Mira Murati
ଚର୍ଚ୍ଚାରେ ଅଲବାନିଆ-ଆମେରିକୀୟ ଟେକ୍ ଭେଟେରାନ ମୀରା ମୁରାଟି । ମୀରା ମେଟାର ସିଇଓ ମାର୍କ ଜୁକରବର୍ଗଙ୍କ ୧ ବିଲିୟନ ଡଲାର (୮୭୦୦ କୋଟି ଟଙ୍କା)ର ଆକର୍ଷଣୀୟ ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ଅଫର ମେଟାର ନୂଆ ସୁପରଇଣ୍ଟେଲିଜେନ୍ସ ଲ୍ୟାବରେ ଯୋଗଦେବା ପାଇଁ ଥିଲା। କିନ୍ତୁ ମୀରା ଓ ତାଙ୍କ ସମ୍ପୂର୍ଣ୍ଣ ଟିମ୍ ନିଜର ଭିଜନକୁ ଅଗ୍ରାଧିକାର ଦେଇଛନ୍ତି।
ମୀରା ଓପନଏଆଇର ସିଟିଓ ଥିଲେ। ସେ ବର୍ତ୍ତମାନ ନିଜର ନୂଆ ଏଆଇ ଷ୍ଟାର୍ଟଅପ୍ ‘ଥିଙ୍କିଂ ମେସିନ୍ସ ଲ୍ୟାବ’ର ନେତୃତ୍ୱ ନେଉଛନ୍ତି । ତାଙ୍କ ଷ୍ଟାର୍ଟଅପ୍ ୨ ବିଲିୟନ ଡଲାର (୧୭ ହଜାର କୋଟି ଟଙ୍କାରୁ ଅଧିକ)ର ଫଣ୍ଡିଂ ସଂଗ୍ରହ କରିଛି।
ଏହାର ମୂଲ୍ୟାୟନ ୧୨ ବିଲିୟନ ଡଲାର ବା ୧ ଲକ୍ଷ କୋଟି ଟଙ୍କାରୁ ଅଧିକରେ ପହଞ୍ଚିଛି। ମେଟାର ଅଫର ପ୍ରତ୍ୟାଖ୍ୟାନ କରି ମୀରା କହିଛନ୍ତି ଏପର୍ଯ୍ୟନ୍ତ ଥିଙ୍କିଂ ମେସିନ୍ସ ଲ୍ୟାବରୁ କେହି ଅଫର ଗ୍ରହଣ କରିନାହାନ୍ତି।
୧୯୮୮ରେ ଅଲବାନିଆର ଭ୍ଲୋରେରେ ଜନ୍ମଗ୍ରହଣ କରିଥିବା ମୀରା । ୧୬ ବର୍ଷ ବୟସରେ କାନାଡାର ପିୟରସନ କଲେଜରେ ସ୍କଲାରସିପ୍ ହାସଲ କରିଥିଲେ। ଡାର୍ଟମାଉଥ କଲେଜରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ସେ ଗୋଲ୍ଡମ୍ୟାନ ସାକ୍ସ, ଟେସଲା ଓ ଲିପ୍ ମୋସନ ଭଳି କମ୍ପାନୀରେ କାମ କରିଥିଲେ।
୨୦୧୮ରେ ସେ ସାମ ଅଲଟମାନଙ୍କ ଓପନଏଆଇ ସହ ଯୋଗ ଦେଇଥିଲେ। ସେଠାରେ ସେ ଚାଟଜିପିଟି, ଡାଲ-ଇ ଓ କୋଡେକ୍ସ ଭଳି ଅଗ୍ରଣୀ ପ୍ରୋଜେକ୍ଟଗୁଡ଼ିକର ନେତୃତ୍ୱ ନେଇଥିଲେ। ୨୦୨୩ରେ ଓପନଏଆଇର ବୋର୍ଡରୁମ ସଙ୍କଟ ସମୟରେ ସେ କିଛି ସମୟ ପାଇଁ କମ୍ପାନୀର ଅନ୍ତରୀଣ ସିଇଓ ଭୂମିକା ମଧ୍ୟ ନିର୍ବାହ କରିଥିଲେ।
୨୦୨୫ ଫେବୃଆରୀରେ ମୀରା ଥିଙ୍କିଂ ମେସିନ୍ସ ଲ୍ୟାବ ପ୍ରତିଷ୍ଠା କରିଥିଲେ, ଯାହାର ଲକ୍ଷ୍ୟ ପାରଦର୍ଶୀ, ନୈତିକ ଓ ମାନବ-କେନ୍ଦ୍ରିତ ଏଆଇ ସିଷ୍ଟମ ବିକଶିତ କରିବା। ରିପୋର୍ଟ ଅନୁସାରେ, ମେଟା ତାଙ୍କ ଟିମର ୫୦ ଜଣ କର୍ମଚାରୀଙ୍କୁ ୨୦୦ ମିଲିୟନରୁ ୧ ବିଲିୟନ ଡଲାର ପର୍ଯ୍ୟନ୍ତ ଅଫର ଦେଇଥିଲା, କିନ୍ତୁ କେହି ଏହା ଗ୍ରହଣ କରିନଥିଲେ।
ମୀରାଙ୍କ ନେତୃତ୍ୱରେ ତାଙ୍କ ଟିମ ବିଶ୍ୱାସ କରେ ଯେ ସେମାନଙ୍କ କମ୍ପାନୀର ମିଶନ ମେଟାର ଆକର୍ଷଣୀୟ ଅଫର ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ମୀରାଙ୍କ ଏହି ମନୋଭାବ ଟେକ୍ ଜଗତରେ ଏକ ନୂଆ ବାର୍ତ୍ତା ଦେଇଛି ଟଙ୍କା ସବୁକିଛି ନୁହେ। ତାଙ୍କ କମ୍ପାନୀରେ ଓପନଏଆଇ, ମେଟା ଓ ମିଷ୍ଟ୍ରଲ ଭଳି ସଂସ୍ଥାର ଶୀର୍ଷ ଗବେଷକମାନେ ଅଛନ୍ତି, ଯେଉଁମାନେ ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ ଭଳି ବିଶ୍ୱବ୍ୟାପୀ ପ୍ରସଙ୍ଗର ସମାଧାନ ପାଇଁ ଏଆଇ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754025166.jpg)