• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଳିଲା ୧୦୮ ଫୁଟ୍‌ର ଧୂପକାଠି । ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଆସିଥିବା ୧୦୮ ଫୁଟ୍‌ର ଧୂପକାଠିରେ ଆଜି ଅଗ୍ନି ସଂଯୋଗ କରାଯାଇଛି । ଏହା ଆଜିଠାରୁ ଜଳିବା ଆରମ୍ଭ ହୋଇଛି । ଧୂପକାଠି ବାସ୍ନାରେ ପୁରା ଅଞ୍ଚଳ ମହକି ଉଠୁଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମୁଖ୍ୟ ମହନ୍ତ ନିତ୍ୟ ଗୋପାଲ ଦାସ ଏହି ଧୂପକାଠି ଲଗାଇଛନ୍ତି । ଏକ ଆଧ୍ୟାତ୍ମିକ ପରିବେଶରେ ମନ୍ତ୍ର ଧ୍ୱନୀ ସହ ଜୟ ଶ୍ରୀରାମ ନାରା ପଡ଼ୁଥିବା ବେଳେ ଏଥିରେ ଅଗ୍ନି ସଂଯୋଗ କରାଯାଇଛି । ଏହି ଧୂପକାଠି ଗୁଜରାଟରୁ ଆସିଛି ।

କୁହାଯାଉଛି ଏହି ଧୂପକାଠିର ବାସ୍ନା ପ୍ରାୟ ୫୦ କିଲୋମିଟର ଦୂର ପର୍ଯ୍ୟନ୍ତ ବ୍ୟାପିବ । ଏହାର ଓଜନ ୩୬୧୦ କିଲୋଗ୍ରାମ ବୋଲି ଜଣାପଡ଼ିଛି । ଏହାର ଚଉଡ଼ା ସାଢ଼େ ୩ ଫୁଟ୍ ରହିଛି । ଏହାକୁ ଭଦୋଦରାରୁ ଅଯୋଧ୍ୟା ଅଣାଯାଇଛି ।

ଏକ ନିଆରା ବାସ୍ନା ତିଆରି କରିବା ପାଇଁ ଏଥିରେ ଗୋବର, ଘିଅ, ବାସ୍ନା ପାଇଁ କିଛି କେମିକାଲ, ଫ୍ଲାୱାର ଏକ୍ସଟ୍ରାକ୍ଟ ଏବଂ କିଛି ଜଡ଼ିବୁଟି ମିଶାଯାଇ ଏହାକୁ ପ୍ରସ୍ତୁତ କରାଯାଇଛି । ଏହି ଧୂପକାଠି ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ଜଳିବ ବୋଲି ଅନୁମାନ କରାଯାଉଛି । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୬ ମାସ ସମୟ ଲାଗିଥିଲା ।

ଅନ୍ୟପଟେ ବିଭିନ୍ନ ରାଜ୍ୟରୁ ବିଭିନ୍ନ ପ୍ରକାର ଜିନିଷ ରାମ ମନ୍ଦିରକୁ ଆସିଛି । ସେଥିମଧ୍ୟରୁ ଲକ୍ଷ୍ନୌର ଜଣେ ପରିବା ଦୋକାନୀ ଏକ ନିଆରା ଘଣ୍ଟା ଡିଜାଇନ୍ କରି ଅଯୋଧ୍ୟାକୁ ପଠାଇଛନ୍ତି । ଏହି ଘଣ୍ଟା ଏକାସାଙ୍ଗରେ ଆଠଟି ଦେଶର ସମୟ କହିବ। ସେହିଭଳି ମଥୁରାର ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂସ୍ଥାନ ଅଯୋଧ୍ୟାକୁ ୨୦୦ କିଲୋଗ୍ରାମ ଲଡ଼ୁ ଆସୁଛି । ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ପକ୍ଷରୁ ମଧ୍ୟ କୁହାଯାଇଛି ଯେ, ଭକ୍ତମାନଙ୍କୁ ବଣ୍ଟନ ପାଇଁ ଏକ ଲକ୍ଷ ଲଡୁ ପଠାଇବେ ।