• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାବଧାନ ! ଭୁବନେଶ୍ୱର ଏମ୍ସରେ ମାତିଛନ୍ତି ଦଲାଲ । ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା । ଆଜି ଏମିତି ଏକ ୧୩ ଜଣିଆ ଦଲାଲ୍ ରାକେଟକୁ କାବୁ କରିଛି କମିଶନରେଟ୍ ପୋଲିସ୍ । ଖାଲି ଏମ୍ସ କାହିଁକି କିଛି ମାସ ଭିତରେ ଏସସିବି ଓ ଏମକାସିଜିରୁ ବି ଧରା ପଡ଼ିଛନ୍ତି ଗଣ୍ଡା ଗଣ୍ଡା ଦଲାଲ । ରାଜ୍ୟର ସବୁ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ଦଲାଲଙ୍କ ପ୍ରଦୂର୍ଭାବ ଥିବା ସନ୍ଦେହକୁ ଏହା ଘନୀଭୂତ କରୁଛି ।

ସାବଧାନ ! ଭୁବନେଶ୍ୱର ଏମ୍ସରେ ମାତିଛନ୍ତି ଦଲାଲ । ଦଲାଲଙ୍କ ଜାଲରେ ଫସୁଛନ୍ତି ନିରୀହ ରୋଗୀ । ପଶ୍ଚିମବଙ୍ଗ ଦଲାଲଙ୍କ ସହ ସ୍ଥାନୀୟ ଯୁବକଙ୍କ ସହଯୋଗରେ ଚାଲୁଛି ଏହି ରାକେଟ୍ । ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କଠୁ ନିଆଯାଉଛି ୪ରୁ ୫ ହଜାର ଟଙ୍କା । ଆଉ ଆଜି ଏମିତି ଏକ ଦଲାଲ ରାକେଟକୁ କାବୁ କରିଛି ଖଣ୍ଡଗିରି ଥାନା ପୋଲିସ । ଏମ୍ସ ଅଧିକାରୀଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ୧୩ ଜଣ ଦଲାଲଙ୍କୁ କାବୁ କରିଥିଲା । ଗିରଫ ଦଲାଲଙ୍କ ମଧ୍ୟରେ କିଛି ବଙ୍ଗୀୟ ଯୁବକ ରହିଛନ୍ତି । ତେବେ ରାକେଟର ମାଷ୍ଟରମାଇଣ୍ଡ ଫେରାର ହୋଇଯାଇଛି । ଗିରଫ ଦଲାଲଙ୍କ ବିରୋଧରେ ପୋଲିସ ୪୧୯, ୪୨୦, ୨୯୪, ୩୫୩, ୫୦୬ ଭଳି ସଙ୍ଗୀନ ଦଫା ଲଗାଇଛି ।

ନିରୀହ ରୋଗୀଙ୍କୁ କିଭଳି ଫସାଉଥିଲେ ଦଲାଲ ? କେଉଁ ରୋଗୀଙ୍କୁ କରୁଥିଲେ ଟାର୍ଗେଟ ? ଉତ୍ତମ ଚିକିତ୍ସା ସେବା ପାଇଁ ଏମ୍ସକୁ ବହୁ ଦୂରଦୂରାନ୍ତରୁ ରୋଗୀ ଆସିଥାନ୍ତି । ଅନେକ ସମୟରେ ଟିକେଟ୍ ଖଣ୍ଡେ ପାଇବାକୁ ରୋଗୀଙ୍କୁ ଦୁଇରୁ ତିନି ଦିନ ଅପେକ୍ଷା କରିବାକୁ ପଡ଼େ । ଏପରିକି ଟିକେଟ୍ ଲାଗି ରୋଗୀଙ୍କ ସମ୍ପର୍କୀୟଙ୍କୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଠିଆ ହେବାକୁ ପଡ଼ିଥାଏ । ଆଉ ଏହାର ସୁଯୋଗ ନେଇଥାନ୍ତି ଦଲାଲ । ରୋଗୀଙ୍କ ସମ୍ପର୍କୀୟଙ୍କୁ ଠକିବା ଲାଗି ପ୍ରସ୍ତୁତ କରନ୍ତି ବ୍ଲୁ ପ୍ରିଣ୍ଟ । ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଚକ୍କରରେ ଏମାନଙ୍କ ଜାଲରେ ଫସି ବି ଯାଆନ୍ତି । କିଛି ବିଚାର ନ କରି ଟେକିଦିଅନ୍ତି ମୋଟା ଅଙ୍କ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରୋଗୀ ଫସିବା ପରେ ଦଲାଲ ଗ୍ୟାଙ୍ଗର କିଛି ସଦସ୍ୟ କଳେବଳେ କୌଶଳେ ଲାଇନୀ ଆଗରେ ଛିଡ଼ା ହୋଇ ଟିକେଟ୍ ନେଇ ଆସିଥାନ୍ତି । ଆଉ ଏଇ ଟିକେଟକୁ ଚଢ଼ା ଦରରେ ରୋଗୀଙ୍କୁ ବିକି ଦିଅନ୍ତି ।

କେବଳ ଏମ୍ସ ନୁହେଁ, ଅକ୍ଟୋବର ୧୮ ତାରିଖରେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜରୁ ବି ୭ ଜଣ ଦଲାଲ ଗିରଫ ହୋଇଥିଲେ । ଖୋଦ୍ ବ୍ରହ୍ମପୁର ଏସପିଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଟିମ୍ ସାଧା ପୋଷାକରେ ଅଚାନକ ଚଢ଼ାଉ କରି ଏମକେସିଜିର ଦଲାଲଙ୍କୁ କବଜା କରିଥିଲେ । ଏହି ଦଲାଲମାନେ କମ୍ ପଇସାରେ ସିଟି ସ୍କାନ୍ ଓ ଅଲଟ୍ରାସାଉଣ୍ଡ କରାଦେବା ବାହାନାରେ ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ପଠାଉଥିଲେ । ଏହା ପୂର୍ବରୁ ମେ ୨୬ ତାରିଖରେ କଟକସ୍ଥିତ ଏସସିବି ମେଡିକାଲ କଲେଜରୁ ବି ୬ ଜଣ ଦଲାଲଙ୍କୁ ପୁଲିସ ଧରିଥିଲା ।

ରାଜ୍ୟର ସବୁ ପ୍ରମୁଖ ସରକାରୀ ଚିକିତ୍ସାଳୟ ଏବେ ଦଲାଲଙ୍କ କବଜାରେ ବୋଲି ଅଭିଯୋଗ ହେଉଛି । ଶସ୍ତାରେ ଓ ସୁବିଧା ଚିକିତ୍ସା ଆଶାରେ ଏଠାକୁ ଆସୁଥିବା ରୋଗୀ ଓଲଟା ଦଲାଲଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି । ଏଣୁ ଦଲାଲଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହେଉଛି ।