Train Mishap
କରମଣ୍ଡଳରେ କାଳ ରାତିର କରୁଣ କାହଣୀ ସବୁଠି ଛାଇଗଲାଣି। ବାଲେଶ୍ୱର ବାହାନଗାର ଟ୍ରେନ୍ ଟ୍ରାଜେଡି ଆଉ ଓଡ଼ିଶା କି ଭାରତ ଭିତରେ ସୀମିତ ନାହିଁ। ଶୁକ୍ରବାର କାଳ ରାତିରେ କରମଣ୍ଡଳର କରୁଣ କାହାଣୀ ସାରା ବିଶ୍ୱକୁ ଛାଇ ଗଲାଣି। ମର୍ମନ୍ତୁଦ ରେଳ ଦୁର୍ଘଟଣାର ଛାତିଥରା ଦୃଶ୍ୱ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି... ହେଲେ ଏ ସବୁ ଭିତରେ ଏମିତି ବି କିଛି ଯୁବକ ଅଛନ୍ତି ଯେଉଁମାନଙ୍କୁ ଆଜି ସମସ୍ତେ କହୁଛନ୍ତି ଦେବଦୂତ।
କାରଣ ପ୍ରଚଣ୍ଡ ଶବ୍ଦ ଆଉ ଭୟଙ୍କର ଆର୍ତଚିତ୍କାର ଶୁଣି ଯେଉଁ ମାନେ ପ୍ରଥମେ ଉଦ୍ଧାର କରିବାକୁ ଆଗୁଆ ଆଗେଇ ଯାଇଥିଲେ ସେମାନେ ଆଉ କେହି ନୁହଁନ୍ତି ସେହି ବାହାନଗା ଗାଁର ଯୁବକ, ଯେଉଁମାନଙ୍କ ଘର ସେଇ ରେଳଧାରଣା ନିକଟରେ। କିଟିକିଟି ଅନ୍ଧାର ଭିତରେ ଅଗ୍ନିଶମ, ଓଡ୍ରାଫ କି NDRF ଟିମ୍ ପହଞ୍ଚିବା ପୂର୍ବରୁ ଏଇ ଯୁବକମାନେ ହିଁ ଓଲଟି ପଡ଼ିଥିବା ବଗି ଭିତରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ସେ ସମୟର ବିକଳ ଦୃଶ୍ୟ ମନେ ପକାଇଲା ବେଳକୁ ସେମାନଙ୍କ ଦେହ ଏବେ ବି ଥରି ଉଠୁଛି... କାରଣ ଶହଶହ ଶବଙ୍କ ଭିଡ଼ରୁ ଜୀବନ ବଞ୍ଚାଇବାର ଆକୁଳ ଚିତ୍କାର ଏଇମାନେ ହିଁ ଶୁଣିଛନ୍ତି ।...
ରେଳଧାରଣା କଡ଼ରେ ପରିବାର ସହ ରହୁଥିବା ଜଣେ ଯୁବକ, ଯିଏକି ରେଳଗାଡିର ପ୍ୟାଣ୍ଟ୍ରି କାରରେ କାମ କରନ୍ତି। ଦୁର୍ଘଟଣା ଖବର ଜାଣି ତୁରନ୍ତ ଘଟଣା ସ୍ଥଳକୁ ଧାଇଁ ଯାଇଥିଲେ, ଏକାଧିକ ଆହତଙ୍କୁ ଉଦ୍ଧାର କରିଥିଲେ, ହେଲେ ଦୁର୍ଭାଗ୍ୟ ସେଇ ପ୍ୟାଣ୍ଟ୍ରିକାର୍ ଭିତରେ ଫସିଯାଇଥିବା ତାଙ୍କର ଦୁଇ ସାଙ୍ଗକୁ ସେ ଉଦ୍ଧାର କରି ପାରି ନ ଥିଲେ, ଯେଉଁମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସେପଟେ ବାହାନଗାରେ ଉଦ୍ଧାର ଚାଲିଥିବା ବେଳେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ରେଳ ଦୁର୍ଘଟଣା ଖବର ଚାରିଆଡେ ଛାଇଗଲା ବେଳକୁ ଏଠି ହଠାତ୍ ଆଶ୍ଚର୍ଯ୍ୟଜନକ ଭାବେ ରୁଣ୍ଡ ହୋଇଛନ୍ତି ସାଧାରଣ ଲୋକେ। ସେମାନେ କେହି ଚିକିତ୍ସାପାଇଁ ଆସିନାହାନ୍ତି ବରଂ ସମସ୍ତେ ସ୍ୱଇଚ୍ଛାରେ ଆହାତମାନଙ୍କୁ ରକ୍ତ ଦେବା ପାଇଁ ଧାଡି ବାନ୍ଧିଛନ୍ତି। ଆଉ ଏହାର ଦୃଶ୍ୟ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି।
ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଲାଣି, ହଲେ ତଥାପି ଦୁର୍ଘଟଣାର ଦେବଦୂତ ସାଜିଥିବା ବାହାନଗା ଗାଁର ଏ ଯୁବକମାନଙ୍କ ମନରୁ ଲିଭିନି ସେ କାଳ ରାତିର ଛାତି ଥରା ଦୃଶ୍ୟ । ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685891640.jpg)