ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ । ମଣିପୁରରେ ଆଦିବାସୀମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ ରହିଛି । ପାହାଡ଼ିଆ ଅଂଚଳରେ କେବଳ ଆଦିବାସୀ ମାନେ ବସବାସ କରିପାରିବେ । ମେଇତି ସମ୍ପ୍ରଦାୟକୁ ଏହି ମାନ୍ୟତା ମିଳି ନଥିବାରୁ ସେମାନେ ପାହାଡିଆ ଅଂଚଳ ନୁହେଁ କେବଳ ଘାଟି ଅଂଚଳରେ ରହିପାରିବେ । ତେଣୁ ମେଇତି ସମ୍ପ୍ରଦାୟ ଦୀର୍ଘ ଦିନରୁ ଅନୁସୂଚିତ ଜନଜାତି ମାନ୍ୟତା ପାଇଁ ଦାବି କରି ଆସୁଛନ୍ତି । ...