OTV ନେଟୱର୍କ ପକ୍ଷରୁ ବିଜନେସ ଓଡ଼ିଶା ଆୱାର୍ଡସ୍-୨୦୨୪ ପ୍ରଦାନ, ୬ଟି ବର୍ଗରେ ଦିଆଗଲା ପୁରସ୍କାର

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଅଭିନେତ୍ରୀ, ମଡେଲ ତଥା କୋରିଓ ଗ୍ରାଫର ଡେଜି ଶାହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

Business Odisha Awards

ଓଡ଼ିଶା ଟେଲିଭିଜନ ନେଟୱର୍କ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ବିଜନେସ୍ ଓଡ଼ିଶା ଆୱାର୍ଡସ୍-୨୦୨୪ । ଏଥିରେ ଶିକ୍ଷା, ସ୍ବାସ୍ଥ୍ୟ, ଜୁଏଲେରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ରିଅଲ ଇଷ୍ଟେଟ ଭଳି ୬ଟି ବର୍ଗରେ ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେଉଥିବା ସଂସ୍ଥାର ଗୁଣାତ୍ମକ ଉତ୍ପାଦ ଓ ଲୋକାଭିମୁଖୀ ସେବାକୁ ଚିହ୍ନଟ କରି ଗୋଟିଏ ପ୍ଲାଟଫର୍ମରେ ସମ୍ମାନିତ କରିଛି ଓଟିଭି ।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଅଭିନେତ୍ରୀ, ମଡେଲ ତଥା କୋରିଓ ଗ୍ରାଫର ଡେଜି ଶାହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶା ଟେଲିଭିଜନ ନେଟୱର୍କର ସହ-ପ୍ରତିଷ୍ଠାତା ତଥା ଏମ୍.ଡି ଜଗି ମଙ୍ଗତ ପଣ୍ଡା ସ୍ବାଗତ ଭାଷଣ ଦେଇ ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେଉଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଅବଦାନକୁ ପ୍ରଶଂସା କରିଥିଲେ ।

ବିଜନେସ୍ ଓଡ଼ିଶା ଆୱାର୍ଡସ- ୨୦୨୪ର ମନୋନୟନ ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ହୋଇଥିଲା । ପ୍ରଥମେ ନୋମିନେସନ୍ ପାଇଁ ଅନଲାଇନରେ ଆବେଦନ ଗ୍ରହଣ କରାଯାଇଥିଲା । ଏହାପରେ ଜୁରୀ ସଦସ୍ୟଙ୍କ ଦ୍ବାରା ସର୍ଟ ଲିଷ୍ଟ୍ ହେବା ପରେ ମନୋନୟନ ପ୍ରକ୍ରିୟାରେ ସାମିଲ କଂପାନୀଗୁଡିକ ଉପରେ ପ୍ରସ୍ତୁତ କ୍ଷୁଦ୍ର ଭିଡିଓ ପ୍ରୋଫାଇଲ୍ ଯାଞ୍ଚ କରିଥିଲେ ଜୁରୀ ସଦସ୍ୟ । ପରେ ପ୍ରୋଫାଇଲ୍ ଏପିସୋଡର ଟେଲିକାଷ୍ଟ ସହ ଅନଲାଇନ ଭୋଟିଂ କରାଯାଇଥିଲା । ଶେଷରେ ଜୁରୀ ସଦସ୍ୟ ଦେଇଥିବା ମାର୍କ ଏବଂ ଅନଲାଇନ୍ ଭୋଟିଂରେ ମିଳିଥିବା ମାର୍କକୁ ହିସାବ କରି, ବିଭିନ୍ନ ବିଭାଗରେ ଏହି ଆୱାର୍ଡ ପ୍ରଦାନ କରାଯାଇଛି I ଓଟିଭି ବିଜିନେସ୍ ଓଡିଶା ଆୱାର୍ଡସ୍-୨୦୨୪ର ଏହି ଦ୍ବିତୀୟ ସଂସ୍କରଣରେ ତିନି ଜଣ ଜୁରୀ ସଦସ୍ୟ ରହିଥିଲେ । ସେମାନେ ହେଲେ ନାଲକୋର ପୂର୍ବତନ ସିଏମଡି ଅଂଶୁମାନ ଦାସ, ଏମସ୍ ଭୁବନେଶ୍ଵରର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର, ବରିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ଏ. କେ. ସାବତ ।