କିଲର ଟ୍ରକ୍‌ : ପଛ ଆଡୁ ଧକ୍କା ଦେଇ ଘରର ମୁରବୀଙ୍କୁ ମାରିଦେଲା

ଇଏ ଟ୍ରକ୍‌ ନୁହେଁ କିଲର୍‌ । ପଛରୁ ଏତେ ଜୋରରେ ଧକ୍କା ଦେଲା ଯେ ୧୦ ଜଣିଆ ପରିବାରର ମୁରବୀଙ୍କ ପ୍ରାଣ ନେଇଗଲା । ସହର ଭିତରେ ଭାରିଯାନ ପ୍ରବେଶ ନିଷେଧ ଥିବା ପରେ ବି ପୋଲିସକୁ ଲାଂଚ ଦେଇ ଗାଡି ଯାଉଛି, ଏମିତି ଜୀବନ ନେଉଛି।

Killer Truck

ହୁତୁ ହୁତୁ ହୋଇ ଜଳୁଛି ଟ୍ରକ୍‌ । କ୍ଷଣିକରେ ପୂରା ଟ୍ରକକୁ ଛାରଖାର କରିଦେଲା ନିଆଁ । ଆଉ ସେ ନିଆଁ ହେଉଛି ସାଧାରଣ ଲୋକଙ୍କ କ୍ରୋଧର ନିଆଁ । କାରଣ କିଲର୍‌ ଟ୍ରକ ଗୋଟିଏ ପରିବାରକୁ ଅନାଥ କରିଦେଇଛି । ଦଶଜଣିଆ ପରିବାରକୁ ପରିପୋଷଣ କରୁଥିବା ଘରର ମୁରବୀଙ୍କୁ ମାରିଦେଇଛି । ତେଣୁ ରାଗରେ ଟ୍ରକ୍‌କୁ ଜାଳିଦେଇଛନ୍ତି ଉତ୍ୟକ୍ତ ଲୋକେ ।

ବୁଧବାର ଅପରାହ୍ନ ୫ ଟା । ବଲାଙ୍ଗିର ଉପକଣ୍ଠ ଖମାରମୁଣ୍ଡା ଗାଁର ୫୬ ବର୍ଷୀୟ ରବିନାରାୟଣ ନନ୍ଦ ନିଜ କାମ ସାରି ବଲାଙ୍ଗିର ସହରରୁ ଗାଁକୁ ଫେରୁଥିଲେ । କିନ୍ତୁ ରବି ଜାଣିନଥିଲେ ରାସ୍ତାରେ ଛକି ରହିଛି ଯମ । ମାଧିଆପାଲି ନିକଟରେ ହଠାତ୍‌ ରବିଙ୍କୁ ପଛ ପଟୁ ଏକ ଦଶ ଚକିଆ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ତାଙ୍କର ଜୀବନ ଚାଲିଯାଇଥିଲା । ମୃତ ରବିଙ୍କ ଘରେ ବୁଢାର ବାପା, ବିଧବା ଭାଇବୋହୂ, ସ୍ତ୍ରୀ, ପୁଅ,ଝିଅ ଓ ପୁତୁରା ସମସ୍ତେ ଅଛନ୍ତି । ଆଉ ସମସ୍ତଙ୍କ ମୁହଁରେ ଆହାର ଦେବାକୁ ବଲାଙ୍ଗିର ସହରର ଏକ ଛାପାଖାନାରେ କାମ କରୁଥିଲେ ରବି ।

ହେଲେ ସବୁ ଆଶା ଓ ସ୍ୱପ୍ନକୁ ଛାରଖାର କରିଦେଲା ଟ୍ରକ୍‌ । ଗୋଟିଏ ଝଟକାରେ ପରିବାରର ମୁଖିଆଙ୍କ ଜୀବନ ନେଇଗଲା । ଦୁର୍ଘଟଣା ପରେ ଫେରାର ମାରୁଥିଲା ଟ୍ରକ୍‌ ହେଲେ ସ୍ଥାନୀୟ ଲୋକେ ଗୋଡେଇବାରୁ ଦୁଇ ଶହ ମିଟର ଦୂରରେ ଟ୍ରକକୁ ଛାଡି ଫେରାର ମାରିଥିଲା ଡ୍ରାଇଭର । ହେଲେ ଉତ୍ୟକ୍ତ ଲୋକେ ଟ୍ରକରେ ନିଆଁ ଲଗାଇ ଦେଇଥିଲେ ଆଉ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଟାୟାର ଜାଳି ରାସ୍ତାରୋକ କରିଥିଲେ । ପାଖାପାଖି ୪ ଘଂଟା ଜାମ୍‌ ହୋଇ ରହିଥିଲା ରାସ୍ତା । ପ୍ରଶାସନର ବୁଝାସୁଝା ପରେ ରାସ୍ତା ଜାମ୍‌ ହଟିଥିଲା ହେଲେ ନୋଏଣ୍ଟ୍ରି ସମୟରେ କିପରି ଛତିଶଗଡ ନମ୍ବର ଥିବା ଟ୍ରକ ସହର ଭିତରକୁ ଏଣ୍ଟ୍ରି କଲା ତା’କୁ ନେଇ ଉଠିଛି ପ୍ରଶ୍ନ ।

ବଲାଙ୍ଗିର ସହର ଦେଇ ଦୁଇ ଦୁଇଟି ରାଜପଥ ଯାଇଛି । ଆଉ ସେଥିରେ ପ୍ରତିଦିନ ଦୁର୍ଘଟଣା ଘଟୁଛି । ତେଣୁ ସହର ମଧ୍ୟରେ ସକାଳ ୬ରୁ ରାତି ୧୨ଟା ପର୍ଯ୍ୟନ୍ତ ଭାରିଯାନ ପ୍ରବେଶ ଉପରେ କଟକଣା ରହିଛି । ହେଲେ କଟକଣାକୁ ମାନୁନାହାନ୍ତି ଗାଡି ଚାଳକ । ଏମିତିକି ପୋଲିସକୁ କିଛି ଟଙ୍କା ଦେଇ ଗାଡି ସହର ଭିତରେ ପ୍ରବେଶ କରୁଥିବା ଅଭିଯୋଗ ହେଉଛି । ସେପଟେ ଭିଡ କମାଇବାକୁ ବାଇପାସ୍‌ କାମ ଚାଲିଛି ହେଲେ ତାହା ମନ୍ଥର ଗତିରେ ଚାଲିଥିବାରୁ ତୁରନ୍ତ ରାସ୍ତା କାମ ସାରିବାକୁ ଜୋର ଧରିଛି ଦାବି । ସେପଟେ ତହସିଲଦାର କହିଛନ୍ତି ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଉପରେ କାର୍ଯ୍ୟାନୁଷ୍ଠାନ ହେବ ।

କେବଳ ଏବେ ନୁହେଁ ପୂର୍ବରୁ ମଧ୍ୟ ସହର ମଧ୍ୟରେ ଦୁର୍ଘଟଣା ଘଟି ଅନେକ ଜୀବନ ଯାଇଛି । ତେଣୁ ବାଇପାସ୍‌ ରାସ୍ତା ତୁରନ୍ତ ସାରିବାକୁ ଦାବି ହୋଇଛି । ହେଲେ ଏଯାଏ ରାସ୍ତା କାମ ସରୁନି କି ଦୁର୍ଘଟଣା କମୁନି ଯାହାକୁ ନେଇ ଚିନ୍ତାରେ ବଲାଙ୍ଗିରବାସୀ ।