ଇଛାଧୀନ କୋଟାକୁ ନେଇ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି। ୨୦୧୪ ଡିସେମ୍ବରରେ ଗୋଟିଏ ନିଷ୍ପତ୍ତି, ୨୦୨୨ ବେଳକୁ ପରିବର୍ତ୍ତନ କରି କ୍ୟାବିନେଟ୍ରେ ଆସିଲା ନୂଆ ନିଷ୍ପତ୍ତି। ଅର୍ଥାତ ରାଜ୍ୟ ସରକାର ମାରିଛନ୍ତି ୟୁଟର୍ଣ୍ଣ। ପ୍ରଥମେ ନଜର ପକାନ୍ତୁ ଇଚ୍ଛାଧୀନ କୋଟା କେଳେଙ୍କାରୀ ଉପରେ। ବିଡିଏ, ସିଡିଏ ଏବଂ ଓଡିଶା ହାଉସିଂ ବୋର୍ଡରୁ ଏକାଧୀକ ଘର, ପ୍ଲଟ ହାତେଇଥିଲେ ରାଜ୍ୟର ବହୁ ପ୍ରଭାବଶାଳୀ। ଆଇଏସ୍, ଆଇପିଏସ୍, ରାଜନେତା, ସାମ୍ବାଦିକ ଏବଂ ପ୍ରଭାବଶାଳୀ ନେତା ନିଜର ପ୍ରଭାବ ମାଧ୍ୟମରେ ଭୁବନେଶ୍ୱର, କଟକରେ ନେଇଥିଲେ ଘର ଓ ଫ୍ଲାଟ।
ବିବାଦ ତୀବ୍ର ହେବା ପରେ ତାରା ଦତ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ହେଇଥିଲା ଟାସ୍କଫୋର୍ସ କମିଟି। ୫୯୨ ପୃଷ୍ଠା ସମ୍ବଳିତ ବିସ୍ତୃତ ତଥ୍ୟ ରାଜ୍ୟ ସରକାରଙ୍କୁ ବି ଟାସ୍କଫୋର୍ସ କମିଟି ପ୍ରଦାନ କରିଥିଲେ। ୧୯୯୫ରୁ ୨୦୧୪ ମଧ୍ୟରେ ବିଡିଏରୁ ୧୦୩୮, ସିଡିଏରୁ ୨୩୩୨, ହାଉସିଂ ବୋର୍ଡରୁ ୪୦୫ ଘର ଥାର୍ଡ ପାର୍ଟି ଟ୍ରାନସଫର୍ କରାଯାଇଥିଲା। ଯେଉଁଥିରେ ଏକାଧିକ ଘର କି ପ୍ଲଟ୍ ହାତେଇଥିଲେ ଅନେକ ପ୍ରଭାବଶାଳୀ। ତେବେ ବିବାଦ ବଢ଼ିବାରୁ ଟାସ୍କପୋର୍ସର ସୁପାରିଶ ଆଧାରରେ ଇଚ୍ଛାଧୀନ କୋଟାରେ ପାଇଥିବା ସମସ୍ତ ପ୍ଲଟ ଓ ଫ୍ଲାଟକୁ ବାତିଲ ପାଇଁ ନିଷ୍ପତ୍ତିି ନେଇ ପ୍ରକ୍ରିୟା ବି ଆରମ୍ଭ ହେଲା।
ଆଉ ଏବେ ୮ ବର୍ଷ ପରେ ରାଜ୍ୟ କ୍ୟାବିନେଟ୍ ବାହାର କରିଛି ତାର ଗଳାବାଟ। ଇଛାଧୀନ କୋଟାରେ ଏକକ ଆବଣ୍ଟନକୁ ଟାସ୍କ ଫୋର୍ସ କମିଟିର ରିପୋର୍ଟ ପରିଧିରୁ ବାଦ୍ ଦିଆଯାଇଛି। ଅର୍ଥାତ୍ ଇଛାଧୀନ କୋଟାରେ ଗୋଟିଏ ଘର କିମ୍ବା ପ୍ଲଟ ପାଇଥିଲେ ତାକୁ ରଦ୍ଦ କରାଯିବ ନାହିଁ। ଏଭଳି ପରିବର୍ତ୍ତିତ ନିଷ୍ପତ୍ତିକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ବର୍ଷିବା ସହ ବଡବଡିଆ ଓ ପ୍ରଭାବଶାଳୀଙ୍କୁ ସୁରକ୍ଷା ଏବଂ ଘଣ୍ଟଘୋଡାଇବାକୁ ଏହି ନିଷ୍ପତ୍ତି ବୋଲି ଅଭିଯୋଗ କରିଛନ୍ତି। ବିଜେଡି ତାର ଜବାବ୍ ରଖିଛି।
ସେପଟେ ଏକକ ଆବଣ୍ଟନ ଯଥାର୍ଥ ଥିବା ବୋଲି ଦର୍ଶାଇବା ସହ ବିଭିନ୍ନ ନ୍ୟାୟାଳୟ ନିର୍ଦ୍ଦେଶର ଆଳ ନେଇଛନ୍ତି ରାଜ୍ୟ ସରକାର। ସେପଟେ ସବୁ ଭୁଲ୍ କାମକୁ ନିୟମିତ କରିବା ଓଡିଶା ସରକାରଙ୍କ ଅଭ୍ୟାସ ହୋଇଯାଇଛି ବୋଲି ରିଅଲ୍ ଇଷ୍ଟେଟ୍ ଆକିଟିଭିଷ୍ଟ ବିମଳେନ୍ଦୁ ମହାନ୍ତି କହିଛନ୍ତି। ଇଚ୍ଛାଧୀନ କୋଟା କେଳେଙ୍କାରୀକୁ ନେଇ ପୂର୍ବରୁ ଖୁବ୍ ତମ୍ବିତୋଫାନ୍ ହୋଇଥିଲା। ୮ ବର୍ଷ ପରେ ସବୁ ଶାନ୍ତ ହେବା ପରେ ସରକାର ଗଳାବାଟ ବାହାର କରି ସମସ୍ତଙ୍କୁ ଘର ରଖିବାରେ ସାହାଯ୍ୟ କରିଛନ୍ତି। ଯାହାକୁ ନେଇ ପୁଣିଥରେ ଇଚ୍ଛାଧୀନ କୋଟା ବିବାଦ ସାମ୍ନାକୁ ଆସିଛି।
(ଭୁବନେଶ୍ୱରରୁ ସୋମ୍ୟରଂଜନ ସାହୁ ଓ ହରିହର ଚାନ୍ଦଙ୍କ ରିପୋର୍ଟ)