ଛତୁ ଚାଷ ଦେଇଛି ପରିଚୟ; ଆତ୍ମନିର୍ଭର ହେବା ସହ ରୋଜଗାର ଯୋଗାଉଛନ୍ତି ବିଶିକେସନ

ଛତୁ କିଲୋ ପିଛା ୩୦୦ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ କରିପାରିବା ସହ ଅନ୍ୟ ଦୁଇ ଜଣ କର୍ମଚାରୀଙ୍କୁ ରୋଜଗାର ଦେଇଛନ୍ତି ବିଶିକେଶନ ।

ଛତୁ ଚାଷ କରି ମାଲାମାଲ

ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନେ ଯେଉଁ ଚାଷୀ ଛତୁ ଚାଷ ଆରମ୍ଭ କରିଥିଲେ, ସେହି ଚାଷରୁ ସେ ଆଜି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଖିଲାମୁଣ୍ଡା ଗାଁର ଯୁବ ଚାଷୀ ବିଶିକେସନ ସାହୁ। ପ୍ରଥମେ ପରିବା ବ୍ୟବସାୟ କରୁଥିଲେ, ଏବେ ଛତୁ ଚାଷ କରି ଅଂଚଳରେ ନିଜର ପରିଚୟ ସୃଷ୍ଟି କରିବା ସହ ନିଜର ଆର୍ଥିକ ସ୍ଥିତି ବେଶ ସ୍ୱଚ୍ଛଳ କରିପାରିଛନ୍ତି ।

ଆଜି ବିଶିକେସନ ଜଣେ ସଫଳ ଚାଷୀ ହୋଇପାରିଛନ୍ତି । ସେ ୟୁଟୁବ ମାଧ୍ୟମରେ ଛତୁ ଚାଷ ସମ୍ପର୍କରେ ପ୍ରଥମେ ଜାଣିବାକୁ ପାଇଥିଲେ । ପରେ ୨୦୨୨ -୨୩ରେ ଉଦ୍ୟାନ କୃଷି ବିଭାଗ ପ୍ରୋତ୍ସାହନରେ ସ୍ୱଳ୍ପ ଛତୁ ଚାଷ ଆରମ୍ଭ କରିଥିଲେ । ହେଲେ ବର୍ତ୍ତମାନ ଏହି ଚାଷୀଙ୍କ ଫାର୍ମରେ ୪୦୦ରୁ ଊର୍ଦ୍ଧ୍ୱ ବେଡ ଛତୁ ଚାଷ ପାଇଁ ପ୍ରସ୍ତୁତ ହୋଇ ରହିଥିବା ବେଳେ ଦୈନିକ ୧୫ କିଲୋରୁ ଊର୍ଦ୍ଧ୍ୱ ଛତୁ ଉତ୍ପାଦିତ ହେଉଛି ।

ଛତୁ କିଲୋ ପିଛା ୩୦୦ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ କରିପାରିବା ସହ ଅନ୍ୟ ଦୁଇ ଜଣ କର୍ମଚାରୀଙ୍କୁ ରୋଜଗାର ଦେଇଛନ୍ତି ବିଶିକେଶନ । ତାଙ୍କ ଫାର୍ମରୁ ଉତ୍ପାଦିତ ଛତୁ ଉନ୍ନତମାନର ରହିଥିବାରୁ ଅଂଚଳରେ ବେଶ ଚାହିଦା ରହୁଛି । ତେଣୁ ବ୍ୟବସାୟୀ ଓ ଗ୍ରାହକ ମାନେ ମଧ୍ୟ ଏଠାକୁ ଆସି ଛତୁ ନେଉଛନ୍ତି । ସରକାରୀସ୍ତରରେ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଏହି ଛତୁ ଚାଷ ଆଗକୁ ଆହୁରି ବଢ଼ିପାରିବ ବୋଲି ଆଶା ରଖିଛନ୍ତି । ବାସ୍ତବରେ ଏହି ଯୁବ ଚାଷୀଙ୍କ ଭିନ୍ନ ପ୍ରୟାସ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣାଦାୟୀ ।