ଏହି ରାଶିର ବ୍ୟକ୍ତି ବା ମହିଳା ମାନେ ବହୁ ଗୁଣରେ ପରିପୂର୍ଣ୍ଣ ହୋଇଥାନ୍ତି । ଏମାନେ ପ୍ରାୟତଃ ସତ୍ୟବାଦୀ, ଶତୃ ବିନାଶକାରୀ, ସଂଯୋଗକାରୀ, କୈାଶଳୀ, ଦୟାବନ୍ତ ହୋଇଥାନ୍ତି । ପୁର୍ନବସୁ, ପୁଷ୍ୟା, ଅଶ୍ଳେଷା ନକ୍ଷତ୍ରରେ ଏମାନେ ଜନ୍ମ ଗ୍ରହଣ କରିଥାନ୍ତି । ଏମାନଙ୍କର ନାମର ପ୍ରଥମ ଅକ୍ଷର ହି, ହୁ, ହେ , ହୋ, ଡ, ଡି, ଡୁ, ଡେ, ଡୋ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ । ଏମାନେ ମଧ୍ୟମ ବୟସରେ ସୁଖୀ ହୋଇଥାନ୍ତି । ଏହି ରାଶିର ଅଧିପତୀ ଗ୍ରହ ଚନ୍ଦ୍ର ମହାଗ୍ରହ ହୋଇଥାନ୍ତି ।
Also Read
ସ୍ୱାସ୍ଥ୍ୟ:
- ଏମାନେ ପ୍ରାୟ ସ୍ୱଳ୍ପ ବା ଅଳ୍ପ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି ବା ମହିଳା ହୋଇଥାନ୍ତି । ଏମାନଙ୍କର ଲୋହିତ ବର୍ଣ୍ଣର ଚକ୍ଷୁ ଯୁଗଳ , ଛୋଟ ନାସା, ପ୍ରଶସ୍ତ ଲଲାଟ, ମୋଟା ଅଧର ଯୁକ୍ତ ହୋଇଥାନ୍ତି । ଏମାନେ ପ୍ରାୟତଃ ଗୈାର ବର୍ଣ୍ଣର ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ସାଧାରଣତଃ ଚନ୍ଦା ହେବାର ସମ୍ଭାବନା ଥାଏ । ଏମାନଙ୍କର ଗୁପ୍ତାଙ୍ଗରେ ତିଳଚିହ୍ନ ଥାଏ । ଉଦର ପିଡା, କଫକାଶ, ଚକ୍ଷୁ ରୋଗ, ହୃଦ୍ ରୋଗ, ଯକୃତ ଜନିତ ରୋଗ, ବକ୍ଷରେ ଯନ୍ତ୍ରଣା ଆଦି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହି ରାଶିର ମହିଳା ମାନେ ଋତୁସ୍ରାବ ଜନିତ ସମସ୍ୟା ଭୋଗ କରିଥାନ୍ତି ।
ଚରିତ୍ର:
- ଏମାନେ ମିଷ୍ଟଭାଷୀ, ସୈାନ୍ଦର୍ଯ୍ୟପ୍ରିୟ ଓ ଭ୍ରମଣ ପ୍ରିୟ ହୋଇଥାନ୍ତି । ନିଜର ଦୋଷକୁ ଲୁଚାଇ ଅନ୍ୟର ମୁଣ୍ଡରେ ଲଗାଇ ସ୍ୱାର୍ଥ ହାସଲ କରିଥାନ୍ତି । ପର ଧନରେ ଏମାନଙ୍କର ଲୋଭଥାଏ । ବହୁ ଆଡମ୍ବରରେ ଲଘୁକ୍ରିୟା ଭଳି ଏମାନଙ୍କର ଜୀବନ କଟିଥାଏ । ପିଅନ ହୋଇଥିଲେ ମଧ୍ୟ ନିଜକୁ ହାକିମବୋଲି ଭାବି ଗର୍ବ କରିଥାନ୍ତି । ଏକାଧିକ ବାସସ୍ଥାନ ବଦଳାଇବାକୁ ଏମାନେ ଭଲ ପାଆନ୍ତି ।
ବନ୍ଧୁତା / ଶତୃତା:
- ନିଜର ମନ ମାନିଲା ଭଳି ବନ୍ଧୁତା ଏମାନେ ସୃଷ୍ଟି କରିଥାନ୍ତି । ବନ୍ଧୁ ମାନଙ୍କୁ ସାହାର୍ଯ୍ୟ ସହଯୋଗ ତ କରନ୍ତି କିନ୍ତୁ ସେମାନଙ୍କ ଠାରୁ ପ୍ରତିଦାନ ମଧ୍ୟ ଚାହିଁଥାନ୍ତି ।ଏମାନେ ଶତୃର କ୍ଷତି କରିବା ଲାଗି ଯୋଜନା କରିଥାନ୍ତି । ବାହାରକୁ ନିଜର ମନଭାବ ପ୍ରକାଶ ନକରି ଅନ୍ତର ମଧ୍ୟରେ ରଖିଥାନ୍ତି । ଏମାନଙ୍କର ଭାବପ୍ରବଣତାର ସୁଯୋଗ ନେଇ ଆକ୍ରମଣ କଲେ ଏମାନେ ପରାସ୍ତ ହେବାର ଦେଖାଯାଏ ।
କର୍ମ / ବ୍ୟବସାୟ:
- କବି, ଲେଖକ, ନାଟ୍ୟକାର, କଳାକାର, ଚିତ୍ରକର, ଅଭିନେତା, ଅଭିନେତ୍ରୀ, ବୈଜ୍ଞାନିକ, ରାଜନୀତି, ନୈାସେନା, ଫାର୍ମାଷ୍ଟିକ୍, ମନସ୍ତତ୍ୱବିତ୍, ଆଦି ବିଭାଗରେ କର୍ମ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ସେବା ମୂଳକ ବ୍ୟବସାୟ, ଔଷଧ ବ୍ୟବସାୟ, ମତ୍ସ୍ୟ ବ୍ୟବସାୟ , ମଦ୍ୟ ବ୍ୟବସାୟ , ଆମଦାନୀ ରପ୍ତାନୀ କାରବାର, ହୋଟେଲ୍ ବ୍ୟବସାୟ, ଜଳକୁ ନେଇ ବ୍ୟବସାୟ, କ୍ଷୀର ବ୍ୟବସାୟ ,ଗୋ ଖାଦ୍ୟ ବ୍ୟବସାୟ, କିରାଣୀ, ଦୋକାନ, ତେଲ ବ୍ୟବସାୟ, ସାର ବ୍ୟବସାୟ ଆଦି ବ୍ୟବସାୟରୁ ଲାଭବାନ୍ ହୋଇଥାନ୍ତି ।
ଜୀବନସାଥୀ / ବିବାହ:
- ଜୀବନସାଥୀ ଠାରୁ ପ୍ରକୃତରେ ସ୍ନେହ, ଶ୍ରଦ୍ଧା , ଭକ୍ତି ଓ ପ୍ରେମ ପାଇବାରେ ଏତେ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଏମାନଙ୍କର ପ୍ରଣୟରେ ଭଟ୍ଟା ଘଟିଥାଏ । ଅନେକ କ୍ଷେତ୍ରରେ ବିଛେଦ ମଧ୍ୟ ହୋଇଥାନ୍ତି । କାମ ପ୍ରବଣତା ଏମାନଙ୍କ ମଧ୍ୟରେ ଅଧିକ ରହିଥାଏ । ପ୍ରେମ ବ୍ୟାପାରରେ ଗୋପନୀୟତା ରକ୍ଷା କରିବାକୁ ଚେଷ୍ଟା କରିଥାନ୍ତି । ଅନେକ କ୍ଷେତ୍ରରେ ଅନ୍ୟକୁ ପ୍ରତାରଣା କରିବା ପାଇଁ ମଧ୍ୟ ପଛାଇ ନଥାନ୍ତି । ମେଷ, ବୃଷ, କର୍କଟ, କନ୍ୟା, ତୁଳା, ମୀନ ଆଦି ରାଶି ସହିତ ବିବାହ ହେଲେ ବୈବାହିକ ଜୀବନ ସୁଖରେ କଟିଥାଏ ।
ଦାମ୍ପତ୍ୟ ଜୀବନ:
- ଦାମ୍ପତ୍ୟ ଜୀବନରେ ମଧ୍ୟମ ଧରଣର ସୁଖ ପାଇଥାନ୍ତି । ଅତ୍ୟଧିକ କାମ ପ୍ରବଣତା ଯୋଗୁଁ ମାନସିକ ଯନ୍ତ୍ରଣା ଭୋଗ କରିଥାନ୍ତି । ପର ସ୍ତ୍ରୀ ବା ପୁରୁଷଙ୍କ ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ତେଣୁ ଅନେକ ସମୟରେ ଦାମ୍ପତ୍ୟ ଜୀବନରେ ସମସ୍ୟା ଲାଗି ରହିଥାଏ ।
ପାରିବାରିକ ଜୀବନ:
- ଏମାନେ ନିଜ ସ୍ତ୍ରୀ ବା ସ୍ୱାମୀଙ୍କ ଅପେକ୍ଷା ନିଜର ପିତା, ମାତାଙ୍କ ପ୍ରତି ଅତ୍ୟଧିକ ସ୍ନେହ, ଶ୍ରଦ୍ଧା, ଭକ୍ତି କରିଥାନ୍ତି । ଏମାନେ ଭାଇଭଉଣୀ ମାନଙ୍କ ସହ ଉତ୍ତମ ସଂପର୍କ ରକ୍ଷା କରିଥାନ୍ତି । ଯେତେ ଦୁଃଖ, କଷ୍ଟ ଆସିଲେ ମଧ୍ୟ ସେଥିରେ ଭାଙ୍ଗି ନପଡି ଶକ୍ତି ସଞ୍ଚୟ କରି ପରିବାରକୁ ଆଗେଇ ନେଇଥାନ୍ତି । ନିଜର ସୁଗୁଣ ଓ ବାଗ୍ଚାତୁରୀ ଯୋଗୁଁ ପାରିବାରକ କଳହକୁ ସହଜରେ ଆଡେଇ ଦେଇଥାନ୍ତି ।
ଆର୍ଥିକ ସ୍ଥିତି:
- ଏମାନେ ଜୀବନରେ ପୈତୃକ ସମ୍ପତିରୁ ବେଶି ଲାଭବାନ୍ ହୋଇ ନଥାନ୍ତି । ନିଜେ ଯାହା ଧନ ଉପାର୍ଜନ କରି ସେଥିରେ ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି । ଏମାନଙ୍କର ଆର୍ଥିକ ଅବସ୍ଥା ମଧ୍ୟମ ଧରଣର ହୋଇଥାଏ । ଜୀବନର ଶେଷ ଅବସ୍ଥାରେ ନିଜର ବାସସ୍ଥାନ କରିବାକୁ ସମର୍ଥ ହୋଇଥାନ୍ତି । ଅନେକ ସମୟରେ କିଛି ଧନ ବଦ୍ ଖର୍ଚ୍ଚ କରିବାର ପ୍ରକୃତି ଏମାନଙ୍କ ପାଖରେ ଥାଏ ।
ଲକ୍ଷ୍ୟପଥ:
- ଏମାନେ ସର୍ବଦା ଗୋପନରେ ଅନ୍ୟମାନଙ୍କ ଉପରେ ଭରସା ବା ନିର୍ଭର କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଚେଷ୍ଟା କରିଥାନ୍ତି । ନିଜର ଚତୁରତା ଦେଖାଇ ସ୍ୱାର୍ଥ ହାସଲ କରିଥାନ୍ତି ।
ଶୁଭ:
ଶୁଭବାର- ରବି, ସୋମ
ଶୁଭରଙ୍ଗ- ଧଳା, ନାଲି
ଶୁଭସଂଖ୍ୟା- ୨,୭,୯
ଶୁଭରତ୍ନ- ମୁକ୍ତା
ଦେବତା- କୃଷ୍ଣ
ଦେବୀ- ଭୂବନେଶ୍ୱରୀ
ରୁଦ୍ରାକ୍ଷ- ଏକମୁଖୀ
ଅଶୁଭ:
ଘାତବାର- ବୁଧବାର
ଘାତଚନ୍ଦ୍ର- ସିଂହ
ତୀଥି- ଦ୍ୱିତୀୟା, ସପ୍ତମୀ, ନବମୀ
ନକ୍ଷତ୍ର- ଅନୁରାଧା