Train Accident: ଶବ ପକେଟ୍‌ରେ ବାଜିଲା ଫୋନ୍‌, ଲୋକ ରିସିଭ୍‌ କରି କହିଲେ ସେ ଆଉ ନାହାନ୍ତି...

ଏକଥା ଶୁଣି, ଫୋନ୍‌ ଆରପାଖରେ ଥିବା ଲୋକଟି ଥଥ ମମ ହୋଇପଡ଼ୁଥାଏ । ଆଉ ପଚାରୁଥାଏ ଆପଣ କିଏ କହୁଛନ୍ତି ? କେଉଁଠୁ କହୁଛନ୍ତି ? କେଉଁଠି ଦୁର୍ଘଟଣା ଘଟିଛି ? ଆଉ ଶେଷରେ କହିଲେ, ଯାହାକୁ ଫୋନ୍‌ କରିଛି ତାଙ୍କ ନାଁ ମୁନିସି..

Train Acciednt

ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣା । ଏହି ଭୟଙ୍କର ଦୁର୍ଘଟଣା ପରେ ଘଟଣାସ୍ଥଳରେ ଯୁଆଡ଼େ ଦେଖିବ ଖାଲି ମୃତଦେହ ଦେଖିବାକୁ ମିଳିଛି । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୁରା ଅଞ୍ଚଳ । କିଏ ପୁରା ପରିବାର ହରାଇଛି ତ କିଏ ବାପା ମାଆଙ୍କୁ ହରାଇ କାନ୍ଦୁଛି । ଏମିତିକି କେହି କେହି ନିଜ ପିଲାଙ୍କୁ ହରାଇ ଭୋଭୋ ହୋଇ ରଡ଼ି ଛାଡ଼ୁଛି । ଆଉ କେହି କେହି ନିଜ ପୁଅ ମରିବା କଥା ଶୁଣି ଚେତାଶୂନ୍ୟ ହୋଇପଡ଼ୁଛନ୍ତି । ଅନେକ ଅଛନ୍ତି ଯେଉଁମାନେ ଏବେ ବି ବଗି ତଳେ ଚାପି ହୋଇ ରହିଥିବା ପରିବାର ଲୋକଙ୍କୁ ଖୋଜୁଛନ୍ତି ।

ସେମିତି ଜଣେ ବାପାଙ୍କୁ ଆମେ ଦେଖିଲୁ । ଯିଏ କି ନିଜ ପୁଅ ଚାଲିଯାଇଥିବା ଖବର ଶୁଣିବା ପରେ ବାରମ୍ବାର ଚେତାଶୂନ୍ୟ ହୋଇପଡ଼ୁଛନ୍ତି । ଲୋକେ ପାଣି ମାରି ଯେତେ ଥର ତାଙ୍କ ଚେତା ଫେରାଇ ଆଣୁଛନ୍ତି, ସେତେ ଥର ତାଙ୍କ ଚେତା ବୁଡ଼ିଯାଉଛି । ଆଉ ଚେତା ଫେରିବା ମାତ୍ରେ କେବଳ ପୁଅକୁ ଖୋଜୁଛନ୍ତି । ଆଉ କହୁଛନ୍ତି ମୋ ପୁଅକୁ ଫେରାଇ ଦିଅ ।

 

ସେମିତି ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଚାରିଆଡ଼େ ମୃତଦେହ ବିଛାଡ଼ି ହୋଇପଡ଼ିଛି । ଏତିକି ବେଳେ ଗୋଟିଏ ଶବ ପକେଟ୍‌ରେ ଥିବା ଫୋନ୍‌ ବାଜି ଉଠିଲା । ଥରେ ନୁହେଁ ବାରମ୍ବାର ବାଜିଲା । ଯାହାଫଳରେ ଶବ ପାଖରେ ଥିବା ଲୋକେ ପକେଟରୁ ଫୋନ୍‌ କାଢ଼ି କହିଲେ, ହାଲୋ.. ଆପଣ ଯାହାକୁ ଖୋଜୁଛନ୍ତି ବା ଯାହାକୁ ଫୋନ୍‌ କରୁଛନ୍ତି ସେ ଆଉ ନାହାନ୍ତି । ଟ୍ରେନ୍‌ ଦୁର୍ଘଟଣାରେ ତାଙ୍କର ପ୍ରାଣ ଚାଲିଯାଇଛି । ଇଏ ଏକା ନୁହେଁ ଏମିତି ଶହ ଶହ ଲୋକଙ୍କ ଜୀବନ ଯାଇଛି । ତେବେ ଆପଣ ଯାହାକୁ ଫୋନ୍‌ କରିଛନ୍ତି, ତାଙ୍କ ନାଁ କ’ଣ ?

ଏକଥା ଶୁଣି, ଫୋନ୍‌ ଆରପାଖରେ ଥିବା ଲୋକଟି ଥଥ ମମ ହୋଇପଡ଼ୁଥାଏ । ଆଉ ପଚାରୁଥାଏ ଆପଣ କିଏ କହୁଛନ୍ତି ? କେଉଁଠୁ କହୁଛନ୍ତି ? କେଉଁଠି ଦୁର୍ଘଟଣା ଘଟିଛି ? ଆଉ ଶେଷରେ କହିଲେ, ଯାହାକୁ ଫୋନ୍‌ କରିଛି ତାଙ୍କ ନାଁ ମୁନିସି...