• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଉ ମାତ୍ର ୬ ଦିନ । ଅନ୍ତ ହେବ ୫ ଶହ ବର୍ଷର ପ୍ରତୀକ୍ଷା । ନିଜ ଜନ୍ମସ୍ଥଳୀ, ମୂଳ ଆସ୍ଥାନରେ ନବ ନିର୍ମିତ ଏ ଦିବ୍ୟ ମନ୍ଦିରରେ ବିରାଜିବେ ପ୍ରଭୁ ଶ୍ରୀରାମ। ଏଥିପାଇଁ ଚୂଡ଼ାନ୍ତ ହୋଇଛି ବିଗ୍ରହ ଚୟନ। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସୂଚନା ଅନୁଯାୟୀ, କର୍ଣ୍ଣାଟକର ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା କୃଷ୍ଣ ଶିଳାରେ ନିର୍ମିତ ରାମଲାଲାଙ୍କ ବିଗ୍ରହରେ ହେବ ପ୍ରାଣ ପ୍ରତିଷ୍ଠା।

ସବୁ ଦୃଷ୍ଟିକୋଣରୁ ବିଚାର କରି ତିନିଟି ବିଗ୍ରହ ମଧ୍ୟରୁ ପ୍ରାୟ ୧୧ ଜଣ ଟ୍ରଷ୍ଟି ଯୋଗୀରାଜଙ୍କ ପ୍ରତିମାକୁ ପ୍ରଶଂସା କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ଚମ୍ପତ ରାୟଙ୍କ ସୂଚନା ଅନୁଯାୟୀ ଆସନ୍ତା ୧୮ ତାରିଖରେ ୧୫୦ରୁ ୨ ଶହ କିଲୋଗ୍ରାମ ଓଜନର ରାମଲାଲାଙ୍କ ଏହି ବିଗ୍ରହକୁ ଗର୍ଭଗୃହରେ ସ୍ଥାପନ କରାଯିବ।

୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ୫ ଦିନ ପୂର୍ବରୁ କାଲିଠୁ ଆରମ୍ଭ ହୋଇଯିବ ଧାର୍ମିକ ରୀତିନୀତି। ଏଥିପାଇଁ ଉଦ୍ଭାସିତ ଅଯୋଧ୍ୟା। ଉତ୍ସାହିତ ଦେଶ, ଉଲ୍ଲସିତ ପ୍ରତି ରାମପ୍ରେମୀଙ୍କ ପ୍ରାଣ। ଚମ୍ପତ ରାୟଙ୍କ ସୂଚନା ଅନୁଯାୟୀ, କାଲିଠୁ ଆରମ୍ଭ ହେବାକୁ ଥିବା ରୀତିନୀତି ୨୧ ତାରିଖ ଯାଏଁ ଚାଲିବ। ୨୨ ତାରିଖ ଅପରାହ୍ନ ୧୨ଟା ୨୦ରୁ ପ୍ରାଣ ପ୍ରତିଷ୍ଠା ଆରମ୍ଭ ହୋଇ ଅପରାହ୍ନ ଗୋଟାଏ ସୁଦ୍ଧା କାର୍ଯ୍ୟ ସମ୍ପାଦନ ପାଇଁ ସ୍ଥିରୀକୃତ ହୋଇଛି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ୨୦ ଓ ୨୧ ତାରିଖ ଦୁଇ ଦିନ ସାଧାରଣ ଦର୍ଶନ ବନ୍ଦ ରହିବ। ମନ୍ଦିରରେ କେବଳ ପୂଜକ ହିଁ ରହିବେ। ତେବେ ପ୍ରାଣ ପ୍ରତିଷ୍ଠା ମହୋତ୍ସବର ଟିଭିରେ ସିଧା ପ୍ରସାରଣ ପ୍ରସ୍ତାବ ସଂପର୍କରେ ବିଚାର କରାଯାଉଛି ବୋଲି ସୂଚନା ଦେଇଛନ୍ତି ଚମ୍ପତ ରାୟ।

ଏଥିସହ ନିମନ୍ତ୍ରିତ ଅତିଥିଙ୍କ ସଂପର୍କରେ ସୂଚନା ଦେଇ ଟ୍ରଷ୍ଟ ଅଧ୍ୟକ୍ଷ କହିଛନ୍ତି ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ୫୬ଟି ଦେଶରୁ ଶ୍ରଦ୍ଧାଳୁଙ୍କୁ ଆସିବା ପାଇଁ ନିମନ୍ତ୍ରଣ କରାଯାଇଛି। ଏଥିପାଇଁ ୧୯ ତାରିଖରୁରୁ ଲକ୍ଷ୍ନୌରୁ ଅଯୋଧ୍ୟା ହେଲିକପ୍ଟର ସେବା ଚାଲିବ। ପ୍ରାୟ ୧୦୦ଟି ବିମାନ ଆସିବା ନେଇ ସୂଚନା ଥିବାରୁ ଅଯୋଧ୍ୟା ଆଖପାଖର ବିମାନ ବନ୍ଦର ସହ ଆଲୋଚନା ଚାଲିଛି। ସ୍ୱତନ୍ତ୍ର ବିମାନ ସହ ନିୟମିତ ବିମାନର ଉଡ଼ାଣ ବି ଜାରି ରହିବ।

ଏପଟେ ବିଦେଶରୁ ଆସୁଥିବା ଭିଭିଆଇପିଙ୍କ ରହିବା ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ଅଯୋଧ୍ୟାରେ ନିଶାଦରାଜ ଗୁହ ଅତିଥି ଗୃହ ନାଁରେ ନାମିତ ଏ ଟେଣ୍ଟ ସିଟିର ଭବ୍ୟତା ଉପରେ ଟିକେ ନଜର ପକାନ୍ତୁ। ପ୍ରବେଶ ତୋରଣରେ ମହାପ୍ରଭୁ ଶ୍ରୀରାମଙ୍କ ପାଦୁକା। ଭିତରେ ଧନୁର୍ଦ୍ଧର ମୁଦ୍ରାରେ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି। ଆଗନ୍ତଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଧର୍ମପଥ, ରାମ ପଥ, ରାମ ଜନ୍ମଭୂମି ପଥକୁ କେବଳ ଫୁଲରେ ସୁସଜ୍ଜିତ କରାଯିବା ବାକି ଅଛି।

ଶ୍ରୀରାମ ମନ୍ଦିର ପ୍ରତିଷ୍ଠାର ସେହି ଦିବ୍ୟ ମୁହୂର୍ତ୍ତ ଯେତିକି ପାଖୋଉଛି ଦେଶସାରା ସେତିକି ବଢ଼ଚାଲିଛି ଉତ୍ସାହ। ରାମଲାଲାଙ୍କ ପାଇଁ ମଧ୍ୟପ୍ରଦେଶରୁ ପହଞ୍ଚିବ ୫ ଲକ୍ଷ ଲଡୁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଆଜି ନିଜେ କାରିଗରଙ୍କ ପାଖକୁ ଯାଇ ଲଡୁଗୁଡିକୁ ପ୍ୟାକେଟରେ ରଖୁଥିବା ଦେଖିବାକୁ ମିଳିଛି।

OTV is now on Whatsapp

Join and get latest news update delivered to you via whatsapp

Join Now