• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଥାରେ ଅଛି ରଖେ ହରି ତ ମାରେ କିଏ..ମାରେ ହରି ତ ରଖେ କିଏ । ଉତ୍ତରାଖଣ୍ଡର ଡେରାଡୁନ ସହରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ବନ୍ଦ ଘର ଭିତରୁ ଏକ ଦମ୍ପତିଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କର ନବଜାତ ଶିଶୁପୁତ୍ରକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁକୁ ପ୍ରାୟ ତିନି ଦିନ ହୋଇ ସାରିଥିବା ବେଳେ ମୃତଦେହ ସମ୍ପୂର୍ଣ୍ଣ ଭାବେ ପଚି ଯାଇଥିଲା । ତଥାପି ୬ ଦିନର ଶିଶୁଟି ୩ ଦିନ ଧରି ତା’ ବାପାମା’ଙ୍କ ମୃତଦେହ ମଝିରେ ଜୀବିତ ରହିଥିଲା ।

ଡେରାଡୁନରେ ରହୁଥିଲେ ମୃତ ଦମ୍ପତି ହେଲେ କାଶିଫ (୨୫) ଓ ଅନମ (୨୨)। ସେମାନେ ଉତ୍ତରପ୍ରଦେଶର ସହାରନପୁରର ମୂଳ ବାସିନ୍ଦା । ଜୁନ ୧୩ ତାରିଖରେ ପୋଲିସ କଣ୍ଟ୍ରୋଲ ରୁମକୁ ଏକ କଲ୍‌ ଆସିଥିଲା । ସହରର ଟର୍ଣ୍ଣର ରୋଡ ସ୍ଥିତ ଏକ ଘରେ କେହି ମରି ପଡ଼ିଥିବା ସନ୍ଦେହ କରି ପଡୋଶୀ ପୋଲିସକୁ ଜଣାଇଥିଲେ । କାରଣ ସେହି ଘରୁ ତୀବ୍ର ଦୁର୍ଗନ୍ଧ ଆସୁଥିଲା । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି କାଶିଫ ଘରର କବାଟ ଭାଙ୍ଗି ଭିତରେ ପଶିଥିଲା ।

ଘର ଭିତରେ କାଶିଫ ଓ ତାଙ୍କ ପତ୍ନୀଙ୍କ ମୃତଦେହ ପଡ଼ିଥିଲା । ଉଭୟେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୁଇ ମୃତଦେହ ମଧ୍ୟରେ ଶିଶୁ ପୁତ୍ରଟି ଥିଲା । ସେ ଜୀବିତ ଥିଲା । ଏତେ କୁନି ପିଲାଟି ମା’ କ୍ଷୀର ନଖାଇ ବି କିପରି ଏତେ ଦିନ ବଞ୍ଚିଛି, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପିଲାଟିକୁ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଥିଲା। ଏତେ ଦିନ କିଛି ଖାଇ ନଥିବାରୁ ତା’ ଶରୀରରୁ ଜଳୀୟ ଅଂଶ କମି ଯାଇଥିଲା । ତେବେ ଡାକ୍ତରଖାନାରେ ଆବଶ୍ୟକୀୟ ଚିକିତ୍ସା ପରେ ଶିଶୁଟି ଏବେ ସୁସ୍ଥ ଅଛି । ତଥାପି ତାକୁ ଆଇସିୟୁରେ ରଖାଯାଇଛି ।

ପୋଲିସ୍‌ ସୂଚନା ଅନୁସାରେ, ପ୍ରାୟ ବର୍ଷେ ତଳେ କାଶିଫ ଓ ଅନାମଙ୍କ ବିବାହ ହୋଇଥିଲା । ମାତ୍ର ୪ ମାସ ତଳେ ସେମାନେ ଡେରାଡୁନ ଆସିଥିଲେ। ସେମାନେ ଟର୍ନର ରୋଡ୍ ପାଖରେ ଏକ ଭଡ଼ା ଘରେ ରହୁଥିଲେ । କାଶିଫ ଜଣେ କ୍ରେନ୍ ଅପରେଟର ଥିବା ବେଳେ ତାଙ୍କ ସ୍ତ୍ରୀ ଜଣେ ଗୃହିଣୀ ଥିଲେ । ଜୁନ୍ ମାସରେ ହିଁ ସେମାନଙ୍କର ଏକ ପୁଅ ହୋଇଥିଲା । ହେଲେ କେଉଁ କାରଣରୁ ସେମାନେ ଆତ୍ମହତ୍ୟା ପରି ରାସ୍ତା ବାଛି ନେଇଛନ୍ତି, ସେସମ୍ପର୍କରେ ପୋଲିସ୍‌ ଛାନଭିନ୍ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ।