ଶିଶୁ ଚିକିତ୍ସା କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ, ୭ନବଜାତ ଜୀବନ୍ତ ଦଗ୍ଧ

ଗତକାଲି ରାତି ପ୍ରାୟ ୧୧.୩୨ସମୟରେ ପୂର୍ବ ଦିଲ୍ଲୀର ବିବେକ ବିହାରର ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ପୁରା ବିଲଡିଂ ହୁତ୍ ହୁତ୍ ହେଇ ଜଳିବାରେ ଲାଗିଥିଲା। ପରେ ତୁରନ୍ତ ୧୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପଠାଯାଇଥିଲା।

Huge Fire At Delhi Children's Hospital

ବିଳମ୍ବିତ ରାତିରେ ଦିଲ୍ଲୀର ଏକ ଶିଶୁ ଡାକ୍ତରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ । ଏଥିରେ ୭ ନବଜାତ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ନିଆଁ ଲାଗିବା ଯୋଗୁଁ ୭ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ଅଗ୍ନିଶମ ବିଭାଗର ସୂଚନାନୁସାରେ, ଏହି ଦୁଃଖଦ ଦୁର୍ଘଟଣାରେ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ସେଥିମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ୫ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୧.୩୨ସମୟରେ ପୂର୍ବ ଦିଲ୍ଲୀର ବିବେକ ବିହାରର ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ପୁରା ବିଲଡିଂ ହୁତ୍ ହୁତ୍ ହେଇ ଜଳିବାରେ ଲାଗିଥିଲା। ପରେ ତୁରନ୍ତ ୧୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପଠାଯାଇଥିଲା। ଅଧିକାରୀ କହିଛନ୍ତି ଯେ ୧୨ ନବଜାତ ଶିଶୁଙ୍କୁ କୋଠା ଭିତରୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଚିକିତ୍ସା ସମୟରେ ୭ଜଣଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରଖାନାରେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଦିଲ୍ଲୀ ପୋଲିସ ଏବଂ ଅଗ୍ନିଶମ ବିଭାଗ ଏହି ଘଟଣାର ତଦନ୍ତ କରୁଛନ୍ତି।

ସେହିଭଳି ଗତକାଲି ମଧ୍ୟ ଏକ ହୃଦୟ ବିଦାରକ ଘଟଣା ଘଟିଥିଲା। ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୩୦ ଟପିଥିବା ସୂଚନା। ଗତରାତିରେ ମୋଟ ୩୩ ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୧୨ ଜଣ ଶିଶୁ ଥିବା କୁହାଯାଉଛି। ଆହୁରି କିଛି ଜଣ ଆହତ ହୋଇଛନ୍ତି। ନିଆଁ ଆୟତ୍ତକୁ ଆସିଥିଲେ ବି ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡିନି। ଗେମିଂ ଜୋନ୍ ମାଲିକଙ୍କ ବିରୋଧରେ ଏଫଆଇଆର ହୋଇଛି। ଗେମିଂ ଜୋନ୍ ମାଲିକ ଏବଂ ମ୍ୟାନେଜରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ଘଟଣାର ପୁଙ୍ଖାନୁପଙ୍ଖ ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ଏସଆଇଟି ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜକୋଟ ଘଟଣାରେ ଗଭୀର ଶୋକବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି।

ସୂଚନା ମୁତାବକ, ୪ ଦିନ ତଳେ ସେହି ଗେମିଂ ଜୋନ୍‌ରେ ନିଆଁ ଲାଗିଥିଲା। ଯେଉଁଥିପାଇଁ ଗେମିଂ ଜୋନ୍‌କୁ ବନ୍ଦ ରଖାଯାଇଥିଲା। ଗତକାଲି ପୁଣି ଏହା ଖୋଲିଥିଲା। ସେଥିପାଇଁ ଲୋକଙ୍କର ପ୍ରବଳ ଭିଡ ଜମିଥିଲା। ଅପରାହ୍ନ ପ୍ରାୟ ୫ଟା ବେଳେ ଗେମିଂ ଜୋନରେ ନିଆଁ ଲାଗି ଯାଇଥିଲା। ଏ ସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗି ପଡ଼ିଥିଲେ। ବର୍ତ୍ତମାନ ସୁଦ୍ଧା ୩୩ଟି ମୃତଦେହ ଉଦ୍ଧାର କରାଯାଇଛି। ଅନେକ ମୃତକଙ୍କ ପରିଚୟ ମିଳୁନଥିବା ଜଣାପଡ଼ିଛି।