• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କେମିତି ଦିଶିବେ ଅଯୋଧ୍ୟାର ନବନିର୍ମିତ ମନ୍ଦିରରେ ପ୍ରାଣପ୍ରତିଷ୍ଠିତ ହେବାକୁ ଥିବା ରାମଲଲ୍ଲା ? ଏନେଇ ଅଗଣିତ ରାମଭକ୍ତ ଉତ୍କଣ୍ଠାରେ ଥିବା ବେଶେ, ଆଜି ଏହାର ସାମାନ୍ୟ ସଂକେତ ମିଳିଛି । ରାମଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଜାରି ଏକ ଭିଡିଓରେ ଦେଖିବାକୁ ମିଳୁଛି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଏକ ଦିବ୍ୟ ଚିତ୍ର । ସେପଟେ ମନ୍ଦିର ଗର୍ଭଗୃହର ରାତ୍ରିକାଳୀନ ଦୃଶ୍ୟ ବି ଲାଗୁଛି ଅତିବ ଆକର୍ଷଣୀୟ ।

ପ୍ରସ୍ଫୁଟିତ ପଦ୍ମ ଉପରେ ଦଣ୍ଡାୟମାନ 'ପଦ୍ମପାଦ' । ରାଜକୀୟ ବେଶରେ ଅଯୋଧ୍ୟାର ରାଜକୁମାର । ହସ୍ତରେ କୋଦଣ୍ଡ, ସାଥିରେ ତୀର ଓ ତୁଣୀର ଲମ୍ବିତ କେଶ, କପାଳେ ତିଳକ, କର୍ଣ୍ଣରେ କୁଣ୍ଡଳ । ଦିବ୍ୟ ସେ ସ୍ମିତହାସ୍ୟ, ଦେବତୁଲ୍ୟ ମୁଖମଣ୍ଡଳ । ଶିଳ୍ପୀଙ୍କ କଳ୍ପନାରେ ଶୈଶବାବସ୍ଥାରେ କିଛି ଏଭଳି ଦିଶୁଥିଲେ ଅଯୋଧ୍ୟାର ଅଧିପତି । ଆଉ ସମ୍ଭବତଃ ଭବ୍ୟ ମନ୍ଦିରର ଗର୍ଭଗୃହରେ ବି, କିଛି ଏଭଳି ରୂପରେ ପୂଜା ପାଇବେ ୫ ବର୍ଷୀୟ ରାମଲାଲାଙ୍କ ବାଳୁତ ବିଗ୍ରହ ।

ସ୍ୱତନ୍ତ୍ର କୃଷ୍ଣଶିଳାରେ ୫୧ ଇଞ୍ଚ ଉଚ୍ଚ ରାମଲାଲାଙ୍କ ବିଗ୍ରହ ତିଆରି ସରିଥିବା ବେଳେ, ତାକୁ ଥରଟେ ଆଖିପୂରେଇ ଦେଖିବାକୁ ଉତ୍କଣ୍ଠିତ ଅଗଣିତ ରାମଭକ୍ତ । ଏସବୁ ଭିତରେ ଆଜି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ସାର୍ବଜନୀନ କରାଯାଇଛି ଅପୂର୍ବ ଚିତ୍ର । ଯେଉଁଥିରେ ଝଲସୁଛି କମନୀୟ ଶିଶୁ ସୁଲଭ ରୂପ ଓ ସେଥିରେ ସୁସ୍ପଷ୍ଟ ଦିବ୍ୟତାର ଛାପ । ପଞ୍ଚତତ୍ତ୍ୱରେ ଶ୍ରୀରାମ ଥିମକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଏହି ଚିତ୍ରକୁ ଦେଖିବାକୁ ମିଳୁଛି।

ସେପଟେ ମକର ସଂକ୍ରାନ୍ତି ଠାରୁ ନିଜ ନିଜ ଅଞ୍ଚଳର ମନ୍ଦିରରେ ସ୍ୱଚ୍ଛତା ରକ୍ଷା ଏବଂ ପ୍ରାଣପ୍ରତିଷ୍ଠା ଦିନ ଆଳତୀ, ପ୍ରସାଦ ବଣ୍ଟନ ଓ ଘରେ ଘରେ ଦୀପାବଳି ଆଦି ପାଳନ କରିବାକୁ ଦେଶବାସୀ ତଥା ରାମଭକ୍ତଙ୍କୁ ତୀର୍ଥକ୍ଷେତ୍ର ପକ୍ଷରୁ ନିବେଦନ କରାଯାଇଛି ।

ରାତିରେ ବହୁଗୁଣ ବଢ଼ିଯାଉଛି ରାମ ମନ୍ଦିର ଗର୍ଭଗୃହ ସୌନ୍ଦର୍ଯ୍ୟ । ପଥରର ସୂକ୍ଷ୍ମ କାରିଗରୀକୁ ଅଧିକ ଆକର୍ଷଣୀୟ କରୁଛି ସୌମ୍ୟ-ଶୁଭ୍ର ଆଲୋକ ସଜ୍ଜା । ଆଉ କିଛି ଦିନ ପରେ ଏହି ଗର୍ଭଗୃହର ସିଂହାସନରେ ସୁନା ଛାଉଣୀ ହେବ ବୋଲି ଓଟିଭିକୁ ସୂଚନା ଦେଇଛନ୍ତି ସେଠାରେ ନିୟୋଜିତ ଜଣେ ଓଡ଼ିଆ ଇଞ୍ଜିନିୟର । ସେପଟେ ପୂର୍ବରୁ ରାମମନ୍ଦିର ସିଂହଦ୍ୱାର ସହିତ ହନୁମାନ ଓ ଗରୁଡ଼ ମୂର୍ତ୍ତିର ଫଟୋ ସାମ୍ନାକୁ ଆସିଥିବା ବେଳେ, ଏବେ ଦେଖିବାକୁ ମିଳିଛି ବ୍ରୋଞ୍ଜ ତିଆରି ବିଶାଳ ଜଟାୟୁ ମୂର୍ତ୍ତି । ରାମାୟଣରେ ଜଟାୟୁଙ୍କର ବିଶେଷ ମହତ୍ତ୍ୱ ଥିବାରୁ, ମନ୍ଦିର ପରିସରରେ ଥିବା କୁବେର ଟିଲା ଉପରେ ଏହି ବିଶାଳ କାଂସ୍ୟ ମୂର୍ତ୍ତିକୁ ସ୍ଥାପନ କରାଯିବ ।

ପ୍ରାଣପ୍ରତିଷ୍ଠା ସମାରୋହକୁ ଆଉ ୨ ସପ୍ତାହ ବାକି । ପବିତ୍ର ମୁହୂର୍ତ୍ତ ଯେତିକି ପାଖେଇ ଆସୁଛି, ସେତେ ଦିବ୍ୟ ହୋଇଉଠୁଛି ଅଯୋଧ୍ୟା । ସରଜୁ ତଟରେ ଯଜ୍ଞ ମଣ୍ଡପ ଓ କୁଟୀର ଆଦି ନିର୍ମାଣ ସରିଥିବା ବେଳେ, ମନ୍ଦିର ଚୂଡ଼ାରେ ସ୍ଥାପନ ଲାଗି ଗୁଜରାଟରୁ ଆସି ପହଞ୍ଚିଛି ଧ୍ୱଜଦଣ୍ଡ । ଅହମ୍ମଦାବାଦରୁ ଆସିଥିବା ୭ଟି ଧ୍ୱଜଦଣ୍ଡରୁ, ମୁଖ୍ୟ ମନ୍ଦିରର ଧ୍ୱଜା ଧାରଣ ଲାଗି ଆସିଛି ୫ ଟନ୍ ଓଜନର ୪୪ ଫୁଟ ଉଚ୍ଚ ଶିଖର ଧ୍ୱଜଦଣ୍ଡ । ବାକି ୬ଟି ୨୦ ଫୁଟିଆ ଦଣ୍ଡ ପାର୍ଶ୍ଵ ମନ୍ଦିରରେ ଲାଗିବ ।

ଏସବୁ ଭିତରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହର ସିଧାପ୍ରସାରଣ ଆମେରିକା ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାର ଏବଂ ବିଭିନ୍ନ ଦେଶର ଭାରତୀୟ ଦୂତାବାସରେ ପ୍ରଦର୍ଶିତ ହେବ ।