Advertisment

ଡାଲି, ଚାଉଳ ମହଙ୍ଗା; ମସଲା ସାମଗ୍ରୀ ଅମୂଲ ମୂଲ

ତଥ୍ୟ କହୁଛି ଚାଉଳ ଦର ୧୧ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେମିତି ୧୦୦ରୁ ୧୧୦ ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ ଦେଢ଼ ଶହ ପାର୍। ମୁଗ, ବୁଟ ଓ ବିରି ଡାଲି, ଏସବୁ ଯେମିତି ହରଡ଼ ଡାଲି ପିଛା ଧରିଛନ୍ତି।

ଅଦ୍ୟତନ ହୋଇଛି
undefined

dal rice masala price hiked

Advertisment

ସାଧାରଣ ଖାଉଟିଙ୍କ ପକେଟ୍‌କୁ ସାଂଘାତିକ ଭାବେ ମାଡ଼ କଲାଣି ବେଲଗାମ୍ ଦର ବୃଦ୍ଧି। ପନିପରିବାଠୁ ଧରି ଆତ୍ୟବଶ୍ୟକ ଖାଦ୍ୟ ସାମଗ୍ରୀ, ଯେମିତିକି ଚାଉଳ, ଡାଲି ଓ ମସଲା ସାମଗ୍ରୀ ସବୁ କିଛି ଏବେ ମଧ୍ୟବିତ୍ତ ଓ ଗରିବଙ୍କ ବଜେଟ୍ ଭିତରେ ନଥିବା ଭଳି ଲାଗୁଛି। ସରକାରଙ୍କ ଦୂରଦୃଷ୍ଟିର ଅଭାବକୁ ଏଥିପାଇଁ ବ୍ୟବସାୟୀ ମହାସଂଘ ଦାୟୀ କରିଥିବାବେଳେ ଖାଉଟି କହିଲେଣି ଶୀଘ୍ର ଦରବୃଦ୍ଧିରେ ବ୍ରେକ୍ ନଦେଲେ ବଞ୍ଚିବା କଷ୍ଟକର ହେବ।

Advertisment

ପରିବା ଦର ହୁ ହୁ , ଡାଲି, ଚାଉଳ ମହଙ୍ଗା, ମସଲା ସାମଗ୍ରୀ ଅମୂଲ ମୂଲ। ସାଧାରଣ ମଣିଷର ଆହାର ମୁହଁରେ ଯେମିତି ପାହାର ଦେଉଛି ଏବେକାର ମହଙ୍ଗା ମାଡ଼। ଚାଉଳ, ଗହମ, ଡାଲି, ଜୀରା, ପାନମଧୁରୀ ସହ ଅଦା ଓ ରସୁଣ। ସବୁ ରେଟ୍ ଘୋଡ଼ା ଭଳି ଦୌଡୁଛି। ମୁଖ୍ୟ ଖାଦ୍ୟ ସାମଗ୍ରୀ ଭାବେ ଚାଉଳକୁ ବିଚାରକୁ ନେଲେ, ଉଷୁନା ହେଉ କି ଅରୁଆ- ଗତ ତିନିମାସ ଭିତରେ କ୍ୱିଣ୍ଟାଲ ପିଛା ଦର ବଢ଼ିଲାଣି ୭ଶହ ରୁ ୮ଶହ ଟଙ୍କା। ଅର୍ଥାତ୍ ଯେଉଁ ଚାଉଳ କିଲୋ ପିଛା ୨୫ ଟଙ୍କାରେ ମିଳୁଥିଲା ତା ଏବେ ୩୨ରୁ ୩୫ଟଙ୍କା ପହଞ୍ଚିଲାଣି। ମାନେ ଆଖି ପିଛୁଳାକେ ରେଟ୍ ୧୫ରୁ ୨୦ ପ୍ରତିଶତ ବଢିଯାଇଛି।

ତଥ୍ୟ କହୁଛି ଚାଉଳ ଦର ୧୧ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେମିତି ୧୦୦ରୁ ୧୧୦ ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ ଦେଢ଼ ଶହ ପାର୍। ମୁଗ, ବୁଟ ଓ ବିରି ଡାଲି, ଏସବୁ ଯେମିତି ହରଡ଼ ଡାଲି ପିଛା ଧରିଛନ୍ତି। ତରକାରୀ ହାଣ୍ଡିର ସୁଆଦ ବଢ଼ାଉଥିବା ମସଲାର ମୁଖ୍ୟ ଆଇଟମ୍ ଜୀରା, ଗୋଲମରିଚ, ଗୁଜୁରାତି ଦର ବି ଏବେ ଅମୂଲ ମୂଲ। ଦୁଇ ମାସ ତଳେ କିଲୋ ଅଢ଼େଇ ଶହରୁ ୩ଶହ ଟଙ୍କାରେ ମିଳୁଥିବା ଜୀରା ଏବେ ଛୁଇଁଲାଣି ୭ ଶହ। ସେମିତି ଅଦା ୩ଶହ ଟଙ୍କାରୁ ତଳକୁ ଖସୁନି ତ ରସୁଣ କିଲୋ ୨ଶହ ଉପରେ।

Advertisment

ସେହିପରି ଗହମ ଜାତ ସାମଗ୍ରୀ ଅଟା, ସୁଜି, ମଇଦା ରେଟ୍ ବି ଉପର ମୁହାଁ ହେବାରେ ଲାଗିଛି। ଏକଦା ଚାଉଳର ବଳକା ରାଜ୍ୟ ଭାବେ ଗଣାଯାଉଥିବା ଓଡିଶାରେ ଏଭଳି ସ୍ଥିତିକୁ ନେଇ ସାଧାରଣ ଖାଉଟୀଙ୍କଠୁ ବ୍ୟବସାୟୀ ଯାଏଁ ସମସ୍ତେ ଚିନ୍ତାରେ। ସୂଚନା ଅନୁସାରେ ଗତ ଦୁଇ ହଜାର ମସିହାରେ ଓଡିଶାରେ ୪୬.୧୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦନ ହେଉଥିଲା। ୨୦୨୨ ସୁଦ୍ଧା ଏହା ଅଢେଇ ଗୁଣ ବଢ଼ି ୧୧୫ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। 

ତଥାପି ଦର ନିୟନ୍ତ୍ରଣ ବାହାରକୁ ଯିବା ନେଇ ସିଧା ସରକାରଙ୍କ ଯୋଗାଣ ନୀତିକୁ ଦାୟୀ କରିଛି ବ୍ୟବସାୟୀ ମହାସଂଘ। ସେପଟେ କଟକ ଚାମ୍ବର ଅଫ୍ କମର୍ସ କହିଛି- ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ବେଲଗାମ୍ ଦର ବୃଦ୍ଧିର ମୁଖ୍ୟ କାରଣ ବଡ଼ ବଡ଼ ମଲ୍ ଓ ଷ୍ଟୋର। ଉତ୍ପାଦନ ଆରମ୍ଭରୁ ସେମାନେ ସାମଗ୍ରୀ କିଣି ମହଜୁଦ୍ କରି ରଖୁଥିବାରୁ ବଜାରରେ ଅଭାବ ପଡୁଛି। ଯାହାଦ୍ୱାରା ସେମାନେ ବେଶ୍ ଲାଭବାନ ହେଉଥିବାବେଳେ ଗରିବ-ମଧ୍ୟବିତ୍ତ ଲୋକେ ମହଙ୍ଗା ମାଡ଼ରେ ସନ୍ତୁଳି ହେଉଛନ୍ତି।

Advertisment

ଏଣେ କଞ୍ଚା ପରିବା ବଜାରରେ ଯଦିଓ ରେଟ୍ ସାମାନ୍ୟ ତଳମୁହାଁ ହୋଇଛି- ହେଲେ ଟମାଟୋ ସର୍ବାଗ୍ରେ ଶହେ ଟଙ୍କା ଉପରେ ବିକ୍ରି ହେଉଛି। ବର୍ଷା ଦିନିଆ ପରିବା ହୋଇଥିଲେ ବି ବାଇଗଣ, କଲରା, ପୋଟଳ, ଜହ୍ନି ଓ ଝୁଡ଼ଙ୍ଗ, କାହାରି କିଲୋ ୫୦ ତଳକୁ ନାହିଁ। କଞ୍ଚାଲଙ୍କା ସେମିତି ୨ଶହ ଉପରେ ବିକ୍ରି ହେଉଥିବାବେଳେ ବିନ୍ ସ ଦେଢ଼ ଶହ ଟଙ୍କାରେ ବିକ୍ରି ହେଉଛି। ଭୁବନେଶ୍ୱରର ୧ ନମ୍ବର ହାଟ ହେଉ କି କଟକ ଛତ୍ରବଜାର ପରିବା ମଣ୍ଡି, ସେଠି କିଣା ରେଟ୍ ଉଚ୍ଚା ଥିବାରୁ ବାଧ୍ୟ ହୋଇ ଅଧିକ ଦରରେ ପନିପରିବା ବିକୁଥିବା କହିଛନ୍ତି ଖୁଚୁରା ବ୍ୟବସାୟୀ। ତେବେ ନୂଆ ଫସଲ ଆସିଗଲେ କଞ୍ଚା ପରିବା ଦର ସ୍ବାଭାବିକ ସ୍ଥିତିକୁ ଆସିଯିବ ବୋଲି କହିଛନ୍ତି ହୋଲସେଲ୍ ବେପାରୀ। ତେବେ ଟମାଟୋର ଅହେତୁକ ଦର ବୃଦ୍ଧି ତାଉରେ ଛଟପଟ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ଲାଗି କେନ୍ଦ୍ର ସରକାର ଏହାକୁ ନାଫେଡ୍ ମାଧ୍ୟମରେ ବିକ୍ରି ପାଇଁ ନିଷ୍ପତ୍ତି ନେଇଛନ୍ତି।

Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ