କରୋନାର ନୂଆ ଭାରିଆଣ୍ଟ୍ ଭୟରେ କ୍ରୁର ଲକଡାଉନ୍ ! ମେଟାଲ ବାକ୍ସରେ ବନ୍ଦ ଶିଶୁ ଓ ଗର୍ଭବତୀ

କରୋନା ଭୟରେ ଶିଶୁ ଓ ଗର୍ଭବତୀ ମହିଳା ଓ ଅନେକ ଲୋକଙ୍କୁ ମେଟାଲ ବକ୍ସରେ ବନ୍ଦ କରି ରଖୁଛନ୍ତି ଚୀନ୍ ସରକାର ।

ଧୀରେ ଧୀରେ ସ୍ଥିତି ପୁଣି ବିଗିଡ଼ିବାରେ ଲାଗିଛି

ସାରା ବିଶ୍ୱରେ କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ୍ ଭୟ । ଧୀରେ ଧୀରେ ସ୍ଥିତି ପୁଣି ବିଗିଡ଼ିବାରେ ଲାଗିଛି । ପୁଣି ଥରେ ମହାମାରୀ ପ୍ରଭାବ ବିସ୍ତାର କରିବା ପରେ ଚୀନର ଅନ୍ୟାଙ୍ଗ (Anyang) ସମେତ ଅନେକ ସହରରେ ଲକଡାଉନ୍ କରାଯାଇଛି । ଦୁଇ କୋଟିରୁ ଅଧିକ ଲୋକ କଡା ଲକଡାଉନ୍ ନିୟମର ପାଳନ କରୁଛନ୍ତି । ଚୀନ୍‌ର 'ଜିରୋ କୋଭିଡ୍ ପଲିସି' (China Zero Covid Policy) ଅନୁସାରେ କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି ।

ହେଲେ Zero Covid Policy ନୀତି ପାଇଁ କ୍ରୁର ହୋଇଯାଇଛନ୍ତି ସରକାର । ନିଜ ନାଗରିକଙ୍କୁ ଏକପ୍ରକାର ନିର୍ଯାତନା ଦେଉଛନ୍ତି । ଅତ୍ୟଧିକ କଠୋର ନିୟମ ଲଗାଇ କରୋନାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ଜିନପିଙ୍ଗ୍ ସରକାର । 'ଡେଲି ମେଲ'ର ରିପୋର୍ଟ ଅନୁସାରେ ଚୀନରେ ବଡ଼ ଆକାରରେ କ୍ୱାରେଣ୍ଟିନ୍ କ୍ୟାମ୍ପର ଏକ ବୃହତ ନେଟୱାର୍କ ନିର୍ମାଣ କରାଯାଇଛି । ଯେଉଁଠାରେ ହଜାର ହଜାର ମେଟାଲ ବାକ୍ସ ତିଆରି କରାଯାଇଛି । ଆଉ ଏହି ମେଟାଲ ବାକ୍ସରେ ଗର୍ଭବତୀ ମହିଳା, ପିଲାମାନେ ସମେତ ସମସ୍ତ ଅନେକ ଲୋକଙ୍କୁ ଆଇସୋଲେଟ୍ କରାଯାଉଛି ।

ମହାମାରୀ ପ୍ରାରମ୍ଭରେ ଉହାନ୍ ଏବଂ ହୁବେଇ ପ୍ରଦେଶକୁ ବନ୍ଦ କରିବା ପରଠାରୁ ଏହା ହେଉଛି ସବୁଠାରୁ କଠୋର ତାଲାବନ୍ଦ ନିୟମ । ବର୍ତ୍ତମାନ ଶିୟାନର ପ୍ରାୟ ୧୨୫ ନିୟୁତ ଲୋକ ଏବଂ ୟୁଜୋରେ ଏକ ମିଲିୟନରୁ ଅଧିକ ଲୋକ ଲକଡାଉନ୍‌ ନିମୟରେ ବନ୍ଧା । ସେହିପରି ଅନ୍ୟାଙ୍ଗ ସହରରେ ୫୫ ଲକ୍ଷ ଜନସଂଖ୍ୟା ମଧ୍ୟ ତାଲାବନ୍ଦ ପାଇଁ ଘରେ ଅଛନ୍ତି ।

କରୋନା ଭୟ କାରଣରୁ ଲୋକମାନଙ୍କୁ ୨ ସପ୍ତାହ ଧରି ଏକ ଛୋଟ ଧାତୁ ବାକ୍ସ ପରି କୋଠରୀରେ ବନ୍ଦୀ କରି ରଖାଯାଇଛି । ସୁବିଧା ନାମରେ ଧାତୁ ବାକ୍ସରେ ଅଛି କେବଳ ଏକ ବେଡ୍ ଓ ଏବଂ ଶୌଚାଳୟ । ଚୀନର ଗଣମାଧ୍ୟମ ନିଜେ ତାହାର ଚିତ୍ର ସେୟାର କରିଛି । Shijiazhuang ପ୍ରଦେଶର ୧୦୮ ଏକର ଜମିରେ ତିଆରି ହୋଇଥିବା କ୍ୱାରେଣ୍ଟିନ କ୍ୟାମ୍ପସରେ ହଜାର ହଜାର ଲୋକଙ୍କୁ ରଖାଯାଇଛି । ଜାନୁଆରୀ ୨୦୨୧ରେ ପ୍ରଥମ ଥର ପାଇଁ ଏହି କ୍ୟାମ୍ପସ୍ ନିର୍ମାଣ କରାଯାଇଥିଲା । ମହିଳା , କୁନି କୁନି ପିଲାଙ୍କ ସମେତ ଅନେକ ଲୋକ ଏଥିରେ ବନ୍ଦ ହୋଇ ରହିଛନ୍ତି ।

ଏହି କ୍ୱାରେଣ୍ଟିନ କ୍ୟାମ୍ପସରୁ ବାହାରିଥିବା ଅନେକ ଲୋକ ସେମାନଙ୍କର ଖରାପ ଅନୁଭୂତି ବାଣ୍ଟିଛନ୍ତି । ମେଟାଲ୍ ବାକ୍ସ ଭିତରେ ସୁବିଧା ନଥିବା ବେଳେ କମ୍ ଖାଇବାକୁ ଦିଆଯାଏ । ଖାଇବାର ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ସେମାନଙ୍କ ଇଚ୍ଛା ବିରୋଧରେ ହଁ ଘର ଛାଡି କ୍ୱାରେଣ୍ଟିନ ସେଣ୍ଟରରେ ରହିବାକୁ ବାଧ୍ୟ କରାଯାଉଛି । ଲୋକଙ୍କୁ ବସରେ ବଳପୂର୍ବକ ଭାବେ ଭର୍ତ୍ତି କରି ଏଠାକୁ ଅଣାଯାଉଥିବା ଅଭିଯୋଗ ହେଉଛି ।