• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅଯୋଧ୍ୟା ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ । ରାମ ମନ୍ଦିରରେ ଏପରି ଆହୁରି ୧୩ଟି ସୁନାର କବାଟ ଲାଗିବ । ତିନି ଦିନ ଭିତରେ ଏହି ସବୁ ସୁନାର କବାଟ ସବୁ ଲଗାଯିବ ବୋଲି ଜଣାପଡ଼ିଛି । ଏବେ ଜୋରସୋରରେ ଚାଲିଛି ରାମ ମନ୍ଦିର କାମ । କାରଣ ପ୍ରାଣ ପ୍ରତିଷ୍ଠାର ଦିନ ପାଖେଇ ଆଣିଲାଣି ।

 

ଆସନ୍ତା ୨୨ ତାରିଖରେ ହେବ ପ୍ରାଣ ପ୍ରତିଷ୍ଠା ମହୋତ୍ସବ । ଏଥିପାଇଁ ଦିନ ରାତି ଏକ କରି କାମ କରୁଛନ୍ତି କାରିଗରମାନେ । ରାମ ମନ୍ଦିରକୁ ଭବ୍ୟ ଦିବ୍ୟ ରୂପ ଦେବାକୁ ସବୁ ପ୍ରକାର ଚେଷ୍ଟା କରାଯାଉଛି । ରାମନବମୀରେ ସୂର୍ଯ୍ୟ ତିଳକରେ ଅଭିଷେକ ହେବେ ରାମଲାଲା । ପ୍ରତିବର୍ଷ ରାମନବମୀରେ ରାମଙ୍କ ମସ୍ତକରେ ୩ରୁ ୪ମିନିଟ ଧରି ପ୍ରଦର୍ଶିତ ହେବ ଏହି ତିଳକ । ଏଥି ପାଇଁ ଭବ୍ୟ ରାମମନ୍ଦିରରେ ହୋଇଛି ସ୍ୱତନ୍ତ୍ର ଆୟୋଜନ । ଅପଟି ମେକାନିକାଲ ସିଷ୍ଟମ ସହାୟତାରେ ଗର୍ଭଗୃହରେ ସ୍ଥାପିତ ହେବାକୁ ଥିବା ରାମଲାଲାଙ୍କ ମସ୍ତକରେ ସୂର୍ଯ୍ୟ କିରଣ ତିଳକ ଆକାରରେ ଦୃଶ୍ୟମାନ ହେବ ।

ଏହି ଚମତ୍କାରୀ ପରିକଳ୍ପନା ପଛରେ ରହିଛନ୍ତି ଜଣେ ଓଡ଼ିଆ ପୁଅ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଡାକ୍ତର ସରୋଜ କୁମାର ପାଣିଗ୍ରାହୀ ଏହି ସୂର୍ଯ୍ୟ ତିଳକ ଅଭିଷେକର ମୁଖ୍ୟ ବିନ୍ଧାଣୀ ସାଜିଛନ୍ତି । ସେ ଏବେ ସେଣ୍ଟ୍ରାଲ ବିଲଡିଙ୍ଗ ରିସର୍ଚ୍ଚ ବା CBRIରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଥିବା ବେଳେ ମନ୍ଦିର ନିର୍ମାଣ ଆରମ୍ଭରୁ କାର୍ଯ୍ୟ କରିଆସୁଛନ୍ତି ।

ସଜେଇ ହେଉଛି ଅଯୋଧ୍ୟା, ଆସୁଛନ୍ତି ରାମଲାଲା । ଆଉ ଦିନ କେଇଟାରେ ଅଯୋଧ୍ୟାରେ ରଚାଯିବ ଇତିହାସ । ରାମଲାଲାଙ୍କୁ ସ୍ୱାଗତ କରିବାକୁ ଯିଏ ଯେମିତି ପାରିଲା ପ୍ରସ୍ତୁତି କରୁଛନ୍ତି । ଆଉ ଦିନ ଯେତେ ବଢ଼ୁଛି ମନ୍ଦିରର ନୂଆ ନୂଆ ଦୃଶ୍ୟ ସାମ୍ନାକୁ ଆସୁଛି । ଏବେ ମନ୍ଦିରର ଗର୍ଭଗୃହ, ସମ୍ମୁଖ ଦ୍ୱାର ଓ ଗୋଟେ ପରେ ଗୋଟେ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ସାର୍ବଜନୀନ ହେଉଛି ।

ଅଯୋଧ୍ୟା ବି ସଜେଇ ହେଲାଣି । ରାମପଥର ପ୍ରବେଶରେ ଗରୁଡ଼ଙ୍କ ବିଶାଳ ମୂର୍ତ୍ତି ଲାଗିଛି, ଯାହା ଏବେ ଗରୁଡ଼ ଦ୍ୱାର ଭାବେ ନାମକରଣ କରାଯାଇଛି । ମନ୍ଦିରର ୪ ଦିଗକୁ ୪ଟି ଦ୍ୱାର ଭାବେ ପରିଣତ କରାଯାଉଛି । ଅନ୍ୟପଟେ ଖାଲି ଅଯୋଧ୍ୟା ନୁହେଁ, ରାମଲାଲାଙ୍କ ସ୍ୱାଗତ ପାଇଁ ସାରା ଦେଶରେ କାହିଁ କେତେ ଉତ୍ସାହ ।