• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରତାରଣା କରି ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଟାଙ୍ଗି ଦିଆଯାଇଛି । ୨୪ ଘଣ୍ଟା ମଧ୍ୟରେ ଦୁଇ ଦଳିତ ଭଉଣୀଙ୍କ ହତ୍ୟାକାଣ୍ଡର ସମାଧାନ ହୋଇଥିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଲଖିମପୁର ଖେରୀ ପୋଲିସ ଦାବି କରିଛି । ଦୁଇ ଦଳିତ ଭଉଣୀଙ୍କୁ ଫୁସୁଲେଇ ସାଥୀରେ ନେବା ପରେ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଆଉ ତା’ପରେ ଅପରାଧ ଲୁଚାଇବା ଉଦ୍ଦେଶ୍ୟରେ ଗଛରେ ଟାଙ୍ଗି ଦେଇଥିଲେ । ସେପଟେ ଜଣେ ଅଭିଯୁକ୍ତ ଜୁନୈଦ ପୋଲିସ ଏନକାଉଣ୍ଟରରେ ଆହତ ହୋଇଥିବା ସୂଚନା ମିଳିଛି ।

ଉତ୍ତରପ୍ରଦେଶର ଲଖିମପୁର ଖେରିରେ ଦୁଇ ନାବାଳିକା ଭଉଣୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି । ନିଘାସନ ଥାନା ଅଞ୍ଚଳର ଏକ ଗାଁରେ ଦଳିତ ପରିବାରର ଦୁଇ ଭଉଣୀଙ୍କ ମୃତଦେହ ଗତକାଲି ତାମୋଲିଆ ପୂର୍ବା ଗାଁର ଆଖୁ କିଆରି ପାଖରେ ଥିବା ଗୋଟିଏ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରିବା ପରେ ମାରିକି ଝୁଲାଇ ଦେଇଥିବା ପରିବାର ଓ ଗାଁ ଲୋକେ ଅଭିଯୋଗ କରିଥିଲେ ।

ଏସପି ସଞ୍ଜୀବ ସୁମନଙ୍କ ଅନୁସାରେ, ଦୁଇ ଭଉଣୀ ଉଭୟ ଅଭିଯୁକ୍ତ ସୋହେଲ ଏବଂ ଜୁନୈଦଙ୍କୁ ପୂର୍ବରୁ ଜାଣିଥିଲେ। ଉଭୟଙ୍କ ମଧ୍ୟରେ କମ୍‌ ଦିନ ପୂର୍ବରୁ ବନ୍ଧୁତା ହୋଇଥିଲା । ସେମାନେ ହିଁ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଛନ୍ତି । ଦୁଇ ଭଉଣୀ ବିବାହ ପାଇଁ ଚାପ ପକାଇବା ପରେ ସୋହେଲ ଏବଂ ଜୁନୈଦ୍‌ ମର୍ଡର ପ୍ଲାନ୍‌ କରିଥିଲେ । ଆଉ ତା’ପରେ ଯୋଜନା ମୁତାବକ ଅନ୍ୟ ଜଣେ ଅଭିଯୁକ୍ତ ହଫିଜୁଲ ସହ ମିଶି ଉଭୟଙ୍କୁ ହତ୍ୟା କରିଛନ୍ତି । ଏହା ପରେ ଆଉ ଦୁଇ ଜଣ ସହଯୋଗୀ କରିମୁଦ୍ଦିନ ଏବଂ ଆରିଫଙ୍କୁ ଡକାଇଥିଲେ ସୋହେଲ ଏବଂ ଜୁନୈଦ । ଆଉ ସେମାନେ ଉଭୟ ଭଉଣୀଙ୍କ ମୃତଦେହକୁ ଗଛରେ ଟାଙ୍ଗି ଦେଇଥିଲେ ।

ପୋଲିସର ଦାବିରୁ ସ୍ପଷ୍ଟ ହୋଇଛି, ଅଭିଯୁକ୍ତ ପ୍ରଥମେ ଉଭୟ ଭଉଣୀଙ୍କ ସହ ବନ୍ଧୁତା କରିବା ପରେ ଉଭୟଙ୍କ ବିଶ୍ୱାସ ଜିତିଥିଲେ । ​​ଏହା ପରେ ଦୁଷ୍କର୍ମ କରି ହତ୍ୟା ଭଳି ଜଘନ୍ୟ ଅପରାଧ ଘଟାଇଛନ୍ତି । ବର୍ତ୍ତମାନ ସୋହେଲ, ଜୁନୈଦ, ହଫିଜୁଲ, କରିମୁଦ୍ଦିନ ଏବଂ ଆରିଫଙ୍କ ସହ ଛୋଟୁକୁ ପୋଲିସ ଗିରଫ କରିଛି । ଦୁଇ ଭଉଣୀଙ୍କ ସହ ସୋହେଲ ଏବଂ ଜୁନୈଦଙ୍କୁ ଛୋଟୁ ସାକ୍ଷାତ କରାଇଥିବା ଅଭିଯୋଗ ହୋଇଛି ।

ତେବେ ପୋଲିସ୍‌ର ଦାବିକୁ ମୃତକଙ୍କ ପରିବାର ପକ୍ଷରୁ  ଖଣ୍ଡନ କରାଯାଇଛି । ହତ୍ୟାକାଣ୍ଡ ସମୟରେ ପୋଲିସ୍‌ ଘଟଣାସ୍ଥଳରେ ମହଜୁଦ୍‌ ନଥିଲା ବୋଲି କହିଛନ୍ତି ମୃତକଙ୍କ ଭାଇ । ସେମାନେ ଆସି ଦୁଇ ଭଉଣୀଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିବା ଅଭିଯୋଗ କରିଛନ୍ତି ।

ତେବେ ଏହାକୁ ନେଇ ଗାଁ ଲୋକେ କ୍ଷତିପୂରଣ ଓ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ପାଖରେ ରାସ୍ତା ଅବରୋଧ କରିଥିଲେ । ଏନେଇ ଆଇଜି ଲକ୍ଷ୍ମୀ ସିଂହ ଓ ଲଖିମପୁର ଖେରି ଏସପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଘଟଣାକୁ ନେଇ ବିଏସପି ଓ ଏସପି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଯୋଗୀ ସରକାରଙ୍କ ଅମଳରେ ମା ଓ ଭଉଣୀମାନେ ନିର୍ଯାତନାର ଶିକାର ହେଉଛନ୍ତି ବୋଲି ଏସପି ନେତା ଅଖିଳେଶ ଯାଦବ କହିଛନ୍ତି ।