କୋଭିଡ୍ ମୁକାବିଲା ଚିନ୍ତା ! ଅପରାହ୍ନ ସାଢ଼େ ୪ଟାରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ

ସମସ୍ତ ରାଜ୍ୟରେ ସଂକ୍ରମଣ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

ଆଜି ସବୁ ମୁଖ୍ୟମନ୍ତ୍ରୀଙ୍କ ମୋଦିଙ୍କ ବୈଠକ

ନୂଆଦିଲ୍ଲୀ : ଦେଶରେ ମାଡ଼ି ଚାଲିଛି କରୋନା । ଦିନକୁ ଦିନ ଓମିକ୍ରନ ସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗିଛି । ସଂକ୍ରମଣ ଉପରେ ବ୍ରେକ ଲଗାଇବାକୁ ସବୁ ରାଜ୍ୟରେ କଡ଼ା କଟକଣା ଜାରି କରାଯାଇଛି । ତଥାପି ସଂକ୍ରମଣ ଗତିରେ କୌଣସି ବ୍ରେକ ଲାଗୁନି । ଆଗକୁ କରୋନାର ତୃତୀୟ ଲହରୀ ମାଡ଼ି ଆସୁଛି । ଏହାକୁ ଦୃଷ୍ଟିରେ ରଖି ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅପରାହ୍ନ ୪ଟା ୩୦ରେ ଭିଡିଓ କନଫରେନସିଂ ଯୋଗ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଦେଶରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦେଖି ବିଭିନ୍ନ ରାଜ୍ୟରେ ବହୁ କଟକଣା ଲାଗୁ ହୋଇଛି । ତେଣୁ ରାଜ୍ୟ ଗୁଡ଼ିକର କୋଭିଡ୍ ସ୍ଥିତି ସମୀକ୍ଷା କରିବା ସହ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢ଼ କରି ତାହାକୁ ପ୍ରସ୍ତୁତ ରଖିବା ଦିଗରେ ପ୍ରଧାନମନ୍ତ୍ରୀ ଜୋର୍ ଦେଇପାରନ୍ତି ।

ସେହିପରି ବୈଠକରେ ରାଜ୍ୟଗୁଡ଼ିକର ସ୍ଥିତି ସମ୍ପର୍କରେ ମୋଦିଙ୍କୁ ଅବଗତ କରାଇବେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏଥିସହ ଟିକାକରଣକୁ ଜୋରଦାର କରିବାକୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କମରେ ମଧ୍ୟ ଆଲୋଚନା ହେବ । ଜାନୁଆରି ୯ରେ ମଧ୍ୟ ଦେଶର ସଂକ୍ରମଣ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀମାନଙ୍କୁ ନାଇଟ କର୍ଫ୍ୟୁ ଓ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ତେବେ ଆଜିର ବୈଠକରେ ପ୍ରଧାନମନ୍ତ୍ରୀ କେଉଁ ବିଷୟରେ କ’ଣ କହିବେ ଏବଂ କ’ଣ ନିଷ୍ପତ୍ତି ନେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।