ପାନଚାଷୀଙ୍କ ସମସ୍ୟା
ପାନ ଚାଷ ରୁ ମୁହଁ ଫେରାଇଲେଣି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଖଣ୍ଡୁରୁ ଗ୍ରାମର ଚାଷୀ l ଦିନେ ଗ୍ରାମର ଶତାଧିକ ପରିବାର ପାନ ବରଜ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ ମାତ୍ର ସାତ ରୁ ଦଶ ଜଣ ଚାଷୀ ପାନ ଚାଷ କରୁଛନ୍ତି l ଲାଭଦାୟକ ଫସଲ ଭିତରେ ପାନ ଚାଷ ରହିଥିଲେ ମଧ୍ୟ ସରକାରୀ ସହାୟତା ଅଭାବ ମାଙ୍କଡ଼ ଉପଦ୍ରଵ ଏବଂ ଗୁଟୁକା ର ବହୁଳ ବ୍ୟବହାର ଯୋଗୁଁ ନିଜ କୁଳ ବେଉସା ଠାରୁ ଦୁରେଇ ଯାଉଛନ୍ତି ଚାଷୀ l ଆସନ୍ତୁ ଦେଖିବା ଆମର ଏହି ସ୍ୱତନ୍ତ୍ର ରିପୋର୍ଟ l
ହିନ୍ଦୁ ପରମ୍ପରା ରେ ପାନ ର ରହିଛି ସ୍ୱତନ୍ତ୍ର ସ୍ଥାନ l ବିଶେଷକରି ଓଡ଼ିଆ ଙ୍କ ପ୍ରିୟ ହେଇଛି ପାନ l ରଜ ହେଉକି ପୂଜା ପାର୍ବଣ ସବୁଠି ପାନ ବିନା ସବୁ କିଛି ଫିକା l ହେଲେ ଏହି ପାନ ଚାଷୀ ଏବେ ନିଜ କୁଳ ବେଉସା ଠାରୁ ଧୀରେ ଧୀରେ ଦୁରେଇ ଗଲେଣି l ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଖଣ୍ଡୁରୁ ଗ୍ରାମ ଦିନେ ପାନ ଚାଷ ପାଇଁ ଜିଲ୍ଲାରେ ବେଶ ପ୍ରସିଦ୍ଧି ଲାଭ କରିଥିଲା l
ଗ୍ରାମର ସହ ସହ ପରିବାର ପାନ ବରଜ କରି ବିଭିନ୍ନ ପ୍ରକାର ର ପାନ ଚାଷ କରୁଥିଲେ l ଉତ୍ପାଦିତ ପାନ ପତ୍ର ଜିଲ୍ଲା ତଥା ଜିଲ୍ଲା ବାହାରକୁ ପଠାଯାଉଥିଲା l ହେଲେ ଗ୍ରାମରେ ପୂର୍ବରୁ ରହିଥିବା ସହ ସହ ପାନ ବରଜ ଏବେ ହାତଗଣତି ସାତ ରୁ ଦଶ ମଧ୍ୟ ରେ ସୀମିତ ରହିଛି l ପିଢ଼ୀ ପରେ ପିଢ଼ୀ ପାନ ଚାଷ କରିଆସୁଥିବା ଚାଷୀ ଏବେ ଦାଦନ ମୁହାଁ l କାରଣ ସରକାରୀ ପ୍ରୋଛାହନ ଅଭାବ l
ମାଙ୍କଡ଼ ଉପଦ୍ରଵ ସାଙ୍ଗକୁ ଗୁଟୁକା ର ବହୁଳ ବ୍ୟବହାର l ପାନ ର ଚାହିଦା ହ୍ରାସ ଯୋଗୁଁ ପାନ ଚାଷୀ ନିଜ କୁଳ ବେଉସା ଛାଡି ପରିବାର ପ୍ରତିପୋଷଣ ଲାଗି ଦାଦନ ମୁହାଁ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ l
ଏଟିଏମ ଭଳି ଯେତେବେଳେ ହାତ ମାରିଲେ ଟଙ୍କା ଦେଉଥିବା ପାନ ବରଜ କୁ ଏବେ ରକ୍ଷା କରିବା ଚାଷୀ ଙ୍କ ପାଇଁ କଷ୍ଟ ସାଧ୍ୟ ହେଉଛି l କାରଣ ପ୍ରତିବର୍ଷ ଅଦିନିଆ କାଳ ବୈଶାଖୀ ର ତାଣ୍ଡବ ପାନ ବରଜ କୁ ମୋଡି ଭାଙ୍ଗି ଦେଉଛି l ବ୍ୟାପକ କ୍ଷତି ସତ୍ୱେ ସରକାର ଙ୍କ ପକ୍ଷରୁ କୌଣସି ସହାୟତା ମିଳିପାରୁନାହିଁ କି କୌଣସି ଅଧିକାରୀ ଦେଖିବାକୁ ଆସୁନାହାନ୍ତି l
ସେପଟେ ପାନ ଚାଷୀ ଙ୍କୁ ବୋଝ ଉପରେ ଲଳିତା ବିଡା ସାଜିଛି ମାଙ୍କଡ଼ ଉପଦ୍ରଵ l ପାନ ବରଜ ଟିକିଏ ଛାଡିଦେଲେ ପାନ ପାତ୍ର ଗୋଟିଏ ବି ଛାଡ଼ୁନାହାନ୍ତି ମାଙ୍କଡ଼ l ତେଣୁ ଦିନ ତମାମ ଚାଷ ଜମିରେ କୁଡ଼ିଆ କରି ମାଙ୍କଡ ଜଗିଲେ ପାନ ଦେଉଛି ଆୟ l ତେବେ ଦିନେ ପାନଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଖଣ୍ଡୁରୁ ଗ୍ରାମରୁ ଧୀରେ ଧୀରେ ପାନ ଚାଷ ବନ୍ଦ ହେବା ଘଟଣା କୁ ସରକାର ହୃଦବୋଧ କରି ଚାଷୀ ଙ୍କୁ ସହାୟତା କରିବା କୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ l
ଅନ୍ୟପଟେ ଅଞ୍ଚଳରେ ପାନ ଚାଷ ହେଉଥିବା ଉଦ୍ୟାନ କୃଷି ବିଭାଗ ପାଖରେ ଖବର ନଥିବା ଆଶ୍ଚର୍ଯ୍ୟ ଲାଗିଥିବା ବେଳେ ଗଣମାଧ୍ୟମ ଠାରୁ ଖବର ପାଇବା ପରେ ଗ୍ରାମକୁ ଯାଇ ଚାଷୀଙ୍କ ସହ ଆଲୋଚନା କରାଯିବା ବୋଲି କହିଛନ୍ତି ଉଦ୍ୟାନ ବିଭାଗ ଅଧିକାରି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753267244.jpg)