ସବୁଦିନେ ସେଇ ଟ୍ରେନ୍ରେ ଯାଉଥିଲେ, ଆଉ ଆସୁଥିଲେ। କିଏ ଜାଣିଥିବା ଲୌହ ଦାନବ ଏଭଳି ରକ୍ତ ଭୋଜି କରିବ। କେତେ ସ୍ୱପ୍ନ, କାହାର ଖୁସି ସବୁ ଯେପରି ଟ୍ରେନ୍ର ଲୁହା ଭିତରେ ଚାପି ହୋଇ ମରିଗଲା। ହଁ... ସେଇ ହୃଦୟ ବିଦାରକ ଦୃଶ୍ୟ, ଯାହାକୁ ଦେଖିଲେ ଆଖିରୁ ଲୁହ ଚାଲିଆସିବ। ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି। କିଏ ତାର ପରିବାର ଲୋକଙ୍କୁ ଖୋଜୁଛି ତ ଆଉ କିଏ ଛାତି ଫଟାଇ କାନ୍ଦୁଛି। ଆଉ ଯିଏ ବର୍ତ୍ତିଯାଇଛନ୍ତି, ସେମାନେ ବଖାଣିଛନ୍ତି ଦୁର୍ଘଟଣାର ଭୟଙ୍କର କାହାଣୀ। ଆସନ୍ତୁ ଜାଣିବା ସେଇ ଆହତଙ୍କ ମୁହଁରୁ...
ଜଣେ ଆହତ କହିଛନ୍ତି ଯେ ଏକ୍ସପ୍ରେସ୍ର ପଛ ବଗି ସବୁ ଭିଡ଼ ଥିବାରୁ ମୁଁ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ବଗିରେ ବସିଥିଲି। ଦୁର୍ଘଟଣାଟି ସଂଧ୍ୟା ୬.୫୦ରୁ ୬.୫୫ ଭିତରେ ହୋଇଛି। ପ୍ରଥମେ ଆମେ କିଛି ଜାଣିପାରିଲୁନି। ମୁଁ ଅଚେତ ହୋଇଯାଇଥିଲି। ଚେତା ଫେରିଲା ପରେ ଦେଖିଲା ବେଳକୁ ଟ୍ରେନ୍ ବଗି ସବୁ ଓଲଟି ପଡ଼ିଛି। ମୁଁ ବହୁତ କଷ୍ଟରେ ବାହାରକୁ ବାହାରିଛି। ମୋ ମୁଣ୍ଡରୁ ରକ୍ତ ବାହାରୁଥିଲା। ପ୍ରଥମ ରୋଗୀ ଭାବେ ମୁଁ ସୋର ହସ୍ପିଟାଲରେ ଭର୍ତ୍ତି ହେଲି। ପରେ ଭଦ୍ରକ ହସ୍ପିଟାଲ ସ୍ଥାନାନ୍ତର ହୋଇଥିଲି।
ସେହିପରି ଅନ୍ୟଜଣେ ଆହତ କହିଛନ୍ତି ଯେ ମୁଁ କରମଣ୍ଡଳ ଏକ୍ସପ୍ରେସ୍ରେ ଆସୁଥିଲି। ଇଂଜିନ ପଛବଗିରେ ଛିଡ଼ା ହୋଇ କଥା ହେଉଥିଲି। ହଠାତ୍ ଗୋଚିଏ ବଡ଼ ଶବ୍ଦ ହେଲା। ଚାରିଆଡେ ଅନ୍ଧାର ଦେଖାଗଲା। ଏମିତି ହେବ ବୋଲି ଆମେ କେବେ ଆଶା କରିନଥିଲୁ। ଆଉ ୧୫-୨୦ ମିନିଟରେ ଭଦ୍ରକରେ ପହଞ୍ଚିଯାଇଥାନ୍ତା ଟ୍ରେନ୍। ତା ପୂର୍ବରୁ ଘଟିଲା ଏଭଳି ଦୁର୍ଘଟଣା।
ଅନ୍ୟଜଣେ ଆହତ କହିଛନ୍ତି 'ଏତେ ଶବ୍ଦରେ ଆବାଜ ହେଲା ଯେ, ମୁଁ କହିଲି- ହେ ପ୍ରଭୁ ମୋତେ ବଞ୍ଚାଇଦିଅ... ବଞ୍ଚାଇଦିଅ'। ଆମେ ଜାଣିବାକୁ ପାଇଲୁ ଯେ ଟ୍ରେନ୍ ଟ୍ରାକ୍ରୁ ବାହାରି ଓଲଟିବାରେ ଲାଗିଛି। ୩ଥର ଓଲଟି ସାରିବା ପରେ ବଗିଟି ସ୍ଥିର ହେଲା। ମୁଁ ନିଜେ ମୋବାଇଲ ଟର୍ଚ୍ଚ ସହାୟତାରେ ମୁଁ ବାହାରକୁ ଆସିଲି। ଯନ୍ତ୍ରଣା ହେବାରୁ ଆଉ ଯାଇପାରିଲି ନାହିଁ। ସ୍ଥାନୀୟ ଲୋକଙ୍କ ସହାୟତାରେ ମୁଁ ମେଡିକାଲରେ ଭର୍ତ୍ତି ହେଲି।