Advertisment

ଦୁଆର ମୁହଁରେ ପହଞ୍ଚିଲାଣି ଥାର୍ଡ଼ ୱେଭ୍‌: ଟିକା ନେବା ପାଇଁ ଲାଇନ୍‌ରେ ରହୁଛି ଜୋତା ଓ ଛତା

ଡରେଇଲାଣି ଥାର୍ଡ ୱେଭ୍। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଦୈନିକ ସଂକ୍ରମଣ ଗ୍ରାଫ୍ ପୁଣି ଉପରମୁହାଁ ହେବାକୁ ନେଇ ଆଶଙ୍କା ବଢିଛି। ଅପରପକ୍ଷେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ଲାଗି ଟିକାକରଣ ଏକ ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ରାଜ୍ୟର ଟିକାକରଣ କେନ୍ଦ୍ରଗୁଡ଼ିକରେ ଅସମ୍ଭାଳ ଭିଡ଼ ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ସେରୋ ସର୍ଭେ।

ଅଦ୍ୟତନ ହୋଇଛି
Corona

Corona

Advertisment

ଭୁବନେଶ୍ୱର: ଡରେଇଲାଣି ଥାର୍ଡ ୱେଭ୍। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଦୈନିକ ସଂକ୍ରମଣ ଗ୍ରାଫ୍ ପୁଣି ଉପରମୁହାଁ ହେବାକୁ ନେଇ ଆଶଙ୍କା ବଢିଛି। ଅପରପକ୍ଷେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ଲାଗି ଟିକାକରଣ ଏକ ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ରାଜ୍ୟର ଟିକାକରଣ କେନ୍ଦ୍ରଗୁଡ଼ିକରେ ଅସମ୍ଭାଳ ଭିଡ଼ ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ସେରୋ ସର୍ଭେ।

Advertisment

ଦେଶରେ ବଢୁଛି, ରାଜ୍ୟରେ ବି ପୁଣି ବଢ଼ିଲାଣି କରୋନା। ଦେଶରେ ୨୩ ଓ ୨୪ ତାରିଖ ଦୁଇଦିନ ୨୫ ହଜାରକୁ ଖସି ଆସିଥିବା ଦୈନିକ ସଂକ୍ରମଣ ହଠାତ୍ ବଢି ଗଲା। ୪ ଦିନ ଧରି ୪୪ ହଜାର ଉପରେ ଟ୍ରେଣ୍ଡ କରୁଛି ତ ଏପଟେ ଲଗାତର ୪ ଦିନ ଧରି ରାଜ୍ୟରେ ତଳମୁହାଁ ଥିବା ସଂକ୍ରମଣ ଆଜି ପୁଣି ଉପରମୁହାଁ ରାସ୍ତା ଧରିଲାଣି। ଆଗକୁ ପାର୍ବଣ ଋତୁ ଆସୁଛି। ତେଣୁ ଏବେଠୁ ସଂକ୍ରମଣର ଏ ସ୍ଥିତିକୁ ଦେଖି ବଢ଼ିଲାଣି ଥାର୍ଡ଼ୱେଭ୍ ଭୟ। କରୋନା କଟକଣାକୁ କେନ୍ଦ୍ର ସେପ୍ଟେମ୍ବର ୩୦ ତାରିଖ ଯାଏଁ ବଢ଼ାଇଥିଲା ବେଳେ ଆଜି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ତୃତୀୟ ଲହର ଲାଗି ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ଟାସ୍କଫୋର୍ସ ଗଠନ ହୋଇଛି।

Advertisment

ହେଲେ ମାସ୍କ ଓ ଶାରୀରିକ ଦୂରତ୍ୱ ସହ ତୃତୀୟ ଲହରରୁ ବର୍ତ୍ତିବା ପାଇଁ ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ତ୍ୱରିତ ଟିକାକରଣ। ହେଲେ ଏ ଦିଗଟି କେତେ ବ୍ୟବସ୍ଥିତ ଟିକାକରଣ କେନ୍ଦ୍ର ଗୁଡ଼ିକରୁ ଲଗାତର ଆସିବାରେ ଲାଗିଥିବା ଦୃଶ୍ୟକୁ ଦେଖିଲେ ସବୁ କିଛି ବୁଝା ପଡ଼ିଛି।

ସୁନ୍ଦରଗଡ଼ର ବଣାଇ, ନୟାଗଡ଼ର ଭାପୁର, ବାଲେଶ୍ୱରର କମର୍ଦ୍ଦା ଓ ସୋର। କେଉଁଠି ଟିକା ନେବାକୁ ଲୋକେ ରାତିରୁ ଲାଇନରେ ଚପଲ, ଛତା, ପାଣିବୋତଲ ଆଦି ରଖି ଅଧିଆ ପଡ଼ି, ମସୁରୀ ଟାଙ୍ଗି ଶୋଇଲେଣି ତ କେଉଁଠି ଟିକା ପାଇଁ ଇଟାକୁ ସାକ୍ଷୀ ରଖି ରାତି ଅନିଦ୍ରା ହେଉଛନ୍ତି ଲୋକେ। ପୁଣି କେଉଁଠି ଢୁ ଢୁ ବର୍ଷାରେ ଛତା ମଡ଼େଇ ପ୍ରତୀକ୍ଷାର ଲମ୍ବା ଲଢ଼େଇ ଚାଲିଛି। ଟିକାକରଣ କେନ୍ଦ୍ରରେ ଟିକାର ଡୋଜ୍ ଯେତିକି ତାଠୁ କାହିଁ କେତେଗୁଣ ଅଧିକ ଲୋକ ଭିଡ଼ ହେଉଛି।

Advertisment

କେବଳ ଏଇ ୪ଟି କେନ୍ଦ୍ର ନୁହେଁ, ଟିକା ଅଭାବରୁ ପ୍ରତିଦିନ ସାରା ରାଜ୍ୟରେ ଏମିତି ଅସମ୍ଭାଳ ସ୍ଥିତି ହେଉଛି। ହେଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କିନ୍ତୁ କହୁଛି ଟିକାର ଅଭାବ ନାହିଁ। ପ୍ରତିଦିନ ସାଢ଼େ ୩ ଲକ୍ଷ ଡୋଜ୍ ଟିକାକରଣ ଲକ୍ଷ୍ୟ ପୂରଣ ଲାଗି ଜିଲ୍ଲାମାନଙ୍କୁ ଟାର୍ଗେଟ୍ ଦିଆଯାଇଛି। ତେବେ ବିଶେଷଜ୍ଞଙ୍କ ମତ ତୃତୀୟ ଲହର ପୂର୍ବରୁ ଟିକାକରଣ ଯେତେ ତ୍ୱରାନ୍ୱିତ ହେବ ସେତେ ଭଲ।

ଏଭିତରେ ଆଜିଠୁ ଦୁଇଟି ଜିଲ୍ଲା ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ସେରୋ ସର୍ଭେ ଆରମ୍ଭ ହୋଇଥିଲାବେଳେ ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ୧୨ଟି ଜିଲ୍ଲାରୁ ୬୬୮୦ଟି ସାମ୍ପୁଲ ସଂଗ୍ରହ କରି ପୂରା ପ୍ରକ୍ରିୟା ସାରିବାର ଯୋଜନା ରଖିଛି ସ୍ୱାସ୍ଥ୍ୟ ବିଭାଗ। ଅପରପକ୍ଷେ ଅଗଷ୍ଟ ମାସ ସରିବାକୁ ଆଉ ମାତ୍ର ଦୁଇ ଦିନ ଥିଲା ବେଳେ ସମ୍ଭାବ୍ୟ ତୃତୀୟ ଲହରର ଡର ଭିତରେ ରାଜ୍ୟ ସରକାର ସେପ୍ଟେମ୍ବର ପାଇଁ କିଭଳି ଗାଇଡ୍ଲାଇନ୍ ଆଣୁଛନ୍ତି ତା ଉପରେ ନଜର।

Odisha Coronavirus India COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ