ମଲ୍‌ରେ ଲାଗିଲା ନିଆଁ, ଜୀବନ ବିକଳରେ ତିନି ମହଲା ଉପରୁ ଡେଇଁଲେ ଲୋକ...

କିଛି ଲୋକ ଜୀବନ ବିକଳରେ କାଚ ଭାଙ୍ଗି ସିଧା ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି ।

Fire Mishap In Delhi Galaxy Mall

ଭୟଙ୍କର ଅଗ୍ନିକାଣ୍ଡ । ଜୀବନ ବଞ୍ଚାଇବାକୁ ବିଲ୍ଡିଂର ତିନି ମହଲା ଉପରୁ ତଳକୁ ଡେଇଁଲେ ଲୋକେ । ଭାଇରାଲ ହେଲା ଭିଡିଓ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀ ନୋଇଡ଼ାରୁ । ନୋଇଡ଼ା ସ୍ଥିତ ଗ୍ୟାଲେକ୍ସି ପ୍ଲାଜା ମଲ୍‌ରେ ଗୁରୁବାର ନିଆଁ ଲାଗିଥିଲା । ନିଆଁ ଲାଗିବାର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ତେବେ ନିଆଁ ଲାଗିବାର ମାତ୍ର କିଛି ସମୟ ଭିତରେ ଚାରିଆଡ଼ ଧୁଆଁ ମୟ ହୋଇଯାଇଥିଲା । ନିଆଁର ପ୍ରକୋପ ଖୁବ୍ ବଢ଼ିଯାଇଥିଲା । ଲୋକମାନେ କୁଆଡ଼େ ଯିବେ, କେମିତି ନିଜକୁ ରକ୍ଷା କରିବେ କିଛି ବୁଝି ପାରିନଥିଲେ । ବିଲ୍ଡିଂରେ ଥିବା ଲୋକେ କେଇ ମିନିଟ୍ ଭିତରେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ । ଜୀବନ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ଯିଏ ଯେଉଁ ରାସ୍ତା ପାଇଲା ସେହି ରାସ୍ତାରେ ବାହାରିବାକୁ ଚେଷ୍ଟା କଲା ।

କିଛି ଲୋକ ଜୀବନ ବିକଳରେ କାଚ ଭାଙ୍ଗି ସିଧା ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି ।

ଭାଇରାଲ ଭିଡିଓରେ ଯାହା ଜଣାପଡ଼ୁଛି, ନିଆଁ ଲାଗିବା ପରେ ଜଣେ ବ୍ୟକ୍ତି ଉକ୍ତ ବିଲ୍ଡିଂର ଝରକା କାଚ ଭାଙ୍ଗି ବାହାରକୁ ଆସିଥିଲେ । ତଳକୁ ଡେଇଁବାକୁ ଚେଷ୍ଟା କରିଥିଲେ । ହେଲେ ସାହସ ଜୁଟାଇପାରିନଥିଲେ । ସେମିତି ଝୁଲି ରହିଥିଲେ । ତାଙ୍କୁ ଦେଖି ବିଲ୍ଡିଂ ତଳେ ଛିଡ଼ା ହୋଇଥିବା କିଛି ଲୋକ ‘ଡେଇଁପଡ଼ ଡେଇଁପଡ଼’ ବୋଲି ଚିତ୍କାର କରିଥିଲେ । ତାହା ଶୁଣିବାର କିଛି ସମୟ ଭିତରେ ବ୍ୟକ୍ତି ଜଣକ ସାହସ ଜୁଟାଇ ତଳକୁ ଖସିଥିଲେ । ତଳେ ଛିଡ଼ା ହୋଇଥିବା ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି । ସେ ସାମାନ୍ୟ କ୍ଷତାକ୍ତ ହୋଇଥିବା ଦେଖାଯାଇଛି । ପାଖାପାଖି ୩ ଜଣ ବ୍ୟକ୍ତି ବିଲ୍ଡିଂର ଝରକା ଭାଙ୍ଗି ଏଭଳି ତଳକୁ ଡେଇଁଥିବା ଦେଖାଯାଇଛି ।

ଖବର ପାଇଁ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ଯାଇଥିବା ନେଇ ଖବର ସାମ୍ନାକୁ ଆସି ନାହିଁ । ତେବେ କିଛି ଲୋକ ଆହତ ହୋଇଥିବା ଖବର ରହିଛି । ଆଉ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ରହିଛି ।