ବାହାନଗା ଟ୍ରେନ ଦୁର୍ଘଟଣା: ଏକାଧିକ ଯାତ୍ରୀଙ୍କ ଜୀବନ ନେଇଛି ବିଦ୍ୟୁତ ଆଘାତ !

ଦୁର୍ଘଟଣା ପରେ ଛିଣ୍ଡି ପଡ଼ିଥିଲା ଓଭରହେଡ୍ ଇଲେକ୍ଟ୍ରିକ୍ ଲାଇନ୍

Train Accident

କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକଙ୍କ ମଧ୍ୟରୁ ଏକାଧିକ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ଜଣାପଡିଛି । ଜିଆରପି ସବ-ଇନ୍ସପେକ୍ଟର ପପୁ କୁମାର ନାୟକ ଏନେଇ ଏକ ଏତଲା ଦେଇଛନ୍ତି । ଏତଲା ଅନୁସାରେ ଟ୍ରେନ ମଧ୍ୟରେ ଧକ୍କା ଏବଂ ଟ୍ରେନକୁ ବିଦ୍ୟୁତ ସଂଯୋଗ ହୋଇଥିବା ଓଭର ହେଡ୍ ବିଦ୍ୟୁତ ଲାଇନ ସଂସ୍ପର୍ଶରେ ଆସି ଲୋକଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଉଲ୍ଲେଖ କରିଛନ୍ତି ଜିଆରପି ସବଇନ୍ସପେକ୍ଟର ପପୁ କୁମାର ନାୟକ ।

ଏକାଧିକ ମୃତଦେହ ଗୁଡିକରେ କୌଣସି କ୍ଷତ ଚିହ୍ନ ନାହିଁ । ଅନେକ ମୃତଦେହରେ କୌଣସି ରକ୍ତସ୍ରାବର ଚିହ୍ନ ମଧ୍ୟ ନାହିଁ। ଏଥିଲାଗି ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଆଶଙ୍କା ଅଧିକ ରହିଛି । ଧକ୍କା ହେବା ପରେ ବିଦ୍ୟୁତ ତାର ଛିଡ଼ି ପଡ଼ିବାରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଲୋକଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।....

ସେପଟେ ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ମାମଲା ରୁଜୁ କଲା CBI । ରେଳ ମନ୍ତ୍ରାଳୟ ଆବେଦନର ତଦନ୍ତ ପାଇଁ ମାମଲା ରୁଜୁ କରିଛି ସିବିଆଇ । ପୂର୍ବରୁ ମାମଲା ରୁଜୁ କରିଥିବା GRP ଠାରୁ ତଦନ୍ତ ଭାର ନେଇଛି CBI । ଘଟଣାକୁ ନେଇ ବାଲେଶ୍ବର ଜିଆର୍‌ପି ଥାନାରେ ମାମଲା ହୋଇଥିଲା । ଦୁର୍ଘଟଣାକୁ ନେଇ ନିଜ ପକ୍ଷରୁ ମାମଲା ରୁଜୁ କରିଥିଲା ଜିଆରପି ।

ଅନ୍ୟପଟେ ମୃତଦେହ ସଂରକ୍ଷିତ ରଖିବା ପାଇଁ ପାରାଦୀପରୁ ଅଣାଯାଇଛି ସ୍ୱତନ୍ତ୍ର କଣ୍ଟେନର । ଏଥିରେ ଅଧିକ ଦିନ ଧରି ମୃତଦେହ ସଂରକ୍ଷିତ ରଖିହେବ । ଏହା ଭିତରର ତାପମାତ୍ରାକୁ ଆବଶ୍ୟକତା ଅନୁସାରେ କମ୍ ବେଶି ମଧ୍ୟ କରାଯାଇ ପାରିବ। ବଡ଼ ବଡ଼ କଣ୍ଟେନର ହୋଇଥିବାରୁ ଅଧିକ ମୃତଦେହ ମଧ୍ୟ ଏଥିରେ ରଖାଯାଇପାରିବ ।