• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅଯୋଧ୍ୟା ରାମ ମନ୍ଦିରକୁ ଆସୁଛନ୍ତି ସାରା ବିଶ୍ୱରୁ ଶ୍ରଦ୍ଧାଳୁ, ମିଳିବାରେ ଲାଗିଛି ସାରା ବିଶ୍ୱରୁ ଦାନ । ୧୫ ଦିନରେ ୩୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ହାରାହାରି ପ୍ରତିଦିନ ଆସୁଛନ୍ତି ୨ ଲକ୍ଷ ଶ୍ରଦ୍ଧାଳୁ । ଅଯୋଧ୍ୟାକୁ ଆସୁଥିବା ଭକ୍ତଙ୍କ ସୁଅ ଦେଖି ଏକଥା ସହଜରେ ଅନୁମାନ ବି କରି ହେଉଥିଲା ।

ଉତ୍ତରପ୍ରଦେଶ ଓ ଦେଶର କୋଣଅନୁକୋଣରୁ ଶ୍ରଦ୍ଧାଳୁ ପ୍ରତିଦିନ ଅଯୋଧ୍ୟାରେ ରାମଲାଲଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି। ଭିଡ଼ ଯେମିତି ଦାନ ବି ସେ ଆକାରରେ ମିଳୁଛି । ମାତ୍ର ୧୫ ଦିନରେ ୧୨ କୋଟି ୮୦ ଲକ୍ଷ ଦାନ ମିଳି ସାରିଛି । ଜାନୁଆରୀ ୨୨ ତାରିଖରେ ବାଳକ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରଠୁ ଦର୍ଶନ ପାଇଁ ନାହିଁ ନଥିବା ଉତ୍ସାହ । ଏପରିକି ପ୍ରଥମ ଦିନ ସାଢ଼େ ୩ କୋଟି ଟଙ୍କା ଦାନ ମିଳିଥିଲା ।

ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାକୁ ଛୁଟିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଦୈନିକ ଦେଢ଼ଲକ୍ଷ ଭକ୍ତଙ୍କୁ ଦର୍ଶନ କରାଇବାର ପ୍ରାଥମିକ ବ୍ୟବସ୍ଥା ରଖାଯାଇଥିଲେ ବି ଏ ସଂଖ୍ୟା ଦୁଇ ଗୁଣାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେଣୁ ଏଥିପାଇଁ ୮ହଜାରରୁ ଅଧିକ ଫୋର୍ସ ରାମ ମନ୍ଦିର ପାଇଁ ନିୟୋଜିତ କରାଯାଇଛି । ୟୁପି ପୋଲିସ୍ ସହ ରାପିଡ୍ ଆକ୍ସନ ଫୋର୍ସ, CRPF ଏବଂ ଅନ୍ୟ ପାରାମିଲିଟାରୀ ଫୋର୍ସ ମଧ୍ୟ ମୁତୟନ ହେଉଛନ୍ତି ।

ଜାନୁଆରୀ ୨୨ ତାରିଖରେ ଶେଷ ହୋଇଛି କାଳ କାଳର ପ୍ରତୀକ୍ଷା । ସାକାର ହୋଇଛି କୋଟି ଆଖିର ରାମ ମନ୍ଦିର ସ୍ୱପ୍ନ । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ସତରେ ପରିଣତ ହୋଇଛି ଅଗଣିତ ରାମଭକ୍ତଙ୍କ ବଜ୍ର ଶପଥ- ମନ୍ଦିର ୱହି ବନାଏଙ୍ଗେ । ତ୍ରେତୟା ଯୁଗରେ ଯେଉଁ ସ୍ଥାନରେ ପ୍ରଭୁ ଶ୍ରୀରାମଚନ୍ଦ୍ର କୌଶଲ୍ୟାଙ୍କ କୋଳମଣ୍ଡନ କରିଥିଲେ, ୫ ଶତାବ୍ଦୀ ପରେ ପୁଣି ସେହି ଆସ୍ଥାନରେ ପୂଜା ପାଇଛନ୍ତି ରାମଲାଲା ।

ଆଉ ସେହି ରାମଲାଲାଙ୍କୁ ଟିକିଏ ଆଖି ପୂରାଇ ଦେଖିବାକୁ ଅଯୋଧ୍ୟାରେ ଭକ୍ତଙ୍କ ଭିଡ଼ ଜମୁଛି । ଖାଲି ଭିଡ଼ ନୁହେଁ କୋଟି କୋଟି ଟଙ୍କା ଦାନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ ।