• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଚାନକ ହ୍ୱାଟ୍ସଆପ୍‌କୁ ଆସିଲା ଭିଡିଓ କଲ୍ । ରିସିଭ୍‌ କରୁକରୁ ଭିଡିଓ କଲ୍‌ରେ ଥିବା ଜଣେ ଯୁବତୀ ଖୋଲିବାକୁ ଲାଗିଲେ ପୋଷାକ । ମୋବାଇଲ ଧରିଥିବା ଲୋକ ଏହା ଦେଖି ଛାନିଆ । ତରବର ହୋଇ କାଟିଦେଲେ କଲ । ଆଉ ଏହାର କିଛି ସମୟ ପରେ ଆସିଲା ଧମକ ପୂର୍ଣ୍ଣ କଲ ଆଉ ମେସେଜ । ସେଥିରେ କୁହାଗଲା ଟଙ୍କା ଦିଅ, ନଚେତ ତମ ଫଟୋ ଭିଡିଓ ଭାଇରାଲ ହେବ । ତମକୁ ବଦନାମ କରିଦିଆଯିବ । ପ୍ରଥମେ ନ୍ୟୁଡ୍ ଭିଡିଓ କଲ କରିଥିବା ଲୋକ ହିଁ ଏଭଳି ଧମକପୂର୍ଣ୍ଣ କଲ କରିଥିଲା । ଆଉ ଟଙ୍କା ମାଗିଥିଲା ।

ତେବେ ଏଭଳି କାହାଣୀ ଆପଣ ପୂର୍ବରୁ ବି ଶୁଣିଥିବେ । କାରଣ ସାଇବର ଲୁଟେରା ବା ଅପରାଧୀଙ୍କର ଏବେ ଏହା ଏକ ନୀତି ଦିନିଆ ଚାଲ ହୋଇଗଲାଣି । ଅନେକ ସମୟରେ ଏଭଳି ଖବର ସାମ୍ନାକୁ ଆସିଛି । ଲୋକଙ୍କର ଏଭଳି ଖବର ଶୁଣି ଶୁଣି ଦେହ ସୁହା ହେଲାଣି ।

ତେବେ ଏଥର ଆମେ ଯେଉଁ କଥା କହୁଛୁ ତାହା ଏହାଠାରୁ ଟିକେ ଭିନ୍ନ । କାହାଣୀ ସମାନ, ଢ଼ଙ୍ଗ ବି ସମାନ । ହେଲେ କଲ୍ ରିସିଭ କରିଥିବା ବ୍ୟକ୍ତ କିନ୍ତୁ ଏଥର କୌଣସି ଯୁବକ ନୁହଁନ୍ତି। ସେ ଜଣେ ୭୨ ବର୍ଷିୟ ବୃଦ୍ଧ । ତାଙ୍କ ପାଖକୁ ଆସିଥିଲା ଏଭଳି ନ୍ୟୁଡ୍ ଭିଡିଓ କଲ୍ । ଏହି ଜଣେ ବ୍ୟକ୍ତିଙ୍କୁ ନୁହେଁ, ଏଭଳି ପ୍ରାୟ ଦୁଇ ଜଣଙ୍କୁ କଲ ଆସିଥିବା ନେଇ ପୋଲିସ ନିକଟରେ ମାମଲା ରୁଜୁ ହୋଇଛି । ଦୁର୍ବୃତ୍ତ ଜଣକ ଉଭୟଙ୍କୁ ୨୩ ଲକ୍ଷ ଟଙ୍କା ଦେବାକୁ କହିଥିଲା । ଏହି ଟଙ୍କା ନଦେଲେ ଫଟୋ ଭିଡିଓ ଭାଇରାଲ କରି ବଦନାମ କରିଦେବେ ବୋଲି ଧମକ ଦେଇଥିଲା । କିନ୍ତୁ ମାମଲା ଏବେ ପୋଲିସ ହାତରେ । ମଙ୍ଗଳବାର ଏହି ଘଟଣା ଘଟିଛି । ହାଇଦ୍ରାବାଦ ନାରାୟଣଗୁଡ଼ା ସେପ୍ଟୁଆଗେନାରିଆନ୍‌ରୁ ଏହି ଘଟଣା ସାମ୍ନାକୁ ଆସିଛି । 

ତେବେ ଏହି କାହାଣୀରେ ଆଉ ଏକ ଛୋଟ ଟ୍ୱିଷ୍ଟ ରହିଛି । ପୋଲିସ ନିକଟରେ କରାଯାଇଥିବା ଅଭିଯୋଗ ଅନୁଯାୟୀ, ଭିଡିଓ କଲ ଆସିବା ପରେ ଯେତେବେଳେ ଯୁବତୀ ଜଣକ ନିଜର ପୋଷାକ ଖୋଲିବାକୁ ଲାଗିଲେ, ସେତେବେଳେ ସେ ଏପଟେ ଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଷାକ ଖୋଲିବାକୁ ପ୍ରବର୍ତ୍ତାଇଥିଲେ । ଆଉ ଯୁବତୀଙ୍କ କଥା ମାନି ବ୍ୟକ୍ତି ଜଣକ ବାଥ୍‌ରୁମ୍‌ ଯାଇ ନିଜର ପୋଷାକ ଖୋଲିଥିଲେ । ମାତ୍ର କେଇ ସେକେଣ୍ଡ ପରେ ଭିଡିଓ କଲ୍‌ଟି କଟିଯାଇଥିଲା । କଲ କଟିବାର କିଛି ସମୟ ପରେ ବ୍ୟକ୍ତିଙ୍କ ପାଖକୁ ତାଙ୍କ ନିଜର ହିଁ ନ୍ୟୁଡ୍‌ ଭିଡିଓ ଆସିଥିଲା । ଆଉ ତାଙ୍କୁ ବ୍ଲାକ୍‌ମେଲ୍‌ କରାଯାଇଥିଲା ।