ବଢ଼ୁଛି କରୋନା ସଂକ୍ରମଣ, ଦିନକରେ ୪,୫୧୮ ନୂଆ ପଜିଟିଭ୍‌ ଚିହ୍ନଟ

ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍ । କରୋନାକୁ ନେଇ ପୁଣି ବଢ଼ିଲା ଚିନ୍ତା । ମେ’ ପ୍ରଥମ ସପ୍ତାହ ପରେ ଦୈନିକ ସଂକ୍ରମଣ ହାର ଖସି ଖସି ଆସୁଥିଲାବେଳେ ଜୁନ୍ ମାସ ଆରମ୍ଭରୁ ପୁଣି ବଢ଼ି ଚାଲିଲା ଗ୍ରାଫ୍ ।

Covid 19

ପୁଣି ଦେଶରେ କଡ଼ ଲେଉଟାଇଲାଣି ମହାମାରୀ କରୋନା । ଗଲା କିଛି ଦିନ ହେଲା ଲଗାତାର ଭାବେ ଦେଶରେ କରୋନା ଗ୍ରାଫ୍ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୪ ହଜାର ୫୧୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୯ ଜଣଙ୍କ କରୋନାଜନିତ ମୃତ୍ୟୁ ଘଟିଛି । ୨ ହଜାର ୭ଶହ ୭୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସାରା ଦେଶରେ ୨୫ ହଜାର ୭୮୨ ଆକ୍ଟିଭ୍ କେସ୍‌ ରହିଛି । କରୋନାକୁ ମାତ ଦେବାକୁ ଦେଶରେ ଟିକାକରଣ ଜାରି ଥିବା ବେଳେ, ଏବେ ସୁଦ୍ଧା ୧୯୪ କୋଟି ୧୨ ଲକ୍ଷ ୮୭ ହଜାର ଟିକାକରଣ ସରିଛି ।

ମେ ପ୍ରଥମ ସପ୍ତାହ ପରେ ଦୈନିକ ସଂକ୍ରମଣ ହାର ଖସି ଖସି ଆସୁଥିଲାବେଳେ ଜୁନ୍ ମାସ ଆରମ୍ଭରୁ ପୁଣି ବଢ଼ି ଚାଲିଲା ଗ୍ରାଫ୍ । ମାର୍ଚ୍ଚ ୯ ପରେ, ଅର୍ଥାତ୍ ପ୍ରାୟ ୩ ମାସ ଭିତରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୩୪ ଦିନ ପରେ ଦେଶର ଡେଲି ପଜିଟିଭିଟି ରେଟ୍ ୧ ପ୍ରତିଶତ ଉପରକୁ ଯାଇଛି ।

କେରଳରେ ଗତକାଲି ସର୍ବାଧିକ ୧ ହଜାର ୪୬୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ମହାରାଷ୍ଟ୍ରରେ ଲଗାତାର ଚତୁର୍ଥ ଦିନ ଲାଗି ଡେଲି କେସ୍‌ ହଜାରେ ଉପରେ ରହିଛି । ପୂରା ମହାରାଷ୍ଟ୍ରରେ ଯେତିକି ପଜିଟିଭ୍ ଚିହ୍ନଟ ହେଉଛନ୍ତି, ତାର ୬୫ ପ୍ରତିଶତ କେବଳ ମୁମ୍ବାଇ ବାସିନ୍ଦା ।