ଖୋଲିଲା ନିର୍ମଳାଙ୍କ ବଜେଟ୍‌ ପେଡ଼ି; ୫ ବର୍ଷରେ ମିଳିବ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି...

ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍‌ । ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 

Union Budget

ଖୋଲିଲା ନିର୍ମଳାଙ୍କ ବଜେଟ୍‌ ପେଡ଼ି । ଲୋକସଭାରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣ ଆରମ୍ଭ କରିଛନ୍ତି । ଏଥର ସଂସଦରେ ପେପର୍‌ ଲେସ୍‌ ବଜେଟ୍‌ ଉପସ୍ଥାପନ ହୋଇଛି। ଅର୍ଥମନ୍ତ୍ରୀ ଆଗତ କରିଛନ୍ତି ୨୦୨୪-୨୫ ବର୍ଷ ପାଇଁ ବଜେଟ୍ । ମୋଦିଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍।

ଯୁବବର୍ଗଙ୍କୁ ନିଯୁକ୍ତି...

ଏଥର ବଜେଟ୍‌ରେ ନିଯୁକ୍ତି, ଦକ୍ଷତା ବିକାଶ, ଏମଏସଏମଇ, ମଧ୍ୟବିତ୍ତଙ୍କୁ ଫୋକସ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଯାଇଛି । ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି, ସୁଦକ୍ଷ ଲକ୍ଷ୍ୟ ରଖାଯାଇଛି । ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା ହୋଇଛି । ବିକଶିତ ଭାରତକୁ ବଜେଟରେ ପ୍ରାଥମିକତା ଦିଆଯିବ । 

Budget 2024 Live Updates: କେନ୍ଦ୍ର ବଜେଟ୍‌-୨୦୨୪ର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ...

କୃଷି କ୍ଷେତ୍ର ପାଇଁ...

କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ମଧ୍ୟ ଦିଆଯାଇଛି । ୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ । ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ । ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ । ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ । କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟିର ପ୍ରାବଧାନ ରହିଛି । ସେହିପରି ପିଏମ୍ ଯୋଜନାରେ ମିଳିବ ୧୫ ହଜାର ଟଙ୍କା ।

ଅନ୍ୟପଟେ ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ । ପୂର୍ବାଞ୍ଚଳ ରାଜ୍ୟ ସହ ଆଉ ୫ଟି ରାଜ୍ୟ ସାମିଲ ହେବେ । ସ୍କିମରେ ସାମିଲ ହେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ।

ବିହାର, ଆନ୍ଧ୍ର ପାଇଁ ହାତ ଖୋଲିଦେଲେ ନିର୍ମଳା...

ବିହାର,ଆନ୍ଧ୍ର ପାଇଁ ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ । ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜର ବିକାଶ ହେବ । ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ । ଆନ୍ଧ୍ରପ୍ରଦେଶ ପାଇଁ ବି ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ । ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ । ପୋଲାଭରମ ଆନ୍ଧ୍ରର ଜୀବନ ରେଖା ବୋଲି କହିଲେ ଅର୍ଥମନ୍ତ୍ରୀ । ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଯୋଜନାରେ ବି ଅନୁଦାନ ଘୋଷଣା କରାଯାଛି । 

ଆଉ ୩ କୋଟି ପିଏମ୍ ଆବାସ ନିର୍ମାଣ ଘୋଷଣା । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ହେବ ।  ସେହିପରି ମହିଳା ଓ ଯୁବତୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ୩ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।