trump
ଓଡ଼ିଶାର ଚିଙ୍ଗୁଡ଼ି ଉପରେ ଆମେରିକାର ଟାରିଫ୍ ମାଡ଼। ଟ୍ରମ୍ପଙ୍କ ଟାରିଫରେ ଛଟପଟ ଚିଙ୍ଗୁଡ଼ି ଚାଷୀ ଓ ବ୍ୟବସାୟୀ। ପ୍ରଥମେ ୨୫ ଓ ପରେ ଆଉ ୨୫ ପ୍ରତିଶତ ଏଭଳି ମୋଟ୍ ୫୦ ପ୍ରତିଶତ ଟାରିଫ୍, ପୁରା ଦେଶର ସି’ ଫୁଡ୍ ବ୍ୟବସାୟକୁ ମାଡ଼ କରିଛି। ଆଉ ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଓଡ଼ିଶା। ୫00 କିଲୋମିଟରରୁ ଅଧିକ ଦୀର୍ଘ ଓଡ଼ିଶାର ବିସ୍ତୀର୍ଣ୍ଣ ସମୁଦ୍ରକୂଳରେ ବର୍ଷ ବର୍ଷ ଧରି ହେଉଛି ଚିଙ୍ଗୁଡ଼ି ଚାଷ। ଗଞ୍ଜାମରୁ ବାଲେଶ୍ବର କୋଷ୍ଟରେ ହଜାର ହଜାର ଚିଙ୍ଗୁଡ଼ି ଘେରି ରହିଛି।
ହେଲେ ଯେବେଠୁ ଟ୍ରମ୍ପଙ୍କ ଏହି ୫୦ ପ୍ରତିଶତ ଟାରିଫ୍ ଲାଗୁ ହୋଇଛି ସେବେଠୁ ଏହା ଉପରେ ପଡ଼ିଛି ଚଡ଼କ। ଏଇ ଯେମିତି କୋଣାର୍କ ଉପକୂଳରେ ହେଉଥିବା ଚିଙ୍ଗୁଡ଼ି ଚାଷରେ କିଲୋ ପିଛା ଦର ହଠାତ୍ ୨୦ରୁ ୩୦ ଟଙ୍କା କମିଛି। ଟନ୍ ପିଛା ଚାଷୀଙ୍କୁ ସହିବାକୁ ପଡ଼ିଛି ୨୦ ହଜାର ଟଙ୍କାର କ୍ଷତି।ଖାଲି ଚିଙ୍ଗୁଡ଼ି ବ୍ୟବସାୟ ନୁହେଁ ଏହାସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଥିବା ଶହ ଶହ ପରିବାର ଏଥିରେ ପ୍ରଭାବିତ ହୋଇଛନ୍ତି।
ପ୍ରତିବର୍ଷ ଲକ୍ଷାଧିକ କ୍ବିଣ୍ଟାଲ୍ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଭଳି ସି ଫୁଡ୍ ବିଦେଶକୁ ରପ୍ତାନୀ କରେ ଭାରତ। ଏଥିରୁ ସିଂହଭାଗ ଓଡ଼ିଶାରୁ ଯାଏ ତା ପୁଣି ଚିଙ୍ଗୁଡ଼ି। ଓଡ଼ିଶାରେ ଲୁଣି ଓ ମଧୁର ପାଣିରେ ଚାଷ ହେଉଥିବା ଚିଙ୍ଗୁଡ଼ିର ବେଶ୍ ଚାହିଦା ରହିଛି ଆମେରିକାନ୍ ରେସ୍ତୋରାଁରେ। ଆମେରିକା ସହ ଭାରତର ବିଭିନ୍ନ କମ୍ପାନି ପ୍ରତିବର୍ଷ ପ୍ରାୟ ୨୨ ହଜାର କୋଟି ଟଙ୍କାର ଚିଙ୍ଗୁଡ଼ି ବ୍ୟବସାୟ କରିଥାନ୍ତି।
ପୂର୍ବରୁ କେବଳ ସି’ ଫୁଡ୍ ଉପରେ ଡ୍ୟୁଟି ଥିଲା ୮ ପ୍ରତିଶତ। ହେଲେ ଏବେ ୫୦ ପ୍ରତିଶତ ଟାରିଫ୍ ଲାଗୁ ପରେ ଟିକସ ୫୮ ପ୍ରତିଶତ ବଢ଼ିଯିବ। ତାଛଡ଼ା ଚିଙ୍ଗୁଡି ରପ୍ତାନୀ କରୁଥିବା ରାଷ୍ଟ୍ର ମଧ୍ୟରେ ଇକ୍ୟୁଡେରରେ ୧୦ ପ୍ରତିଶତ ଓ ଇଣ୍ଡୋନେସିଆରେ ୨୦ ପ୍ରତିଶତ ଟାରିଫ୍ ରହିଛି। ତେଣୁ ଭାରତୀୟ ଚିଙ୍ଗୁଡ଼ି ମହଙ୍ଗା ହେବା ଦ୍ବାରା, ଏହାର ଚାହିଦା ବି ଆମେରିକୀୟ ବଜାରରେ କମିଯିବାର ଆଶଙ୍କା ରହିଛି।
ଏଭଳି ସ୍ଥିତିରେ ଏବେ ଆଶଙ୍କା ଭିତରେ ଓଡ଼ିଶାର ଚିଙ୍ଗୁଡ଼ି ଚାଷ। କାରଣ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚିଙ୍ଗୁଡ଼ି ଘେରି, ଉତ୍ପାଦନ ଓ ପରେ ରପ୍ତାନୀ ହୁଏ। ଆମେରିକାର ଟାରିଫ୍ ମାଡ଼ ଯଦି, ଏପରି ମାସ ମାସ ଧରି ଚାଲେ ତାହେଲେ ଚିଙ୍ଗୁଡ଼ି ସମେତ ସାରା ସି’ଫୁଡ୍ ବ୍ୟବସାୟ ଉପରେ ଏହାର କୁପ୍ରଭାବ ପଡ଼ିବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/trump_1755360060.jpg)