ଦ୍ରୁତଗାମୀ ବସ୍‌ ପିଟିଦେଲା ପୁଅକୁ ! ଏବେ ରାସ୍ତା ଉପରେ ମୁଣ୍ଡ ପିଟି କାନ୍ଦୁଛି ମା, ଦେଖନ୍ତୁ ଭିଡିଓ..

ପୁଅକୁ ହରାଇ ରାସ୍ତା ଉପରେ ମାଆ ମୁଣ୍ଡ ବାଡେଇ ବାଡ଼େଇ କାନ୍ଦୁଛନ୍ତି । ତାହାକୁ ଶବ୍ଦରେ ବର୍ଣ୍ଣନା କରିବା ବି କଷ୍ଟକର ।

Road Accident

ରାସ୍ତା ଉପରେ ପୁଅ ଶୋଇଛି, ମୁଣ୍ଡ ବାଡେଇ କାନ୍ଦୁଛନ୍ତି ସମ୍ପର୍କୀୟ, ମାଆ ଆଉ ଭଉଣୀ । ଯେତେ ବୁଝାଇଲେ ସେ ବୁଝିବାକୁ ନାରାଜ । ଖାଲି ଗୋଟିଏ କଥାକୁ ବାରମ୍ବାର କହୁଛନ୍ତି, ଧନ ତୁ ଉଠିପଡ଼ରେ । ତତେ ଛାଡି ମୁଁ ରହିବି କେମିତି ? ଏମିତି କିଛି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁରରେ । ଏତେ ହୃଦୟ ବିଦାରକ ଯେ, ସେହି ଦୃଶ୍ୟ ଯିଏ ଦେଖିବ ତା ଆଖିରେ ଆପେ ଲୁହ ଚାଲି ଆସିବ । ପୁଅକୁ ହରାଇ ରାସ୍ତା ଉପରେ ମାଆ ମୁଣ୍ଡ ବାଡେଇ ବାଡ଼େଇ କାନ୍ଦୁଛନ୍ତି । ତାହାକୁ ଶବ୍ଦରେ ବର୍ଣ୍ଣନା କରିବା ବି କଷ୍ଟକର ।

ସବୁ କିଛି ଠିକ୍‌ଠାକ ଥିଲା । ପ୍ରତିଦିନ ପରି ସକାଳୁ ସକାଳୁ ନିଜ କାମରେ ଘରୁ ବାହାରିଥିଲେ ଜଗତସିଂହପୁର ଖଇରା ଗାଁର ବ୍ରିଜେଶ ରୋଶନ ରାୟ । ହେଲେ ଦୈବ, ରୋଶନଙ୍କ ଭାଗ୍ୟରେ ଏମିତି ଅପମୃତ୍ୟୁ ଲେଖିଥିବ ବୋଲି କେହି କେବେ କଳ୍ପନା ବି କରିନଥିଲେ । ଗୁରୁବାର ସକାଳ ପ୍ରାୟ ୯.୩୦ ହେବ । ବ୍ରିଜେଶ ମୁଣ୍ଡାଳ ଛକରୁ ନିଜ ଘର ଖଇରାକୁ ବାଇକରେ ଫେରୁଥିବା ବେଳେ ଅଭିରାମ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ତାଙ୍କୁ ଧକ୍କା ଦେଇଥିଲା । ଆଉ ଧକ୍କା ଏତେ ଅଧିକ ମାତ୍ରାରେ ଥିଲା ଯେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

ଆଉ ରୋଶନଙ୍କ ମୃତ୍ୟୁ ଖବର ବିଜୁଳି ବେଗରେ ବ୍ୟାପିଯାଇଥିଲା । ଭେଣ୍ଡିଆ ପୁଅର ମୃତ୍ୟୁ ଖବର ଶୁଣିବା ସାଙ୍ଗେ ସାଙ୍ଗେ ପହଞ୍ଚିଥିଲେ ସମର୍କୀୟ ଆଉ ପରିବାର ଲୋକ । ଭେଣ୍ଡିଆ ପୁଅକୁ ହରାଇ ରାସ୍ତା ଉପରେ ହିଁ ଭୋ ଭୋ ହୋଇ କାନ୍ଦିଲେ ପରିବାର ଲୋକ । ତେବେ ଦୁଃଖର ବିଷୟ, କିଛି ବର୍ଷ ପୂର୍ବରୁ ବ୍ରିଜେଶଙ୍କ ପିତା ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏବେ ଭେଣ୍ଡିଆ ପୁଅକୁ ହରାଇ ମା ଏବଂ ଭଉଣୀ ମୁଣ୍ଡ ପିଟୁଛନ୍ତି ।

(ରିପୋର୍ଟ- ଶଶାଙ୍କ ଶେଖର ପଣ୍ଡା, ଜଗତସିଂହପୁରରୁ)