Lightning Strike Death: ମଇଁଷି ଚରାଉଥିଲେ, ବଜ୍ରାଘାତରେ ଚାଲିଗଲା ଅଜା-ନାତିଙ୍କ ଜୀବନ

ମଇଁଷି ଚରାଉଥିବା ବେଳେ ବଜ୍ରପାତରେ ଚାଲିଗଲା ଅଜା-ନାତିଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ପାତ୍ରପୁର ଅଞ୍ଚଳରେ ଆଜି ଅପରାହ୍ନରେ ଏହି ବଡ଼ ଅଘଟଣ ଘଟିଛି ।

ବଜ୍ରାପାତ

ଏମିତି ବି ଆସେ ମୃତ୍ୟୁ... ଖରାବେଳେ ବିଲରେ ମଇଁଷି ଚରାଉଥିଲେ ଅଜା-ନାତି । ହଠାତ୍ କୁଆଡୁ ମାଡି ଆସିଲା କଳାହାଣ୍ଡିଆ ମେଘ ପବନ । ଆକାଶରୁ ଖସିଲା ମୃତ୍ୟୁ । ଏକାସାଙ୍ଗେ ଚାଲିଗଲା ଅଜା ଓ ନାତିଙ୍କ ଜୀବନ । ଆଜି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗାଁରେ ଏଭଳି ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି । ମୃତକମାନେ ହେଲେ ଏମ ସାକିଲି କନିଆରି ଏବଂ ଏମ ଭୁବେସୁ କନିଆରି । ବଜ୍ରାଘାତରେ ଦୁହିଁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଅଧିକ ପଢ଼ନ୍ତୁ: ଭୟଙ୍କର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ଜଳିଗଲା ଦୋକାନ

ସୂଚନା ମୁତାବକ, ଆଜି ସକାଳେ ନାରାୟଣପୁର ଗାଁର ସମ୍ପର୍କୀୟ ଅଜା ଏମ ସାକିଲି କନିଆରି ଏବଂ ନାତି ଏମ ଭୁବେସୁ କନିଆରି ଗାଁ ନିକଟରେ ମଇଁଷି ଚରାଇବାକୁ ଯାଇଥିଲେ । ଅପରାହ୍ନରେ ହଠାତ୍ ମେଘ ପବନ ମାଡି ଆସିଥିଲା । ବିଜୁଳି ଘଡଘଡି ସହ ଆରମ୍ଭ ହୋଇଯାଇଥିଲା ବର୍ଷା । ବର୍ଷାରୁ ରକ୍ଷା ପାଇଁ ଦୁହେଁ ପାଖରେ ଥିବା ଏକ ଗଛମୂଳରେ ଆଶ୍ରୟ ନେଇଥିଲେ ।

ଏତିକି ବେଳେ ସେଠାରେ ବଜ୍ରପାତ ହୋଇଥିଲା । ଏଥିରେ ଅଜା, ନାତି ଦୁହେଁ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ପାତ୍ରପୁର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୃତକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ: ବିବାହ ଭୋଜିରେ ପ୍ରେମିକାଙ୍କ ହଙ୍ଗାମା: ରିସେପ୍ସନ ଷ୍ଟେଜରୁ ବରକୁ ଉଠାଇ ଆଣିଲା ପୋଲିସ