ଅଟୋ କମ୍ପାନୀ ପାଇଁ ଖୁସି ଖବର; ୬ ବର୍ଷ ପରେ ବିକ୍ରି ହେଲା ୧ କୋଟିରୁ ଅଧିକ ଦୁଇ ଚକିଆ ଯାନ ! 

ପୁଣି ବଢୁଛି ଚାହିଦା, ବଢୁଛି ଉତ୍ସାହ । ଭାରତୀୟ ବଜାରରେ ଦୁଇ ଚକିଆ ଯାନ ଓ ଚାରି ଚକିଆ ଯାନର ଚାହିଦା ଧୀରେ ଧୀରେ ବୃଦ୍ଧି ପାଉଛି ।

Two-wheeler

ଅଟୋ କମ୍ପାନୀଗୁଡ଼ିକ ପାଇଁ ଖୁସି ଖବର । ପୁଣି ବଢୁଛି ଚାହିଦା, ବଢୁଛି ଉତ୍ସାହ । ଭାରତୀୟ ବଜାରରେ ଦୁଇ ଚକିଆ ଯାନ ଓ ଚାରି ଚକିଆ ଯାନର ଚାହିଦା ଧୀରେ ଧୀରେ ବୃଦ୍ଧି ପାଉଛି । ପ୍ରତି ମାସରେ ଆସୁଥିବା ବିକ୍ରିର ଆକଳନରୁ ଏହା ସ୍ପଷ୍ଟ ଭାବେ ଦେଖବାକୁ ମିଳୁଛି । ଅଟୋ କମ୍ପାନୀଗୁଡ଼ିକର ବିକ୍ରି ବୃଦ୍ଧି ପାଉଛି । ୨୦୨୪ର ପ୍ରଥମ ୬ ମାସରେ ସ୍କୁଟର ଓ ମୋଟରସାଇକେଲ୍ ଭଳି ଦୁଇ ଚକିଆ ଯାନର ବିକ୍ରି ବହୁତ ଭଲ ରହିଛି । 

ରିପୋର୍ଟ ଅନୁଯାୟୀ, ଅଟୋ କମ୍ପାନୀଗୁଡିକ ଏପ୍ରିଲରୁ ସେପ୍ଟେମ୍ବର ୨୦୨୪ ମଧ୍ୟରେ ସମଗ୍ର ଦେଶରେ ୧ କୋଟି ୦୧ ଲକ୍ଷ ୬୪ ହଜାର ୯୮୦ ୟୁନିଟ୍ ଅର୍ଥାତ୍ ୧୦ ମିଲିୟନରୁ ଅଧିକ ଦୁଇ ଚକିଆ ଯାନ ବଜାରକୁ ପଠାଇଛନ୍ତି । ଏହି ତଥ୍ୟରୁ ସ୍ପଷ୍ଟ ଯେ, ଗତ ବର୍ଷ ତୁଳନାରେ ୧୬.୩୧ ପ୍ରତିଶତ ଅଭିବୃଦ୍ଧି ଘଟିଛି।

ରିପୋର୍ଟ ଅନୁଯାୟୀ, ୬ ବର୍ଷ ପୂର୍ବେ ୨୦୧୮ରେ ଓ ୨୦୧୯ର ପ୍ରଥମ ୬ ମାସ ମଧ୍ୟରେ ୧୦ ମିଲିୟନ୍ ଅର୍ଥାତ୍ ୧ କୋଟି ୟୁନିଟ୍ ବିକ୍ରି ହୋଇଥିଲା । ବାଇକ୍, ସ୍କୁଟର ଓ ଲୁନା ତିନୋଟି ବିଭାଗରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଦେଖିବାକୁ ମିଳିଛି, ମୋଟରସାଇକେଲ୍ ବିକ୍ରି ୧୬.୩୧ ପ୍ରତିଶତ, ସ୍କୁଟର ବିକ୍ରି ୨୨ ପ୍ରତିଶତ ଓ ଲୁନାର ବିକ୍ରି ୧୬.୫୫ ପ୍ରତିଶତ ବୃଦ୍ଧି ପାଇଛି। ଅବଶ୍ୟ, ଏହା ୬ ବର୍ଷ ପରେ ଏମିତି ଘଟିଛି । କିନ୍ତୁ ଆମେ କହିପାରିବା ଯେ, ଧୀରେ ଧୀରେ ଦୁଇ ଚକିଆ ଶିଳ୍ପ ପୁଣି ଆଗକୁ ବଢୁଛି । 

କ’ଣ ରହିଛି ଦୁଇ ଚକିଆ ଯାନ କମ୍ପାନୀର ସ୍ଥିତି ଜାଣନ୍ତୁ...

ଦେଶରେ ନମ୍ବର ୧ ଓ ୨ୟ ସ୍ଥାନରେ ନିଜର ପ୍ରାଧାନ୍ୟ ବଜାୟ ରଖିବା ପାଇଁ ଅଟୋ କମ୍ପାନୀଗୁଡିକ ମଧ୍ୟରେ ବଡ଼ ପ୍ରତିଯୋଗିତା ଚାଲିଛି । ହିରୋ ମୋଟୋକର୍ପ H1 FY2025ରେ ବାର୍ଷିକ ୧୦ ପ୍ରତିଶତ ଅଭିବୃଦ୍ଧି ସହିତ ୨.୯୪ ନିୟୁତ ୟୁନିଟ୍ ଗାଡ଼ି ହୋଲ୍‌ସେଲ୍ ବିକ୍ରି କରିଛି । ହିରୋ କମ୍ପାନୀର ୨୮.୯୨ ପ୍ରତିଶତ ବଜାର ଅଂଶୀଦାର ରହିଛି । ଏଥି ସହିତ, ଦ୍ୱିତୀୟ ସ୍ଥାନରେ ରହିଛି ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆ ଲିମିଟେଡ୍ କମ୍ପାନୀ , ଯାହା ବାର୍ଷିକ ୩୨  ପ୍ରତିଶତ ଅଭିବୃଦ୍ଧି ସହିତ ୨.୮୮ ନିୟୁତ ୟୁନିଟ୍ ଗାଡ଼ି ହୋଲ୍‌ସେଲ୍ ବିକ୍ରି କରିଛି । ହୋଣ୍ଡାର ବର୍ତ୍ତମାନ ୨୮.୩୪ ବଜାର ଅଂଶୀଦାର ରହିଛି । 

ଟିଭିଏସ୍ ମୋଟର H1 FY2025ରେ ୧.୭୪ ମିଲିୟନ୍ ୟୁନିଟ୍ ହୋଲ୍‌ସେଲ୍ ବିକ୍ରି ପଞ୍ଜିକରଣ କରିଛି, ଯାହା ଗତ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ ରହିଛି । ଏହା ସହିତ TVSର ୧୭ ପ୍ରତିଶତ ବଜାର ଅଂଶୀଦାର ରହିଛି । ବଜାଜ ଅଟୋ ୧.୨୧  ମିଲିୟନ ୟୁନିଟ୍ ବିକ୍ରି ସହିତ ଭଲ ପ୍ରଦର୍ଶନ ମଧ୍ୟ କରିଛି, ଗତ ବର୍ଷ ସମାନ ତ୍ରୈମାସିକ ତୁଳନାରେ କମ୍ପାନୀର ବର୍ଷକୁ ୧୭ ପ୍ରତିଶତ ଅଭିବୃଦ୍ଧି ରହିଛି ।

ଏହା ସହିତ କମ୍ପାନୀର ୧୨ ପ୍ରତିଶତ ବଜାର ଅଂଶୀଦାର ରହିଛି । ସୁଜୁକି ମୋଟରସାଇକେଲ ଇଣ୍ଡିଆର ହୋଲ୍‌ସେଲ୍ ବିକ୍ରି ୫,୧୬,୫୩୦ ୟୁନିଟ୍ କରିଛି, ଏହା ସହିତ କମ୍ପାନୀ ୧୬ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ଏବଂ କମ୍ପାନୀର ୫ ପ୍ରତିଶତ ବଜାର ଅଂଶୀଦାର ରହିଛି।