ଟୁରିଷ୍ଟ ବସ୍‌ରେ ଲାଗିଲା ନିଆଁ, ଚାଲିଗଲା ୯ ଜୀବନ

୬୦ ତୀର୍ଥଯାତ୍ରୀଙ୍କୁ ଧରି ଯାଉଥିବା ବେଳେ ନୁହର ତାବଡ଼ ଉପମଣ୍ଡଳ ସୀମାରେ ହଠାତ୍‌ ବସ୍‌ରେ ନିଆଁ ଲାଗି ଯାଇଥିଲା । ଶୁକ୍ରବାର ରାତି ପ୍ରାୟ ୧.୩୦ରେ ଏହି ଭୟଙ୍କର ବସ୍‌ ଦୁର୍ଘଟଣା ହୋଇଥିଲା ।

Bus Accident

ହରିୟାଣାର ନୁହଠାରେ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି  । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଟୁରିଷ୍ଟ ବସ୍‌ରେ ନିଆଁ ଲାଗିଯାଇଥିଲା ।ଏହି ଅଗ୍ନିକାଣ୍ଡ ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ମୃତ୍ୟୁବରଣ କରିଥିବା ୯ ଜଣଙ୍କ ମଧ୍ୟରୁ ୬ ଜଣ ମହିଳା ଥିବାବେଳେ ୩ ଜଣ ପୁରୁଷ ଥିବା ସୂଚନା ମିଳିଛି ।

୬୦ ତୀର୍ଥଯାତ୍ରୀଙ୍କୁ ଧରି ଯାଉଥିବାବେଳେ ନୁହର ତାବଡ଼ ଉପମଣ୍ଡଳ ସୀମାରେ ହଠାତ୍‌ ବସ୍‌ରେ ନିଆଁ ଲାଗି ଯାଇଥିଲା । ଶୁକ୍ରବାର ରାତି ପ୍ରାୟ ୧.୩୦ରେ ଏହି ଭୟଙ୍କର ବସ୍‌ ଦୁର୍ଘଟଣା ହୋଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୯ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ୨୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଏହି ବସ୍‌ରେ ଥିବା ଅଧିକାଂଶ ଲୋକ ଧାର୍ମିକ ସ୍ଥଳ ଦର୍ଶନ ସାରି ଫେରୁଥିଲେ । ସମସ୍ତେ ତୀର୍ଥଯାତ୍ରୀ ବୋଲି ଜଣାପଡ଼ିଛି।

ସେପଟେ ଏହି ଦୁର୍ଘଟଣା ଖବର ପାଇଁ ଘଟଣାସ୍ଥଳରେ ପୋଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ । ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ଅଗ୍ନିଶମ କର୍ମଚାରୀ । ନିଆଁ ସମ୍ପୂର୍ଣ୍ଣ ଭାବେ ଲିଭିବା ପରେ ବସ୍‌ ମଧ୍ୟରୁ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗି ଯାଇଥିବା ସେମାନେ ଦେଖିବାକୁ ପାଇଥିଲେ। ଏନେଇ ବସ୍‌ ଚାଳକଙ୍କୁ ସୂଚନା ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ବସ୍‌ଟି ଦ୍ରୁତ ଗତିରେ ଚାଲି ଯାଇଥିଲା । ଏହାପରେ କିଛି ଯୁବକ ବାଇକ୍‌ରେ ବସ୍‌ ପିଛା କରି ଚାଳକଙ୍କୁ ଖବର ଦେବାରୁ ସେ ତୁରନ୍ତ ବସ୍‌ଟିକୁ ଅଟକାଇଥିଲେ। ମାତ୍ର ସେତେବେଳକୁ ବସ୍‌ରେ ନିଆଁ ବ୍ୟାପି ଯାଇଥିଲା । ଏଥିସହ ଖବର ପାଇ ମଧ୍ୟ ଅଗ୍ନିଶମ କର୍ମଚାରୀ ବିଳମ୍ବରେ ପହଞ୍ଚିବାରୁ ମୃତକଙ୍କ ସଂଖ୍ୟା ବଢ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।