ଆଖି ଆଗରେ ନାଚୁଛି ବାହାନଗା ଟ୍ରାଜେଡିର ବୀଭତ୍ସ ରୂପ, ମାନସିକ ଦୁଃସ୍ଥିତିରୁ ବାହାରି ପାରୁନାହାନ୍ତି ଉଦ୍ଧାରକାରୀ 

ବଡ଼ ବଡ଼ ଦୁର୍ଘଟଣା କିମ୍ବା ଅଘଟଣକୁ ଦେଖିଥିବା, ଅଙ୍ଗେ ନିଭାଇଥିବା କିମ୍ବା ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକଙ୍କୁ ପରବର୍ତ୍ତୀ ସମୟରେ ସେ ଦୃଶ୍ୟ ବିଚଳିତ କରିବା, ବାରମ୍ବାର ମନେ ପଡିବା କିମ୍ବା ସ୍ବପ୍ନରେ ଆସିବାକୁ ଡାକ୍ତରୀ ଭାଷାରେ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିଜଅର୍ଡର ବୋଲି କୁହାଯାଏ।

Train Accident

ବାହାନାଗା ଟ୍ରାଜେଡି ବେଳର ଉଦ୍ଧାକାକାରୀ ଅଗ୍ନିଶମ ବାହିନୀର ଯବାନଙ୍କ ମନରୁ ଲିଭୁନି ଦୁର୍ଘଟଣା ପରବର୍ତ୍ତୀ ସମୟର ସ୍ଥିତି। ଶହ ଶହ ମୃତଦେହ, ରକ୍ତ ରଂଜିତ ପରିବେଶ ଓ ଆହତଙ୍କ ଆର୍ତ୍ତ ଚିତ୍କାରର ଦୃଶ୍ୟ ଆଜି ବି ଅନେକନଙ୍କ ମନକୁ ଆନ୍ଦୋଳିତ କରୁଛି। ଦୁର୍ଘଟଣାର ୮ ଦିନ ପରେ ବି ସେ କରୁଣ ଦୃଶ୍ୟକୁ ଭୁଲି ପାରୁ ନାହାନ୍ତି ବହୁ ଆଗ୍ନିକ। ସେପଟେ ଏଭଳି ଧାରା ମାସାଧିକ କାଳ ଲାଗି ରହିଲେ, ସେମାନଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କ କାଉନ୍ସେଲିଂ ଜରୁରୀ ବୋଲି ମତ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

ନା ରାତିରେ ଶୋଇ ପାରୁଛୁ, ନା ଦିନରେ ଖାଇ ପାରୁଛୁ। ଦିନ-ରାତି ୨୪ ଘଣ୍ଟା ଆଖିରେ ନାଚୁଛି, ସେଇ ନାରକୀୟ ଦୃଶ୍ୟ, ସେଇ ବୀଭତ୍ସ ଚିତ୍ର। ବାହାନଗାର ଭୟାନକ ଟ୍ରେନ୍ ଦୁର୍ଘଟଣାକୁ ୟା ଭିତରେ ବିତିଲାଣି ୮ ଦିନ। ହେଲେ ମୃତାହତଙ୍କୁ ଉଦ୍ଧାର ବେଳର ସେ ତିକ୍ତ ଅନୁଭୂତିକୁ ଆଜି ବି ମନରୁ ପାସୋରି ପାରୁ ନାହାନ୍ତି ରେସ୍କ୍ୟୁ ଅପରେସନରେ ସାମିଲ ଥିବା ଅଗ୍ନିଶମ ବାହିନୀର ଅନେକ ଯବାନ। ବାହାନଗା ରେଳ ଦୁର୍ଘଟଣା ପରେ ସେଦିନ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଥିଲେ ଭୁବନେଶ୍ବରସ୍ଥିତ ଓଡ଼ିଶା ଫାୟାର ଆଣ୍ଡ ଡିଜାଷ୍ଟର ରେସ୍ପନ୍ସ ଏକାଡେମିର ଶତାଧିକ ଯବାନ।

ସେମାନଙ୍କ ଭିତରେ ଥିଲେ ଅଗ୍ନିଶମ ବାହିନୀରେ ନୂଆକରି ଯୋଗଦେଇଥିବା ତଥା ବହୁ ଟ୍ରେନି ଫାୟାରମ୍ୟାନ୍। ତେବେ ଉଦ୍ଧାର କାର୍ଯ୍ୟ ଲାଗି ଘଟଣାସ୍ଥଳରେ ପହଞ୍ଚିବା ପରେ ହିଁ ବିଚଳିତ କରିଥିଲା ସେ ସମୟର ଦୃଶ୍ୟ। ଦୁର୍ଘଟଣାର ଭୟାବହତା ଯେ ଏତେ ପ୍ରଭାବୀ ହୋଇଥିବ, ତାହା ଅନେକଙ୍କ କଳ୍ପନା ବାହାରେ ଥିଲା। ରକ୍ତ ରଞ୍ଜିତ ରେଳ ଡବା ଭିତରେ ଶହ ଶହ ଯାତ୍ରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ, ଗୁରୁତର ଆହତଙ୍କ କରୁଣ ଆର୍ତ୍ତ ଚିତ୍କାର ଭିତରେ ଉଦ୍ଧାର ଚାଲିଥିଲା। କର୍ତ୍ତବ୍ୟର ଆହ୍ବାନ ଭିତରେ ଜଣାପଡ଼ିନଥିଲା ଦୀର୍ଘ ୫୦ ଘଣ୍ଟାର ଅପେରସନ୍। ହେଲେ ଦୁର୍ଘଟଣାର ଏତେ ଦିନ ପରେ ବି ଏବେ ସେ ଲୋମଟାଙ୍କୁରା ଦୃଶ୍ୟସବୁ ମନ ଭିତରକୁ ଧଶେଇ ପଶୁଥିବାରୁ ଆଜି ବି ଅନେକଙ୍କ ମନକୁ ଆନ୍ଦୋଳିତ କରୁଛି।

ସେପଟେ ବଡ଼ ବଡ଼ ଦୁର୍ଘଟଣା କିମ୍ବା ଅଘଟଣକୁ ଦେଖିଥିବା, ଅଙ୍ଗେ ନିଭାଇଥିବା କିମ୍ବା ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକଙ୍କୁ ପରବର୍ତ୍ତୀ ସମୟରେ ସେ ଦୃଶ୍ୟ ବିଚଳିତ କରିବା, ବାରମ୍ବାର ମନେ ପଡିବା କିମ୍ବା ସ୍ବପ୍ନରେ ଆସିବାକୁ ଡାକ୍ତରୀ ଭାଷାରେ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିଜଅର୍ଡର ବୋଲି କୁହାଯାଏ। ଯାହାର ଅବଧି ସ୍ୱାଭାବିକ ଭାବେ ପ୍ରାୟ ୧ ମାସ ଧରି ଲାଗି ରହିଥାଏ। ତେବେ ଏ ଧାରା ତାଠୁ ଅଧିକ ସମୟ ଲାଗି ରହିଲେ, ସେମାନଙ୍କୁ ମାନସିକ ରୋଗ ବିଶେଜ୍ଞଙ୍କ ଦ୍ୱାରା ଚିକିତ୍ସା ବି କରିବାକୁ ପଡ଼େ ବୋଲି ମାନସିକ ରୋଗ ବିଶେଷଜ୍ଞଙ୍କ ମତ।

ବଡ଼ ବଡ଼ ପାକୃତିକ ବିପର୍ଯ୍ୟୟ, ଦୁର୍ବିପାକ କିମ୍ବା କୌଣସି  ଆକସ୍ମିକ ଅଘଟଣ ବେଳେ ଉଦ୍ଧାର କାର୍ଯ୍ୟ ପରେ ନିଜ ଯବାନମାନଙ୍କୁ ମାନସିକ ଭାବେ ଫିଟ୍ ରଖିବା ଲାଗି ଏନଡିଆରଏଫ୍ ପକ୍ଷରୁ ମନୋବିଜ୍ଞାନୀଙ୍କ ପରାମର୍ଶ ନିୟମିତ ଭାବେ ଦିଆଯାଇଥାଏ। ବାହାନଗା ଦୁର୍ଘଟଣା ପରେ ଗତ ୫ ତାରିଖରେ କଟକ ମୁଣ୍ଡୁଳିଠାରେ ଏନଡିଆରଏଫ୍ ୟୁନିଟ ଯବାନଙ୍କୁ ଏସସିବିର ଏକ ଡାକ୍ତର ଟିମ୍ ସେଭଳି ପରାମର୍ଶ ଦେଇଥିବା ସୂଚନା ମିଳିଛି।