Astrospeak
  • Live TV
  • Read In English

Action aganst Corrupt Officials: ଦୁର୍ନୀତିଖୋର୍‌ଙ୍କୁ ସରକାରୀ ଛାଟ, ୫ ବର୍ଷରେ ୧୫୯ ବାବୁ ବିଦା

ଦୁର୍ନୀତି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ ବର୍ଷରେ ଚାକିରି ହରାଇଛନ୍ତି ୧୫୯ ଜଣ ସରକାରୀ ବାବୁ । ୩୯ ଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

159 corrupt officials dismissed
ଦୁର୍ନୀତି ବିରୋଧରେ ଆକ୍ସନ

ଦୁର୍ନୀତି କଲେ କଡ଼ା କାର୍ଯ୍ୟାନୁଷ୍ଠାନ । ଚାକିରିରୁ ବିଦା ହେବେ ସରକାରୀ ବାବୁ । ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୫ ବର୍ଷରେ ଚାକିରି ହରାଇଛନ୍ତି ୧୫୯ ଜଣ ସରକାରୀ ଅଧିକାରୀ । ୧୨୦ ଜଣ ସରକାରୀ ଅଫିସର ଓ କର୍ମଚାରୀମାନଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ୩୯ ଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ସେମାନଙ୍କଠାରୁ ଜବତ ହୋଇଛି ୫୯ କୋଟି ୪୭ ଲକ୍ଷ ୮୪ ହଜାର ୯୮୧ ଟଙ୍କା । ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

ଅଧିକ ପଢ଼ନ୍ତୁ: କୋଠା, ଗାଡ଼ି ଥାଇ ବି 'ଗରିବ' ବ୍ଲକ ଅଧ୍ୟକ୍ଷା; ୪ ବର୍ଷ ହେଲା ନେଉଛନ୍ତି ରାସନ ଚାଉଳ

ସେହିପରି ଆଉ ଏକ ଲିଖିତ ପ୍ରଶ୍ନରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ୨୦୧୪ରୁ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଭିଜିଲାନ୍ସରେ ୩୬୨୩ ଦୁର୍ନୀତି ନିବାରଣ ମାମଲା ପଞ୍ଜୀକରଣ ହୋଇଛି । ସେଥିମଧ୍ୟରୁ ୨୫୫୩ ମାମଲା ଫଇସଲା ହୋଇଛି । ୯୩୯ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୦୫୩ଟି ମାମଲାରେ ଅଭିଯୁକ୍ତ ଦୋଷ ମୁକ୍ତ ହୋଇଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ନିକଟରେ ଯାଜପୁରର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଥିଲା । ଭିଜିଲାନ୍ସ ଜାଲେରେ ଫଶି ଯାଇଥିଲେ ଇଞ୍ଜିନିୟର ବାବୁ । ଇଞ୍ଜିନିୟର ବାବୁ ଭୀମସେନ ମହାରଣାଙ୍କ ଘରେ ଚାଲୁଥିଲା ଦୁଇଟି ଫ୍ୟାକ୍ଟ୍ରି । ତାଙ୍କ ବଙ୍ଗଲା ପରିସରରେ ପାଣି ଫ୍ୟାକ୍ଟ୍ରି ଓ ଏକ ବଡ଼ ଫର୍ଣ୍ଣିଚର ଫ୍ୟାକ୍ଟ୍ରି ରହିଥିଲା । ଯେଉଁଠି ବହୁ ମୂଲ୍ୟବାନ କାଠ ଜବତ ହୋଇଥିଲା । 

ସେହିପରି ଭୁବନେଶ୍ବର ବାଲିଅନ୍ତାରେ ଥିବା ବାବୁଙ୍କ ଆଲିଶାନ୍ ବଙ୍ଗଲାରେ ରେଡ୍ ବେଳେ ମିଳିଥିଲା ୯୮ ହଜାରରୁ ଅଧିକ ନଗଦ ଟଙ୍କା ଓ ୨୦୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଯାହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ । ୩୧ ଲକ୍ଷ ୮୦ ହଜାର ଟଙ୍କାର ଡିପୋଜିଟ ଓ ବ୍ୟାଙ୍କ ବାଲାନ୍ସ, ୧୦ ଲକ୍ଷ ଟଙ୍କାର ଇନସୁରାନ୍ସ ଏବଂ ୯ଟି ଗାଡି ମିଳିଥିଲା । ଏହିପରି ରାଜ୍ୟରେ ଅନେକ ଦୁର୍ନୀତିଖୋର୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି ।

ଅଧିକ ପଢ଼ନ୍ତୁ: ସରକାରୀ ବାବୁଙ୍କ ଏତେ ସମ୍ପତ୍ତି ! ଘର ଦେଖି ଭିଜିଲାନ୍ସ ଟେରା...