ୟୁରୋପ ଯିବ ପାରାଦୀପ ମାଛ, ବିଦେଶରେ ବିକ୍ରି ହେବ ‘ପାରାଦୀପ ବ୍ରାଣ୍ଡ’ ମାଛ

ପାରାଦୀପ ସମୁଦ୍ରରୁ ଧରା ହେଉଥିବା ମାଛ ଏଣିକି ‘ପାରାଦୀପ ବ୍ରାଣ୍ଡ’ରେ ବିକ୍ରି ହୋଇପାରେ ବିଦେଶରେ ।

Paradip Fish

ପାରାଦୀପ ସମୁଦ୍ରରୁ ଧରା ହେଉଥିବା ମାଛ ଏଣିକି ‘ପାରାଦୀପ ବ୍ରାଣ୍ଡ’ରେ ବିକ୍ରି ହୋଇପାରେ ବିଦେଶରେ । ଫଳରେ ୟୁରୋପୀୟ ଦେଶ ଗୁଡିକରେ ପାରାଦୀପ ମାଛ ଭଲ ଦାମରେ ବିକ୍ରିବଟା ହୋଇପାରିବ । ଏଥିପାଇଁ ଆସନ୍ତା ୧୧ରୁ ୨୨ ତାରିଖ ମଧ୍ୟରେ ଓଡିଶା ଆସିବେ ୟୁରୋପିଅନ୍ ୟୁନିଅନ୍ ଟିମ୍ । ଏହି ଟିମ୍ ରାଜ୍ୟର ପ୍ରମୁଖ ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ଏବଂ ମାଛଧରା ବନ୍ଦରଗୁଡିକୁ ଅନୁଧ୍ୟାନ କରିବେ ।

ମାଛଧରା ବନ୍ଦରର ପରିବେଶ, ପରିଷ୍କାର ପରିଚ୍ଛନ୍ନତା ଏବଂ ମାଛର ଗୁଣବତ୍ତା ପରଖିବେ । ପସନ୍ଦ ଆସିଲେ ଏଠାରୁ ମାଛ ଆମଦାନୀ କରିବେ । ରାଜ୍ୟ ତଥା ଦେଶକୁ ବୈଦେଶିକ ମୁଦ୍ରା ଆସିବ, ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ବ୍ୟବସାୟ ସହିତ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଜଡିତ ବ୍ୟକ୍ତି ଏବଂ ପ୍ରତିଷ୍ଠାନ ଆର୍ଥିକ ଲାଭବାନ ହେବେ ବୋଲି ଆଶା କରାଯାଉଛି ।

ସେଥିପାଇଁ ଆଜି ପାରାଦୀପ ମାଛଧରା ବନ୍ଦର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସାମୁଦ୍ରିକ ମତ୍ସ୍ୟଜୀବୀ, ଟ୍ରଲର ମାଲିକ, ମତ୍ସ୍ୟ ଅଧିକାରୀ, ରପ୍ତାନୀ ଅନୁଧ୍ୟାନ ସଂସ୍ଥାର ଅଧିକାରୀ ଏବଂ ଏମ୍-ପେଡା ଅଧିକାରୀ ଉପସ୍ଥିତ ରହି ଆଲୋଚନା କରିବା ସହିତ ମାଛ ନିଲାମୀ ହଲ୍ ଏବଂ ହାର୍ବର ପରିସରରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଅନୁଧ୍ୟାନ କରିଥିଲେ ।