• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ସ୍ୱାମୀଙ୍କୁ ଲୋନ୍ ଆକାରରେ ଦେଇଥିଲେ ଦଶ ହଜାର ଟଙ୍କା, ଆଉ ସେହି ଲୋନ୍ ଟଙ୍କାରେ ଆରମ୍ଭ ହୋଇଥିଲା ବ୍ୟବସାୟ । ଏବେ ସେହି ବ୍ୟବସାୟିକ ପ୍ରତିଷ୍ଠାନ ଓ ତାର ମୂଲ୍ୟ ଜାଣିଲେ ତାଜୁବ ହୋଇଯିବେ । ଏହା ପଛର କାହାଣୀ ଜାଣିଲେ ସମ୍ମାନରେ ହୃଦୟ ଭରିଯିବ । ଶ୍ରଦ୍ଧା, ସମ୍ମାନ, ବିଶ୍ୱାସ ଓ ପ୍ରତିବଦ୍ଧତାର ଭିତ୍ତିଭୂମି ଉପରେ ଛିଡ଼ା ହୋଇଛି ଭାରତ ବର୍ଷର ଏହି ବିଶାଳ ପ୍ରତିଷ୍ଠାନ ।

ବର୍ଷ ୧୯୮୧ରେ ଭାରତୀୟ IT ସେକ୍ଟରରେ ଆରମ୍ଭ ହୋଇଥିଲା ଏକ ବିପ୍ଳବ । ଏହା କୌଣସି ପୁରୁଷଙ୍କ ଦ୍ୱାରା ନଥିଲା, ବରଂ ନିଜ ସ୍ୱାମୀଙ୍କ ସ୍ୱପ୍ନକୁ ବିଶ୍ୱାସ କରୁଥିବା ଜଣେ ମହିଳାଙ୍କ ଦ୍ୱାରା ଏହାର ମୂଳଦୁଆ ପଡ଼ିଥିଲା । ଭାରତର ପ୍ରଥମ ମହିଳା ମେକାନିକାଲ୍ ଇଞ୍ଜିନିୟର ଭାବରେ ସଫଳତା ହାସଲ କରିସାରିଥିବା-ସୁଧା ମୂର୍ତ୍ତି, ଆଉ ଏକ ସାହସିକ ପଦକ୍ଷେପ ନେଇଥିଲେ । ସେ ତାଙ୍କ ବ୍ୟକ୍ତିଗତ ଜରୁରୀକାଳୀନ ପାଣ୍ଠିରୁ ଇନଫୋସିସ୍ ଚଳାଇବା ଲାଗି ସ୍ୱାମୀ ନାରାୟଣ ମୂର୍ତ୍ତିଙ୍କୁ ଦେଇଥିଲେ ୧୦ହଜାର ଟଙ୍କା- ଯେଉଁ କମ୍ପାନୀର ମୂଲ୍ୟ ଏବେ ୭.୩୪ ଲକ୍ଷ କୋଟି ।

ସୁଧା ମୂର୍ତ୍ତି କିଏ ?

ସୁଧା ମୂର୍ତ୍ତି କିଏ, ଯେଉଁ ମହିଳାଙ୍କ ପ୍ରାରମ୍ଭିକ ନିବେଶ ଭାରତର ସବୁଠୁ ପ୍ରତିଷ୍ଠିତ କମ୍ପାନୀ ମଧ୍ୟରୁ ଅନ୍ୟତମ କମ୍ପାନୀକୁ ଶକ୍ତି ଯୋଗାଇଥିଲା । କର୍ଣ୍ଣାଟକର ଏକ ଛୋଟ ସହରର ଘରେ ଘରେ ପରିଚିତ ହେବାପର୍ଯ୍ୟନ୍ତ ତାଙ୍କର ଯାତ୍ରା କୌଣସି ପ୍ରେରଣା ଠାରୁ କମ ନୁହେଁ ।
ହୁବଲିର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ସୁଧା, ସେହି ସମୟରେ ମେକାନିକାଲ ଇଞ୍ଜିନିୟରିଂ ପାଠ ପଢ଼ି ସମସ୍ତ ଲିଙ୍ଗଗତ ପ୍ରତିବନ୍ଧକକୁ ପାର୍ କରିଥିଲେ- ଯେବେ ମହିଳାଙ୍କ ପାଇଁ ଏହି କ୍ଷେତ୍ରରେ ପ୍ରବେଶ କରିବା ଶୁଣିବାକୁ ମିଳିନଥିଲା । ପରେ ଭାରତୀୟ ବିଜ୍ଞାନ ସଂସ୍ଥାନରୁ କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ, ଯେଉଁଠାରେ ତାଙ୍କୁ ଘର ଓ କଲେଜ ଉଭୟ ସ୍ଥାନରେ ଆହ୍ୱାନର ସାମ୍ନା କରିବାକୁ ପଡ଼ିଥିଲା । ତେବେ ପ୍ରତିକୂଳ ପରିସ୍ଥିତି ଓ ପ୍ରତିବନ୍ଧକ ସତ୍ତ୍ୱେ ସେ ନିଜ ବିଚାରରେ ଅଟଳ ଥିଲେ ଓ ପ୍ରଥମ ମହିଳା ଇଞ୍ଜିନିୟର ଭାବେ ଟାଟା ମୋଟର୍ସରେ କାମ କରିବାର ସୌଭାଗ୍ୟ ଅର୍ଜନ କଲେ । ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ସେ ସାମ୍ନା କରିଥିଲେ ଆହ୍ୱାନ । ତେବେ ଲିଙ୍ଗଗତ ଭେଦଭାବକୁ ବିରୋଧ କରି ସେ JRD ଟାଟାକୁ ଲେଖିଥିବା ଶକ୍ତିଶାଳୀ ଶବ୍ଦ ଯୋଗୁଁ ସବୁ ସମ୍ଭବ ହୋଇଥିଲା । 

ସୁଧା ମୂର୍ତ୍ତିଙ୍କ ଜୀବନରେ ଏକ ମହତ୍ତପୂର୍ଣ୍ଣ ମୋଡ଼ ଆସିଲା, ଯେତେବେଳେ ସେ ଜଣେ ପ୍ରତିଭାଶାଳୀ ଓ ମିଷ୍ଟଭାଷୀ ସଫ୍ଟୱାର ଇଞ୍ଜିନିୟର ନାରାୟଣ ମୂର୍ତ୍ତିଙ୍କୁ ଭେଟିଲେ । ସପୂର୍ଣ୍ଣ ଭିନ୍ନ ବ୍ୟକ୍ତିତ୍ୱ ଓ ଉଚ୍ଚ ଅଭିଳାଷା ଥିବା ବ୍ୟକ୍ତିଙ୍କୁ ବିବାହ କରିବାର ଆହ୍ୱାନ ସତ୍ତ୍ୱେ, ସୁଧା ତାଙ୍କୁ ବିନା ସର୍ତ୍ତରେ ସମର୍ଥନ କରିଥିଲେ । ଏପରିକି ଟାଟା ମୋଟର୍ସରେ ତାଙ୍କର ସମ୍ମାନଜନକ ଚାକିରି ଛାଡ଼ି ନାରାୟଣ ମୂର୍ତ୍ତିଙ୍କ ଉଦ୍ୟୋଗୀ ଉଦ୍ୟମରେ ସାହାଯ୍ୟ କରିଥିଲେ ।

ଇନଫୋସିସର ଜନ୍ମ
ସୁଧାଙ୍କ ୧୦ ହଜାର ଟଙ୍କା ଅବଦାନ ସହ ଇନଫୋସିସର ଜନ୍ମ ୧୯୮୧ରେ ହେଲା-ଯେଉଁ ରାଶି ତାଙ୍କର ସ୍ୱାମୀଙ୍କ ଦୃଷ୍ଟିକୋଣରେ ବିଶ୍ୱାସର ପ୍ରତୀକ ଥିଲା । ଇନଫୋସିସର ନିର୍ମାଣ ଉପରେ ନାରାୟଣ ମୂର୍ତ୍ତୀଙ୍କ ଧ୍ୟାନ ଥିଲା । ସେପଟେ ସୁଧା କେବଳ ବ୍ୟବସାୟର ସଫଳତା ପାଇଁ ଯୋଗଦାନ କରିନଥିଲେ ବରଂ ଘର ଚଳାଇଥିଲେ, ପିଲାମାନଙ୍କୁ ବଡ଼ କରିବା ଓ ଘରେ ସ୍ଥିରତା ମଧ୍ୟ ସୁନିଶ୍ଚିତ କରିଥିଲେ । ଏହା ବ୍ୟତୀତ ସୁଧା ମୂର୍ତ୍ତି ଏକ ଅଣ ଲାଭକାରୀ ଚାରିଟେବଲ ସଂସ୍ଥା ଓ ଇନଫୋସିସ ଫଉଣ୍ଡେସନର ପ୍ରତିଷ୍ଠାତା ଚେୟାରମ୍ୟାନ୍ ଥିଲେ । ଯାହା ତାଙ୍କ ସାମାଜିକ ପ୍ରତିବଦ୍ଧତାର ପ୍ରମାଣ  ।

ସୁଧା ମୂର୍ତ୍ତିଙ୍କ ପ୍ରଭାବ ତାଙ୍କର ସ୍ୱାମୀଙ୍କ ସଫଳତାରୁ ଢେର ଅଧିକ । ଜଣେ ସଫଳ ଲେଖିକା, ପରୋପକାରୀ । ସେ ଇଂରାଜୀ ଏବଂ କନ୍ନଡ ଭାଷାରେ ସବୁଠୁ ଅଧିକ ବିକ୍ରି ହେଉଥିବା ଅନେକ ପୁସ୍ତକ ରଚନା କରିଛନ୍ତି । ସମାଜ ପ୍ରତି ତାଙ୍କର ଅବଦାନ ପାଇଁ ତାଙ୍କୁ ସମ୍ମାନଜନକ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ମଧ୍ୟ କରାଯାଇଛି । ସରଳ ବ୍ୟବହାର ଓ ସ୍ପଷ୍ଟ ଜୀବନଶୈଳୀର ଶିକ୍ଷା ତାଙ୍କୁ ସମଗ୍ର ଭାରତରେ, ବିଶେଷ କରି ଯୁବକମାନଙ୍କ ମଧ୍ୟରେ ସମ୍ମାନଜନକ ବ୍ୟକ୍ତିତ୍ୱ କରିପାରିଛି ।

ଏବେ ରାଜ୍ୟସଭାର ସଦସ୍ୟ ଭାବେ ସୁଧା ମୂର୍ତ୍ତି ସାମାଜିକ ମୁଦ୍ଦା ପ୍ରତି ତାଙ୍କର ନିରନ୍ତର ପ୍ରତିବଦ୍ଧତାକୁ ପ୍ରମାଣିତ କରିଚାଲିଛନ୍ତି । ନିଜ ଇଞ୍ଜିନିୟରିଂ କଲେଜର ଏକମାତ୍ର ଝିଅ ହେବା ଠାରୁ ଆରମ୍ଭ କରି ଭାରତର ଏକ ବୃହତ ଆଇଟି କମ୍ପାନୀର ସହ-ପ୍ରତିଷ୍ଠାତାର ଯାତ୍ରା ପର୍ଯ୍ୟନ୍ତ ସେ ସଂପୂର୍ଣ୍ଣ ପ୍ରତିବଦ୍ଧତା, ନିଷ୍ଠା ଓ ସରଳ ବିଶ୍ୱାସ ଦ୍ୱାରା ଜଣେ ବ୍ୟକ୍ତି କିପରି ବାସ୍ତବରେ ପରିବର୍ତ୍ତନ ଆଣିପାରେ ତାହା ପ୍ରମାଣ କରିଛନ୍ତି ।

ସୁଧା ମୁର୍ତ୍ତିଙ୍କ କାହାଣୀ କେବଳ ଇନଫୋସିସ୍ ଜନ୍ମ ବିଷୟରେ ନୁହେଁ; ଏହା ଜଣେ ମହିଳାଙ୍କ ବିଷୟରେ, ଯିଏ ତାଙ୍କ ଜୀବନର ପ୍ରତ୍ୟେକ କ୍ଷେତ୍ରରେ, ତାଙ୍କ କ୍ୟାରିଅର୍ ଠାରୁ ଆରମ୍ଭ କରି ପରିବାର ପର୍ଯ୍ୟନ୍ତ, ଏବଂ ବର୍ତ୍ତମାନ, ତାଙ୍କ ଦେଶ ପର୍ଯ୍ୟନ୍ତ ସଫଳ ଇଞ୍ଜିନିୟରିଂ କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now