• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୧୦ ଲକ୍ଷ ପଠାଅ, ସ୍ୱାମୀକୁ ନେଇଯାଅ । ଜଣେ ଯୁବ ବ୍ୟବସାୟୀଙ୍କୁ କିଡନ୍ୟାପ୍ କରି ପତ୍ନୀଙ୍କୁ ଦୁର୍ବୃତ୍ତଙ୍କ ଘନ ଘନ ଅଡ଼ିଓ-ଭିଡ଼ିଓ କଲକୁ ନେଇ ଭୁବନେଶ୍ୱରରେ ହଇଚଇ । ଅପହୃତଙ୍କ ପତ୍ନୀଙ୍କ ଅଭିଯୋଗ, କାର୍ ଭିତରେ ସ୍ୱାମୀଙ୍କୁ ମାଡ଼ ମାରୁଛନ୍ତି । ତା’ସହ କଲ୍ କରି ବାରମ୍ବାର ଟଙ୍କା ମାଗିବାରୁ ଆକାଉଣ୍ଟରେ ୨ ଲକ୍ଷ ଦେଇସାରିଥିବା କହିଛନ୍ତି । ହେଲେ ଘଟଣାକୁ ପ୍ରାୟ ୨୪ ଘଣ୍ଟା ହୋଇଗଲାଣି । ପୋଲିସ କିନ୍ତୁ ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚିନଥିବାବେଳେ ଅପହରଣ ଅଭିଯୋଗକୁ ନେଇ ନାନା ଚର୍ଚ୍ଚା ହେଉଛି ।

ରାଜଧାନୀ ଭୁବନେଶ୍ୱରରେ ଯୁବ ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗକୁ ନେଇ ହଇଚଇ । ଖଣ୍ଡଗିରି ପାତ୍ରପଡ଼ାର ଯୁବ ବ୍ୟବସାୟୀ ଶଙ୍କର୍ଷଣ ଦାସଙ୍କୁ କିଡନ୍ୟାପ୍ ଅଭିଯୋଗକୁ ନେଇ ଚାଞ୍ଚଲ୍ୟ । କାର୍ ଭିତରେ ବସାଇ ଦୁର୍ବୃତ୍ତ ଘୁରିବୁଲୁଛନ୍ତି ଏଣେତେଣେ । ଅପହୃତଙ୍କ ପତ୍ନୀଙ୍କୁ ଅଡ଼ିଓ ଏବଂ ଭିଡ଼ିଓ କଲ୍ କରୁଛନ୍ତି ବାରମ୍ବାର । LIVE VIDEO CALL ରେ ମାଡ଼ ମାରି ମାଗୁଛନ୍ତି ଟଙ୍କା । କହୁଛନ୍ତି, ୧୦ ଲକ୍ଷ ଟଙ୍କା ପଠାଅ, ତମେ ତମ ସ୍ୱାମୀଙ୍କୁ ନେଇଯାଅ । ଶଙ୍କର୍ଷଣଙ୍କ ପତ୍ନୀଙ୍କ କହିବା କଥା, ସ୍ୱାମୀକୁ କାର୍ ଭିତରେ ମାଡ଼ ମାରି ଲହୁଲୁହାଣ କରୁଥିବାରୁ ଭୟରେ ଇତିମଧ୍ୟରେ ଦୁର୍ବୃତ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨ ଲକ୍ଷ ଟଙ୍କା ପଠାଇ ସାରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଶଙ୍କର୍ଷଣ ନିଜର ୨-୪ଟି ଗାଡ଼ିକୁ ଏକ କ୍ୟାବରେ ଲଗାଇଛନ୍ତି । ଶଙ୍କର୍ଷଣଙ୍କ ପତ୍ନୀ ରୋଜିଙ୍କ କହିବା କଥା, ଗତ ରାତି ପ୍ରାୟ ୮ଟାରେ ତାଙ୍କ ଗାଡ଼ିର ଡ୍ରାଇଭର ସହ ସ୍ୱାମୀ ଶଙ୍କର୍ଷଣ ଘର ବାହାରେ ଛିଡ଼ା ହୋଇଥିବାବେଳେ ୪ ଦୁର୍ବୃତ୍ତ ହଠାତ ନାଲିରଙ୍ଗର I-20 କାରରେ ଆସି ଶଙ୍କର୍ଷଣଙ୍କୁ ଉଠାଇ ନେଇଯାଇଥିଲେ । ଏ ସଂପର୍କରେ ପ୍ରତ୍ୟକ୍ଷଦର୍ଶୀ ଡ୍ରାଇଭରଙ୍କ ଠାରୁ ସୂଚନା ପାଇବା ପରେ ଶଙ୍କର୍ଷଣଙ୍କ ପତ୍ନୀ ଖଣ୍ଡଗିରି ଥାନାକୁ ଯାଇ ଏତଲା ଦେଇଛନ୍ତି । ଅଥଚ ପୋଲିସ କୌଣସି ଆକ୍ସନ ନେଇନଥିବା କହିଛନ୍ତି ଶଙ୍କର୍ଷଣଙ୍କ ପତ୍ନୀ ।

ତେବେ ପ୍ରଶ୍ନ ଉଠୁଛି, ବାସ୍ତବରେ ଟଙ୍କା ପାଇଁ ଶଙ୍କର୍ଷଣଙ୍କୁ ଅପହରଣ କରାଯାଇଛି ନା ଅପହରଣ ଅଭିଯୋଗ ପଛରେ ରହିଛି ଭିନ୍ନ କାରଣ ? ସାଧାରତଃ ଅପହରଣକାରୀମାନେ କାହାକୁ ମୁଣ୍ଡ ଜାମିନ୍ ରଖିଲେ ଧରାପଡ଼ିଯିବା ଆଶଙ୍କାରେ ଘନ ଘନ VIDEO CALL କରନ୍ତିନି । କିନ୍ତୁ ଶଙ୍କର୍ଷଣଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟୁଛି କେମିତି ? ଅପହରଣକାରୀ କେମିତି ଆଶା ରଖିଛନ୍ତି, ସାଧାରଣ ବ୍ୟବସାୟୀ ଶଙ୍କର୍ଷଣଙ୍କୁ କିଡନ୍ୟାପ୍ କଲେ ୧୦ ଲକ୍ଷ ଟଙ୍କା ମିଳିଯିବ ବୋଲି ? ଅର୍ଥାତ ଶଙ୍କର୍ଷଣ ଏବଂ ଅପହରଣକାରୀ ପୂର୍ବରୁ ଚିହ୍ନା ପରିଚିତ କି ? ଯଦି ହଁ, ତେବେ କୌଣସି ବ୍ୟାବସାୟିକ ବିବାଦରୁ ଉଠିନି ତ ଅପହରଣ ଅଭିଯୋଗ ? ଖଣ୍ଡଗିରି ପୋଲିସ ଏ ସଂପର୍କରେ ଏକ ମାମଲା ରୁଜୁ କରିବା ସହ ଏସବୁ ସମ୍ଭାବ୍ୟ ଦିଗକୁ ଧରି ତଦନ୍ତ ଚଳାଇଛି ।

ତେବେ ଅପହରଣ ଅଭିଯୋଗ ପଛର କାରଣ ଯାହା ବି ଥାଉନା କାହିଁକି, ରାଜଧାନୀରେ ଏଭଳି& ଘଟଣାକୁ ନେଇ ଲାଗିରହିଛି ହଇଚଇ ।