• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଗତକାଲି ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଦୁଇଟି ସୁପର୍‌ ଫାଷ୍ଟ ଓ ଗୋଟିଏ ମାଲ୍‌ଗାଡ଼ି ମଧ୍ୟରେ ଦୁର୍ଘଟଣାରେ ୨୩୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ବାଲେଶ୍ୱର ଜିଲ୍ଲା ବାହନଗା ନିକଟରେ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍‌ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ।

ଏପରିକି ମାଲ୍‌ଗାଡ଼ି ଉପରକୁ ଚଢ଼ି ଯାଇଛି କରମଣ୍ଡଳ । ଏହି ଟ୍ରେନ୍‌ର କିଛି ବଗି ଆର ଟ୍ରାକ୍‌ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍‌ରେ ଆସିଥିଲା ଯଶୱନ୍ତପୁର ହାୱାଡ଼ା ଟ୍ରେନ୍‌। ଏହି ଟ୍ରେନ୍ ଓଲଟି ପଡ଼ିଥିବା କରମଣ୍ଡଳ ଏକସପ୍ରେସ୍‌ର ବଗିକୁ ଧକ୍କା ଦେଇଥିଲା। ଏହାପୂର୍ବରୁ ମଧ୍ୟ ଦେଶରେ ବଡ଼ ବଡ଼ ରେଳ ଦୁର୍ଘଟଣା ଘଟିଛି। ଏଥିରେ ଅନେକଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ।

ଜାଣନ୍ତୁ, ଭାରତର ବଡ଼ ରେଳ ଦୁର୍ଘଟଣା...

  • ୧୯୮୧ ମସିହା ଜୁନ୍ ୬ ତାରିଖରେ ବିହାରର ବାଗମତିରେ ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା। ଏଥିରେ  ୭୫୦ରୁ ଅଧିକ ଲୋକଙ୍କ ଜୀବନ ଚାଲି ଯାଇଥିଲା
  • ୧୯୯୫ ମସିହା ଅଗଷ୍ଟ ୨୦ ତାରିଖରେ ଉତ୍ତରପ୍ରଦେଶ ଫିରୋଜବାଦରେ ପୁରୁଷୋତ୍ତମ ଏକ୍ସପ୍ରେସ୍‌  ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୩୦୫ରୁ ଅଧିକ ଲୋକଙ୍କ ଜୀବନ ଚାଲି ଯାଇଥିଲା।
  • ୧୯୯୮ ମସିହା ନଭେମ୍ବର ୨୬ ପଞ୍ଜାବରେ ଜମ୍ମୁ ତାୱି ସେଲଦା ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ୨୧୨ଜଣଙ୍କର ମୃତ୍ୟୁ ହୋଇଥିଲା।
  • ୨୦୦୨ ସେପ୍ଟେମ୍ବର ୯ରେ ବିହାର ରଫିଗଞ୍ଜରେ ରେଳ ଦୁର୍ଘଟଣାରେ ୧୪୦ରୁ ଅଧିକ ମୃତ୍ୟୁବରଣ କରିଥିଲେ। ରାଜଧାନୀ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଥିଲା
  • ୨୦୧୧ ମସିହା ଜୁଲାଇ ୭ରେ ଛପ୍‌ରା-ମଥୁରା ଏକ୍ସପ୍ରେସ୍‌ ଏକ ବସ୍‌ ସହ ଉତ୍ତରପ୍ରଦେଶର ଇତାହ ନିକଟରେ ଧକ୍କା ହୋଇଥିଲା। ଏଥିରେ ୬୯ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ଅଧିକାଂଶ ଆହତ ହୋଇଥିଲେ। ଟ୍ରେନ୍‌ ଦ୍ରୁତ ଗତିରେ ଥିବାବେଳେ ବସ୍‌କୁ ଧକ୍କା ଦେଇ ଅଧ କିଲୋମିଟର ଯାଏ ଘୋଷାଡ଼ି ନେଇଥିଲା
  • ଭାରତୀୟ ରେଳ ଇତିହାସରେ ୨୦୧୨ ମସିହା ସବୁଠାରୁ ଖରାପ ବର୍ଷ ବୋଲି ବିବେଚନା କରାଯାଇଥିଲା। ଏହିବର୍ଷ ପାଖାପାଖି ୧୪ ଦୁର୍ଘଟଣା ଘଟିଥିଲା। କେଉଁଠି ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିଲା ତ ଆଉ କେଉଁଠି ମୁହାଁମୁହିଁ ଧକ୍କା ହୋଇଥିଲା।
  • ୨୦୧୨ ମସିହା ଜୁଲାଇ ୩୦ ତାରିଖରେ ନେଲ୍ଲୋରରେ ଦିଲ୍ଲୀ-ଚେନ୍ନାଇ ତାମିଲନାଡୁ ଏକ୍ସପ୍ରେସ୍‌ରେ ନିଆଁ ଲାଗି ଯାଇଥିଲା। ଏଥିରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।
  • ୨୦୧୪ ମସିହା ମେ’ ୨୬ରେ ଉତ୍ତରପ୍ରଦେଶର ସନ୍ଥ କବୀର ନଗର ଅଞ୍ଚଳରେ ଗୋରଖଧାମ ଏକ୍ସପ୍ରେସ୍‌ ଦୁର୍ଘଟଣା ଘଟିଥିଲା। ଗୋରଖପୁର ଅଭିମୁଖେ ଯାଉଥିବା ବେଳେ ଏକ୍ସପ୍ରେସ୍‌ଟି ଏକ ମାଲ୍‌ବାହୀ ଗାଡ଼ି ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିଲେ। 
  • ୨୦୧୫ ମସିହା ମାର୍ଚ୍ଚରେ ଡେରାଡୁନରୁ ବାରଣାସୀ ଯାଉଥିବା ଜନତା ଏକ୍ସପ୍ରେସ୍‌ ଉତ୍ତରପ୍ରଦେଶର ରାଏବରେଲିରେ ବଚରାୱାନ୍‌ ରେଲ୍‌ୱେ ଷ୍ଟେସନ ନିକଟରେ ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ଟ୍ରେନ୍‌ର ଇଞ୍ଜିନ ଓ ୨ଟି କୋଚ୍‌ ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫୦ ଜଣ ଆହତ ହୋଇଥିଲେ
  • ୨୦୧୬ ମସିହା ନଭେମ୍ବର ୨୦ରେ କାନପୁରର ପୁଖରାୟାନରେ ଇନ୍ଦୋର-ପାଟନା ଏକ୍ସପ୍ରେସ୍‌ 19321 ଲାଇନ୍‌ଚ୍ୟୁତ ହୋଇଥିଲା। ଏଥିରେ ୧୫୦ ଯାତ୍ରୀଙ୍କ ଜୀବନ ଚାଲି ଯାଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଥିଲେ।
  • ୨୦୧୭ ମସିହା ଅଗଷ୍ଟ ୧୯ରେ ଉତ୍ତରପ୍ରଦେଶ ମୁଜାଫରନଗରର ଖାତାଉଲି ନିକଟରେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହରିଦ୍ୱାର ଓ ପୁରୀ ମଧ୍ୟରେ ଏହି ଏକ୍ସପ୍ରେସ୍‌ ଚଳାଚଳ କରିଥାଏ। ଏକ୍ସପ୍ରେସ୍‌ର ୧୪ ବଗି ଲାଇନ୍‌ଚ୍ୟୁତ ହେବା ଯୋଗୁ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯୭ ଜଣ ଆହତ ହୋଇଥିଲେ।
  • ୨୦୧୭ ମସିହା ଅଗଷ୍ଟ ୨୩ରେ ଉତ୍ତରପ୍ରଦେଶର ଔରୟା ନିକଟରେ କୈଫିୟାତ ଏକ୍ସପ୍ରେସ୍‌ର ୯ ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଏଥିରେ ୭୦ ଜଣ ଆହତ ହୋଇଥିଲେ।
  • ୨୦୨୨ ମସିହା ଜାନୁଆରୀ ୧୩ରେ ବିକାନେର୍‌-ଗୌହାଟି ଏକ୍ସପ୍ରେସ୍‌ ପଶ୍ଚିମବଙ୍ଗର ଅଲିପୁର୍‌ଦୁଆର୍‌ରେ ଲାଇନ୍‌ଚ୍ୟୁତ ହୋଇଥିଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ଆହତ ହୋଇଥିଲେ।