ଓଡ଼ିଶା ପାଇଁ କ’ଣ ରହିଛି ନିର୍ମଳାଙ୍କ ବଜେଟ୍‌ରେ, ୨ଟି ବଡ଼ କଥା କହିଛନ୍ତି ଅର୍ଥମନ୍ତ୍ରୀ

ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା । ଓଡ଼ିଶା ଉପରେ ଦୁଇଟି କଥା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Budget 2024

ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା । ଓଡ଼ିଶା ଉପରେ ଦୁଇଟି କଥା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଘୋଷଣା ହୋଇଛି । ନିଜ ଅଭିଭାଷଣରେ ସେ କହିଛନ୍ତି, ମନ୍ଦିର, ଅଭୟାରଣ୍ୟ, ସାମୁଦ୍ରିକ ସଂପଦ ପାଇଁ ଓଡ଼ିଶା ଜଣାଶୁଣା । ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ସହାୟତା ମିଳିବ ।

ଓଡ଼ିଶାର ପର୍ଯ୍ୟଟନସ୍ଥଳକୁ ବିଶ୍ୱସ୍ତରୀୟ କରାଯିବ । ସେହିପରି ଆଉ ଏକ ଘୋଷଣାରେ ଅର୍ଥମନ୍ତ୍ରୀ କହିଛନ୍ତି, ଓଡ଼ିଶା ସମେତ ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ ଯୋଜନା । ଏଥିରେ ପୂର୍ବାଞ୍ଚଳ ରାଜ୍ୟ ସହ ଆଉ ୫ଟି ରାଜ୍ୟ ସାମିଲ ହେବେ । ସ୍କିମରେ ସାମିଲ ହେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ସାମିଲ ହେବେ ।

Budget 2024 Live Updates: କେନ୍ଦ୍ର ବଜେଟ୍‌-୨୦୨୪ର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ...

ସେପଟେ ବଜେଟରେ କୃଷି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି । କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର । ୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ । ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ ।

ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ । ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ । ଏହା ସହ କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟିର ପ୍ରାବଧାନ ମଧ୍ୟ ମିଳିବ । ବଜେଟରେ କୃଷି, ନିଯୁକ୍ତି, ଦକ୍ଷତା ବିକାଶ, ଏମଏସଏମଇ, ମଧ୍ୟବିତ୍ତଙ୍କୁ ଫୋକସ ।

ସେହିପରି ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି, ସୁଦକ୍ଷ ଲକ୍ଷ୍ୟ ରଖାଯାଇଛି । ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା କରାଯିବ । ବିକଶିତ ଭାରତକୁ ବଜେଟରେ ପ୍ରାଥମିକତା ଦିଆଯାଇଛି । ବିକଶିତ ଭାରତ ନେଇ ବଜେଟରେ ୯ଟି କ୍ଷେତ୍ରକୁ ପ୍ରାଥମିକତା ଦେଇଛନ୍ତି ସରକାର । ପ୍ରଥମ ପ୍ରାଥମିକତା କୃଷି ଉତ୍ପାଦନ ବୃଦ୍ଧି, ଦ୍ୱିତୀୟ ପ୍ରାଥମିକତା ନିଯୁକ୍ତି ଓ ଦକ୍ଷତା।

ଅଧିକ ପଢ଼ନ୍ତୁ: ବଜେଟ୍‌-୨୦୨୪: କ’ଣ ହେଲା ଶସ୍ତା ? କ’ଣ ହେଲା ମହଙ୍ଗା ? ଜାଣନ୍ତୁ...

ସେହିପରି ତୃତୀୟ ପ୍ରାଥମିକତା ମାନବ ସମ୍ବଳ ବିକାଶ ଓ ସାମାଜିକ ନ୍ୟାୟ, ଚତୁର୍ଥ ପ୍ରାଥମିକତା ନିର୍ମାଣ ଓ ସେବା କ୍ଷେତ୍ର, ପଞ୍ଚମ ପ୍ରାଥମିକତା ସହରାଞ୍ଚଳ ବିକାଶ, ଷଷ୍ଠ ପ୍ରାଥମିକତା ଶକ୍ତି ସୁରକ୍ଷା, ସପ୍ତମ ପ୍ରାଥମିକତା ଭିତ୍ତିଭୂମି ବିକାଶ, ଅଷ୍ଟମ ପ୍ରାଥମିକତା ଉଦ୍ଭାବନ, ଗବେଷଣା ଓ ବିକାଶ, ନବମ ପ୍ରାଥମିକତା ଉଦ୍ଭାବନ, ଗବେଷଣା ଏବଂ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ।

ଗରିବ, ମହିଳା, ଯୁବବର୍ଗ ଓ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ନୂଆ ବ୍ୟବସ୍ଥାରେ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟିକସ ନାହିଁ । ଓଡ଼ିଶା ସମେତ ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ପୂର୍ବୋଦୟ ସ୍କିମ ରହିଛି । ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଜେଟରେ ଘୋଷଣା । ବିହାର, ଆନ୍ଧ୍ର ପାଇଁ ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ ।

ନୂଆ ଚାକିରିଆଙ୍କ ପାଇଁ ବଜେଟରେ ବଡ଼ ଘୋଷଣା । EPFOରେ ଯୋଡ଼ି ହୋଇଥିବା ଚାକିରିଆଙ୍କୁ ଗୋଟିଏ ମାସର ବେତନ ମିଳିବ । ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ୩ଟି କିସ୍ତିରେ DBT ମାଧ୍ୟମରେ ସୁବିଧା ମିଳିବ । କୋଟିଏ ଯୁବକଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଘୋଷଣା । ଇଣ୍ଟର୍ଣ୍ଣସିପ୍ ବେଳେ ମିଳିବ ମାସିକ ୫ହଜାର ଟଙ୍କା ଭତ୍ତା ।

ଆଉ ୩ କୋଟି ଆବାସ ଗୃହ ନିର୍ମାଣ ନେଇ ଘୋଷଣା । ମୁଦ୍ରା ଲୋନ୍ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ । ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ । ଦେଶର ବିଭିନ୍ନ ସହରରେ ନିର୍ମାଣ ହେବ ୧୦୦ ଷ୍ଟ୍ରିଟ୍ ଫୁଡ୍ ହବ୍ । ୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ । ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର । ରାଜ୍ୟଗୁଡ଼ିକୁ ଦୀର୍ଘମିଆଦି ଋଣ ଯୋଗାଣ ଚାଲୁ ରହିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ସେପଟେ ଶସ୍ତା ହେବ ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀ ସହ ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ । ଶସ୍ତା ହେବ ସୁନା, ରୁପା ଓ ପ୍ଲାଟିନମ୍ । ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ । ସେପଟେ ପେଟ୍ରୋକେମିକାଲ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ । ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସଂପର୍କିତ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ ।