ଓଡ଼ିଶାରେ କରୋନା ଭୟ ନାହିଁ, ତଥାପି ସତର୍କ ରହିବାକୁ ପରାମର୍ଶ

ଯେଉଁଠି କ୍ଲଷ୍ଟର ଆଉଟବ୍ରେକ ହେଉଛି, କଣ୍ଟାକ୍ଟ ଟ୍ରେସିଂ ସହ ଆଇସୋଲେଟ କରି ଟ୍ରିଟ୍‌ମେଣ୍ଟ କରିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Niranjan Mishra

ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ଆତଙ୍କିତ ହେଲା ଭଳି ସ୍ଥିତି ନାହିଁ । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ତେବେ କାଶ ଥଣ୍ଡା କିମ୍ବା ଜ୍ୱର ହେଲେ ଲୋକେ ନିଜକୁ ଆଇସୋଲେଟ କରିବା ସହ ଟେଷ୍ଟିଂ କରାଇ ନିଅନ୍ତୁ । ବର୍ତ୍ତମାନ ରାଜ୍ୟରେ ୧୦ ହଜାର ଟେଷ୍ଟରୁ ୨୫ଜଣଙ୍କ ପଜିଟିଭ ବାହାରୁଛି । ରାଜ୍ୟରେ ପଜିଟିଭିଟି ହାର 0.05 ପ୍ରତିଶତ ପାଖାପାଖି ରହୁଛି । ଯେହେତୁ ଭାଇରସ ଅଛି, ସଂକ୍ରମଣ ବି ଅଛି । ସଂକ୍ରମଣ ତଳ ଉପର ହେବ, କେଉଁଠି ବଢିବ ତ କେଉଁଠି କମିବ । ମୁଖ୍ୟ କଥା ହେଉଛି, କେତେ ଲୋକ ଗୁରୁତର ହେଉଛନ୍ତି ଓ ଡାକ୍ତରଖାନା ଯାଉଛନ୍ତି । ସେ ସଂଖ୍ୟା ନିଶ୍ଚିତ ଭାବେ କମୁଛି । ଯେଉଁଠି କ୍ଲଷ୍ଟର ଆଉଟବ୍ରେକ ହେଉଛି, କଣ୍ଟାକ୍ଟ ଟ୍ରେସିଂ ସହ ଆଇସୋଲେଟ କରି ଟ୍ରିଟ୍‌ମେଣ୍ଟ କରିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଅନ୍ୟପଟେ ଗତ ସପ୍ତାହେ ହେଲା ୨ ଅଙ୍କ ଭିତରେ ରହୁଛି ରାଜ୍ୟର କରୋନା ସଂକ୍ରମଣ ସଂଖ୍ୟା । କିନ୍ତୁ ଗତକାଲି ସାମାନ୍ୟ ବଢିଥିଲା । ଦେଶର ବିଭିନ୍ନ ରାଜ୍ୟରେ ଯେଉଁଭଳି ସଂକ୍ରମଣ ବଢୁଛି ତାକୁ ଦେଖି ଆମକୁ ସତର୍କତାମୂଳକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଥିଲେ । 

ଏହାସହ ସେ କହିଥିଲେ ଯେ, ‘ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଯେଉଁଭଳି ସର୍ଭିଲାନ୍ସ ଚାଲିଛି । ଟେଷ୍ଟିଂ ଚାଲିଛି ତାକୁ ବଢ଼େଇବା ପାଇଁ କୁହାଯାଇଛି । ଲୋକଙ୍କୁ ଆମେ ଅପିଲ କରୁଛୁ ଯେଉଁ ମାନଙ୍କର ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ ।’ ଭିଡ଼କୁ କମାଇବାକୁ ମଧ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

ସେ ଆହୁରି କହିଥିଲେ ଯେ, ‘ଲୋକେ ସ୍ୱତଃପ୍ରବୃତ୍ତ ଭାବେ ଆଗକୁ ଆସି ଟେଷ୍ଟିଂ କରାଇ ନିଅନ୍ତୁ । ଅଳ୍ପ ବଢିଲେ ବି ତାକୁ ଅଣଦେଖା ନକରି ସତର୍କ ରହିବାକୁ ହେବ । କୋଭିଡ ସମେତ ସମସ୍ତ ରୋଗକୁ ଚିହ୍ନଟ କରିବା ପାଇଁ ଘରକୁ ଘର ବୁଲି ସର୍ଭେ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଜୁନ ୨୧ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସର୍ଭେିଲାନ୍ସ ଚାଲିବ । ସ୍ୱାସ୍ଥ୍ୟ କର୍ମୀ ମାନେ ଘରକୁ ଘର ବୁଲି ସର୍ଭେ କରାଯିବ । ’