ମୁଖରେ ସୁଦର୍ଶନ ହସ, ହାତରେ ଧନୁର୍ବାଣ .. ଏମିତି ଦିଶୁଥିଲେ ପ୍ରଭୁ ଶ୍ରୀରାମ

ନୀଳକମଳ ଓ କଳାମେଘ ଭଳି ଶ୍ୟାମସୁନ୍ଦର ଶରୀରରେ ପ୍ରକାଶିତ ହେଉଥିଲା କୋଟି କୋଟି କାମଦେବଙ୍କ ଶୋଭା । ନାଲି ନାଲି ପାଦରେ ନଖ ଗୁଡ଼ିକର ଜ୍ୟୋତି ଏଭଳି ଲାଗୁଥିଲା, ଯେପରି ନାଲି ପଦ୍ମର ପତ୍ରରେ ସ୍ଥିର ହୋଇଯାଇଛି ମୋତି ।

Sri Ram Mandir

‘କାମ୍ କୋଟି ଛବି ଶ୍ୟାମ ଶରୀରା, ନୀଲ କଞ୍ଜ ବାରିଦ ଗମ୍ଭୀରା ।

ଅରୁନ ଚରନ ପଙ୍କଜ ନଖ ଜୋତି, କମଲ ଦଲହ୍ନି ବୈଠେ ଜନୁ ମୋତି ।।‘

ଅର୍ଥାତ୍ ନୀଳକମଳ ଓ କଳାମେଘ ଭଳି ଶ୍ୟାମସୁନ୍ଦର ଶରୀରରେ ପ୍ରକାଶିତ ହେଉଥିଲା କୋଟି କୋଟି କାମଦେବଙ୍କ ଶୋଭା । ନାଲି ନାଲି ପାଦରେ ନଖ ଗୁଡ଼ିକର ଜ୍ୟୋତି ଏଭଳି ଲାଗୁଥିଲା, ଯେପରି ନାଲି ପଦ୍ମର ପତ୍ରରେ ସ୍ଥିର ହୋଇଯାଇଛି ମୋତି । ରାମଚରିତ ମାନସର ବାଲ୍-କାଣ୍ଡରେ ବର୍ଣ୍ଣିତ ବାଳୁତ ଶ୍ରୀରାମଙ୍କ ଏହି ଅପୂର୍ବ ରୂପ, ସତେ ଯେମିତି ପଦଯୁଗଳଠୁ ମୁଖମଣ୍ଡଳ ଯାଏଁ ଉକୁଟି ଉଠୁଛି ଏହି ଦିବ୍ୟ ବିଗ୍ରହରେ ।

ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହରେ ସ୍ଥାପିତ ହୋଇଛି ଏହି କୃଷ୍ଣଶିଳା ନିର୍ମିତ ୫୧ ଇଞ୍ଚ ଉଚ୍ଚ ବିଗ୍ରହ । ହସ ହସ ମୁହଁ, ପୁଚୁକା ଗାଲ, କୁଞ୍ଚିତ କେଶ । ରାମଲାଲାଙ୍କ ଏହି ୫ ବର୍ଷୀୟ ବାଳୁତ ବିଗ୍ରହରେ ସ୍ପଷ୍ଟ ବାରି ହୋଇପଡ଼ୁଛି ଶିଶୁ ସୁଲଭ ମୁଖମଣ୍ଡଳ ଓ ଶରୀର ଗଠନ ।

ପ୍ରସ୍ଫୁଟିତ ପଦ୍ମ ଉପରେ ଦଣ୍ଡାୟମାନ ପଦ୍ମପାଦ । ମସ୍ତକରେ କିରିଟ ମୁକୁଟ, ଅଙ୍ଗରେ ରାଜ ଆଭୁଷଣ, ହାତରେ ଧନୁ ଓ ତୀର । ତ୍ରେତୟାରେ ହୁଏତ ଏମିତି ହିଁ ଦିଶୁଥିଲେ ଅଯୋଧ୍ୟାର ରାଜ କୁମାର । କେବଳ ଏତିକି ନୁହେଁ, ଶ୍ରୀମସ୍ତକ ପଛରେ ପ୍ରଭା, ଆଉ ତା ସହ ଅନେକ ସୁକ୍ଷ୍ମ ମୂର୍ତ୍ତି, ଶଙ୍ଖ, ଚକ୍ର, ଗଦା, ଓମ୍ ଏବଂ ସ୍ୱସ୍ତିକ ଚିହ୍ନ ।

୬ ମାସ ଧରି ସାତ୍ତ୍ୱିକ ଭୋଜନ ଏବଂ ଋଷିଙ୍କ ଭଳି ଜୀବନଯାପନ କରି, ଏହି ଶ୍ରୀବିଗ୍ରହକୁ ତିଆରି କରିଛନ୍ତି କର୍ଣ୍ଣାଟକ ମହୀଶୂରର ସ୍ଥପତି ଅରୁଣ ଯୋଗୀରାଜ । ୩୦ ବର୍ଷର ଅଭିଜ୍ଞତା ଥିବା ଅରୁଣ, ଏହି ମୂର୍ତ୍ତି ନିର୍ମାଣ ଆରମ୍ଭ କରିବା ବେଳେ, ପ୍ରାର୍ଥନା କରିଥିଲେ- ହେ ପ୍ରଭୁ, ଆପଣଙ୍କ ଦିବ୍ୟରୂପ ମୋ ହାତ ଓ ମୋ କାର୍ଯ୍ୟ ମାଧ୍ୟମରେ ପ୍ରକାଶିତ ହେଉ ।

କେବଳ ମନ୍ଦିର ଗର୍ଭଗୃହରେ ନୁହେଁ, ଏବେ ଅଯୋଧ୍ୟାର ଗଗନ ପବନରେ ଖାଲି ରାମ ଆଉ ରାମ । କେଉଁଠି ଆଖି ଆଗରେ ରାମଙ୍କ ଚିତ୍ର ଓ ଭଳି କି ଭଳି ରାମାୟଣ କଥାବସ୍ତୁ... ତ ଆଉ କେଉଁଠି କାନରେ ବାଜୁଛି ରାମଙ୍କ ଜୟଧ୍ୱନି । ପ୍ରାଣ ପ୍ରତିଷ୍ଠାକୁ ଆଉ ମଝିରେ ମାତ୍ର ୨ ଦିନ । ଏବେ ଚାଲିଛି ସ୍ୱତନ୍ତ୍ର ଅନୁଷ୍ଠାନ ଧାର୍ମିକ ରୀତିନୀତି ।

ଆଜି ଔଷଧାଧିବାସ, କେଶରାଧିବାସ, ଘୃତାଧିବାସ ଓ ଧ୍ୟାନାଧିବାସ ନୀତି ହୋଇଥିବା ବେଳେ, ଆସନ୍ତାକାଲି ଶର୍କରାଧିବାସ, ଫଳାଧିବାସ ଓ ପୁଷ୍ପାଧିବାସ ହେବ । ୨୧ରେ ମଧ୍ୟାଧିବାସ ଓ ଶଯ୍ୟାଧିବାସ ରହିଛି । ଏହାପରେ ୨୨ ତାରିଖରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏଥିପାଇଁ ଅଯୋଧ୍ୟାକୁ ଛୁଟିଛି ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ସୁଅ । କିଏ ସାଇକେଲରେ ଆସୁଛି, ତ ଆଉ କିଏ ହ୍ୱିଲ ଚେୟାରରେ ।

ପ୍ରାଣପ୍ରତିଷ୍ଠା ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଶହ ଶହ ଭିଭିଆଇପି । ସେଥିପାଇଁ ଏବେଠୁ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ଓ ସାଞ୍ଜୁଆ ଗାଡ଼ି ସହ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ସମ୍ପୂର୍ଣ୍ଣ ଅଯୋଧ୍ୟା । ଅତିଥିଙ୍କୁ ଭବ୍ୟ ସ୍ୱାଗତ କରିବାକୁ ବାରଣାସୀରୁ ଆସିଛି ସ୍ୱତନ୍ତ୍ର ବ୍ୟାଣ୍ଡପାର୍ଟି ।