/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661232453.jpg)
Maoist Militia Surrender
ନକ୍ସଲଙ୍କ ହାତ ଛାଡ଼ି ବିକାଶ ରାସ୍ତାରେ ସ୍ୱାଭିମାନ ଅଞ୍ଚଳବାସୀ । ଗତକାଲି ଗୋଟିଏ ଦିନରେ ମାଲକାନାଗିରିର ବଡ଼ାପଡ଼ା ଥାନା ଅନ୍ତର୍ଗତ ରାଲେଗାଡ଼ା ଓ ଧୂଳିପୁଟ ପଞ୍ଚାୟତର ୧୫୦ରୁ ଊର୍ଦ୍ଧ୍ୱ ମାଓ ସମର୍ଥକ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି । କେବଳ ସେତିକି ନୁହେଁ ଏହି ଅବସରରେ ସେମାନେ ମାଓବାଦୀଙ୍କ ସହିଦ୍ ସ୍ତମ୍ଭକୁ ଭାଙ୍ଗିବା ସହ ସ୍ୱାଭିମାନ ଅଞ୍ଚଳରେ ପରିବର୍ତ୍ତନ ଧାରାର ବଡ଼ ସଂକେତ ଦେଇଛନ୍ତି ।
ଭୁଶୁଡୁଛି ଲାଲ୍ଗଡ଼ । ଯେଉଁ ହାତ ଦିନେ ମାଓବାଦୀଙ୍କ ପାଇଁ ସହିଦ୍ ସ୍ତମ୍ଭ ତିଆରି କରିଥିଲା, ମିଳିମିଶି ସେଇସବୁ ହାତ ଏବେ ଭାଙ୍ଗୁଛନ୍ତି ଆତଙ୍କର ଦୁର୍ଗ । ମାଓ ଇଲାକାରେ ବଦଳୁଥିବା ପରିବର୍ତ୍ତନର ଏହି ରଙ୍ଗ ମାଲକାନାଗିରିର ସ୍ୱାଭିମାନ ଅଞ୍ଚଳର । ଜଣେ କି ଦୁଇ ଜଣ ନୁହେଁ, ଏକାଥରେ ଆଜି ଗୋଟିଏ ଦିନରେ ଦେଢ଼ଶହରୁ ଅଧିକ ମାଓ ସମର୍ଥକ ବା ମିଲିସିଆ ପୋଲିସ୍ ଓ ବିଏସ୍ଏଫ୍ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ଶପଥ ନେଇଛନ୍ତି । ଆଉ ବିକାଶ ରାସ୍ତାରେ ସାମିଲ ହେବା ଖୁସିରେ କିଏ ନକ୍ସଲଙ୍କ କୁଶପୁତ୍ତଳିକାରେ ନିଆଁ ଲଗାଉଥିଲେ ତ କିଏ ଭାଙ୍ଗି ମାଟିରେ ମିଶାଉଥିଲେ ମାଓ ଆତଙ୍କର ଚିହ୍ନ ।
ଗୁରୁପ୍ରିୟା ସେତୁ ଉଦ୍ଘାଟନ ପରେ ବିଚ୍ଛିନ୍ନାଞ୍ଚଳକୁ ନୂଆ ନାଁ ମିଳିବା ପରଠୁ ଦ୍ରୁତ ଗତିରେ ବଦଳୁଛି ସ୍ୱାଭିମାନ ଅଞ୍ଚଳ । ଗୋଟିକ ପରେ ଗୋଟିଏ ଲାଲ୍ କ୍ୟାମ୍ପ ସ୍ଥାନରେ ବିଏସ୍ଏଫ୍ କ୍ୟାମ୍ପ ଠିଆ ହେବାରେ ଲାଗିଛି । ଲାଲ୍ଝଣ୍ତା ଜାଗାରେ ଫର ଫର ତ୍ରିରଙ୍ଗା ଉଡ଼ୁଥିବାର ଦେଖିବାକୁ ମିଳିଥିଲା । ଆଗରୁ ଯେଉଁମାନେ ବାଧ୍ୟ ବାଧକତାରେ ମାଓବାଦୀଙ୍କୁ ସମର୍ଥନ କରୁଥିଲେ, ହିଂସାର ରାସ୍ତାକୁ ବାଛିଥିଲେ । ଆଜି ସୁରକ୍ଷାକର୍ମୀଙ୍କ ବହୁଳ ଉପସ୍ଥିତିରୁ ବଳ ଓ ଭରସା ପାଇ ଧିରେ ଧିରେ ଏବେ ସେମାନେ ବିକାଶ ରାସ୍ତାକୁ ଫେରୁଛନ୍ତି । ଆଉ ସେ ସବୁର ପ୍ରମାଣ ଗତକାଲି ସ୍ପଷ୍ଟ ହୋଇଯାଇଛି । ଗଲା ଅଗଷ୍ଟ ୧୫ରେ ସ୍ୱାଭିମାନ ଅଞ୍ଚଳର ଅଧିକାଂଶ ସହିଦ୍ ସ୍ତମ୍ଭରେ ସ୍ଥାନୀୟ ଲୋକେ ଓ ସୁରକ୍ଷାକର୍ମୀ ତ୍ରିରଙ୍ଗା ଉଡ଼ାଇ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିଥିଲେ ।
ଗୁରୁପ୍ରିୟା ସେତୁ ପାଖ ବିଏସ୍ଏଫ୍ କ୍ୟାମ୍ପ ନିକଟରେ ବିଏସ୍ଏଫ୍ ଡିଆଇଜି ଏସ୍.କେ.ସିହ୍ନା ଓ ମାଲକାନାଗିରିର ଏସ୍ପି ନୀତେଶ ୱାଧୱନିିଙ୍କ ଉପସ୍ଥିତିରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ବଡ଼ାପଡ଼ା ଥାନା ଅନ୍ତର୍ଗତ ରାଲେଗାଡ଼ା ଧୂଳିପୁଟ ପଞ୍ଚାୟତର ସମସ୍ତ ଘରବାହୁଡ଼ାଙ୍କୁ ସ୍ୱାଗତ କରି କିଛି ଉପହାର ଓ ଦୈନନ୍ଦିନ ସାମଗ୍ରୀ ବି ବଣ୍ଟା ଯାଇଥିଲା ।
ମାଓ ସମର୍ଥକଙ୍କ ଆତ୍ମସମର୍ପଣ ନେଇ ଓଡ଼ିଶା ପୋଲିସ୍ର ଟୁଇଟ୍ ପେଜ୍ରେ ଦର୍ଶାଯାଇଛିୱ ଯେ, ଗତ ଜୁନ୍ ୧୧ ତାରିଖରେ ୨୯୫ ଜଣ ମାଓ ସମର୍ଥକଙ୍କ ପରେ ଆଜି ରାଲେଗଡ଼ା ଗ୍ରାମପଞ୍ଚାୟତରୁ ୫ ଶହ ଜଣ ମାଲକାନାଗିରି ପୋଲିସ୍ ବିଏସ୍ଏଫ୍ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି ।
ରିପୋର୍ଟର- ରତ୍ନାକର ପ୍ରଧାନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)