Advertisment

କୋଟି କୋଟି ହିନ୍ଦୁଙ୍କ ଆଖିର ରାମ ମନ୍ଦିର ସ୍ୱପ୍ନ ସାକାର, ଭବ୍ୟ ମନ୍ଦିରରେ ହେଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

ଭବ୍ୟ ଏ ରୂପ... ଦିବ୍ୟ ଏ କ୍ଷଣ... ଦୁର୍ଲଭ ଏ ଦର୍ଶନ...। ସ୍ୱର୍ଣ୍ଣ ସିଂହାସନ ଉପରେ ବିରାଜମାନ ଅଯୋଧ୍ୟାଧିପତି । ଦଶନ୍ଧି ଦଶନ୍ଧି ଧରି ତମ୍ବୁ ତଳେ ପୂଜା ପାଇବା ପରେ, ଆଜି ନିଜ ଆସ୍ଥାନକୁ... ନିଜ ଜନ୍ମସ୍ଥଳୀକୁ... ଅବଧପୁରୀର ରାଜମହଲକୁ ଫେରିଛନ୍ତି ରାମଲଲା।

Ram Lalla Pran Pratistha

Ram Lalla Pran Pratistha

Advertisment

ସରିଲା କାଳ କାଳର ପ୍ରତୀକ୍ଷା। ସାକାର ହେଲା କୋଟି ଆଖିର ରାମ ମନ୍ଦିର ସ୍ୱପ୍ନ। ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପଡ଼ିଲା ପୂର୍ଣ୍ଣାହୂତି । ସତରେ ପରିଣତ ହେଲା ଅଗଣିତ ରାମଭକ୍ତଙ୍କ ବଜ୍ର ଶପଥ- ମନ୍ଦିର ୱହି ବନାଏଙ୍ଗେ । ତ୍ରେତୟା ଯୁଗରେ ଯେଉଁ ସ୍ଥାନରେ ପ୍ରଭୁ ଶ୍ରୀରାମଚନ୍ଦ୍ର କୌଶଲ୍ୟାଙ୍କ କୋଳମଣ୍ଡନ କରିଥିଲେ, ୫ ଶତାବ୍ଦୀ ପରେ ପୁଣି ସେହି ଆସ୍ଥାନରେ ପୂଜା ପାଇଲେ ରାମଲଲା। ଇଏ ଖାଲି ରାମଭକ୍ତଙ୍କ ପାଇଁ ଅବିସ୍ମରଣୀୟ ଦିନ ନୁହେଁ, ହୃତ ବୈଭବ ପୁନଃସ୍ଥାପନ ଦିଗରେ ସମଗ୍ର ଭାରତବର୍ଷ ପାଇଁ ଲେଖାଗଲା ନୂଆ ଅଧ୍ୟାୟ। ଯାହାର ପୁରୋଧା ସାଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଭବ୍ୟ ଏ ରୂପ... ଦିବ୍ୟ ଏ କ୍ଷଣ... ଦୁର୍ଲଭ ଏ ଦର୍ଶନ...। ସ୍ୱର୍ଣ୍ଣ ସିଂହାସନ ଉପରେ ବିରାଜମାନ ଅଯୋଧ୍ୟାଧିପତି । ଦଶନ୍ଧି ଦଶନ୍ଧି ଧରି ତମ୍ବୁ ତଳେ ପୂଜା ପାଇବା ପରେ, ଆଜି ନିଜ ଆସ୍ଥାନକୁ... ନିଜ ଜନ୍ମସ୍ଥଳୀକୁ... ଅବଧପୁରୀର ରାଜମହଲକୁ ଫେରିଛନ୍ତି ରାମଲଲା। ୫ ଶତାବ୍ଦୀ ପରେ ନିଜ ହୃତ ବୈଭବ ଫେରିପାଇଛି ଅଯୋଧ୍ୟା ନଗରୀ। ନୀଳ କମଳ ଲୋଚନଙ୍କ କାମକୋଟି ରୂପ। ମସ୍ତକରେ ଝଲସୁଛି ସୁବର୍ଣ୍ଣ ମୁକୁଟ, ଲଲାଟରେ ହୀରା-ମୋତିର ଦିପ୍ତୀମନ୍ତ ରାମାନନ୍ଦୀ ତିଳକ... ସୁଶୋଭିତ କର୍ଣ୍ଣ କୁଣ୍ଡଳ ଓ ବିବିଧ ଆଭୁଷଣ। ରୁବି-ପାନ୍ନା ଆଦି ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାର... ସୁଗନ୍ଧି ପୁଷ୍ପ ବିମଣ୍ଡିତ ଶରୀର। ଶ୍ରୀଅଙ୍ଗରେ ପୀତବସ୍ତ୍ର, ଶ୍ରୀହସ୍ତରେ ସ୍ୱର୍ଣ୍ଣନିର୍ମିତ ଧନୁର୍ବାଣ । ଧନ୍ୟ ହୋଇଯାଉଛି ଚର୍ମଚକ୍ଷୁ, ମନ୍ତ୍ରମୁଗ୍ଧ ମନପ୍ରାଣ।

ମଙ୍ଗଳ ଧ୍ୱନି ସହ ଆରମ୍ଭ ହୋଇଥିଲା ଆଜିର ଯୁଗାରମ୍ଭକାରୀ କାର୍ଯ୍ୟକ୍ରମ। ଅଯୋଧ୍ୟାରେ ଗୁଞ୍ଜରିତ ହୋଇଥିଲା ଓଡ଼ିଶାର ମର୍ଦ୍ଦଳ ସମେତ ବିଭିନ୍ନ ରାଜ୍ୟର ପାରଂପରିକ ବାଦ୍ୟଧ୍ୱନି। ନିର୍ଦ୍ଧାରିତ କ୍ଷଣରେ ମନ୍ଦିର ପରିସରରେ ବାଜି ଉଠିଥିଲା ଶଙ୍ଖ ଧ୍ୱନି। ପାଦରେ ଚାଲିଚାଲି ମନ୍ଦିର ପ୍ରାଙ୍ଗଣରେ ପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁଖମଣ୍ଡଳରେ ସ୍ପଷ୍ଟ ବାରି ହେଉଥିଲା ହୃଦୟକନ୍ଦରର ରାମଭକ୍ତି । ହାତରେ ଥିଲା ରାମଲାଲାଙ୍କ ପାଇଁ ରୌପ୍ୟ ଛତ୍ର। ୩୨ ପାହାଚ ଚଢ଼ି ସୁସଜ୍ଜିତ ମନ୍ଦିରରେ ପ୍ରବେଶ କରନ୍ତେ, ତାଙ୍କୁ ପାଛୋଟି ନେଇଥିଲେ ପୂଜକ। ଏହାପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟ ଯଜମାନ ଭାବେ ବରଣ କରିଥିଲେ କାଶୀ ପଣ୍ଡିତ। ଏହାପରେ ଆରମ୍ଭ ହୋଇଥିଲା ପ୍ରାଣପ୍ରତିଷ୍ଠା ଅନୁଷ୍ଠାନର ଚୂଡ଼ାନ୍ତ ଚରଣ। ଉପନୀତ ହୋଇଥିଲା ସେହି ବହୁ ପ୍ରତୀକ୍ଷିତ ୮୪ ସେକେଣ୍ଡ। ବାହାରେ ଆକାଶମାର୍ଗରୁ ପୁଷ୍ପବୃଷ୍ଟି କରୁଥିଲା ବାୟୁସେନାର ହେଲିକପ୍ଟର। ରାମନାମରେ ମୁଖରିତ ହେଉଥିଲା ଗଗନ ପବନ।

Advertisment

ପୌଷ ଶୁକ୍ଳ ଦ୍ୱାଦଶୀ... ଅଭିଜିତ ମୁହୂର୍ତ୍ତ... ଇନ୍ଦ୍ର ଯୋଗ... ମୃଗଶିରା ନକ୍ଷତ୍ର... ମେଷ ଲଗ୍ନ... ବୃଶ୍ଚିକ ନବାଂଶ... । ଦିନ ଠିକ୍ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରେ ସମ୍ପନ୍ନ ହେଲା ପ୍ରାଣ ପ୍ରତିଷ୍ଠା। ବେଦମନ୍ତ୍ର ଉଚ୍ଚାରଣ ସହ ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତରେ ରାମଲାଲାଙ୍କ ବିଗ୍ରହର ହୋଇଥିଲା ଜୀବନ୍ୟାସ। ଗର୍ଭଗୃହରେ ପ୍ରବେଶ କରି ରାମଲାଲାଙ୍କ ନୂଆ କମନୀୟ ବିଗ୍ରହର ପାଦରେ ପଦ୍ମ ପୁଷ୍ପାଞ୍ଜଳି ଦେଇଥିଲେ ମୋଦି। ସାଥିରେ ଥିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ । ଏହାପରେ ରାମଲାଲାଙ୍କ ଆଳତି, ପୂଜାର୍ଚ୍ଚନା ଓ ଚରଣ ବନ୍ଦନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଆଚାର୍ଯ୍ୟମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିବା ସହିତ, ଗର୍ଭଗୃହରେ ବିଗ୍ରହ ପରିକ୍ରମା କରିଥିଲେ ଏବଂ ଶେଷରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ ପଦ୍ମପାଦଙ୍କ ପାଦପଦ୍ମରେ ।

ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହେବା ପରେ, ମନ୍ଦିର ପରିସରରେ ସମବେତ ସାଧୁସନ୍ଥ ଓ ମାନ୍ୟଗଣ୍ୟ ଅତିଥିଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କରିଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ଜଳ ଗ୍ରହଣ କରି ୧୧ ଦିବସୀୟ ଉପବାସ ପୂର୍ଣ୍ଣ କରିଥିଲେ । ଏହି ଅବସରରେ ତାଙ୍କୁ ରାମ ମନ୍ଦିରର ଏକ ପ୍ରତିକୃତି ଉପହାର ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ରାମ ମନ୍ଦିର ପରିସରରେ ଥିବା କୁବେର ଟିଲା ଯାଇ ପ୍ରାଚୀନ ଶୈବପୀଠରେ ପୂଜାର୍ଚ୍ଚନା କରିବା ସହିତ ବିଶାଳ ଜଟାୟୁ ମୂର୍ତ୍ତି ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ରାମମନ୍ଦିର ନିର୍ମାଣରେ ନିୟୋଜିତ ଶିଳ୍ପୀ ଓ କାରିଗରଙ୍କ ଉପରେ କରିଛନ୍ତି ପୁଷ୍ପବୃଷ୍ଟି। ସେପଟେ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ସମ୍ପନ୍ନ ହେବା ପରେ, ରାମଲାଲାଙ୍କ ଦର୍ଶନ କରିଛନ୍ତି ସାଧୁସନ୍ଥ ଓ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ।

Advertisment
India News Ayodhya Ram Mandir Ram Temple Ayodhya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ